କପିଳାସରେ ଶ୍ରଦ୍ଧାଳୁଙ୍କ ଭିଡ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସରେ ବଡଓଷା ଉପଲକ୍ଷେ ଶ୍ରଦ୍ଧାଳୁଙ୍କର ଭିଡ ପରିଲିକ୍ଷିତ ହୋଇଥିଲା । ରାଜ୍ୟ ଓ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଲମ୍ବା ଧାଡିରେ ଠିଆ ହୋଇ ମହାପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ଓ ମାତା ପାର୍ବତୀଙ୍କ ଦର୍ଶନ କରିଥିଲେ । ବଡଓଷା ଭୋଗ ସହ ପ୍ରସାଦସେବନ ମଧ୍ୟ କରିଥିଲେ । ସେହିପରି ଢେଙ୍କାନାଳ ଜିଲ୍ଲାର ଜାତୀୟସ୍ତରର ପର୍ଯ୍ୟଟନ ମାନଚ୍ଚିତ୍ରରେ ସ୍ଥାନ ପାଇଥିବା ଉନ୍ନକୋଟିଶ୍ୱର, ଅଷ୍ଟଶମ୍ଭୁ, ନାଗନାଥଶ୍ୱର ଆଦି ଶୈବପୀଠରେ ବଡଓଷା ପର୍ବ ପାଳିତ ହୋଇଯାଇଛି । ଗଁଦିଆ ବ୍ଲକର ବଣୀଆପୋଡାର ସ୍ୱପ୍ନେଶ୍ୱର ମନ୍ଦିର, କରମୂଳର ଦୌଡେଶ୍ୱର, କାବେରାର କଳ୍ପେଶ୍ୱର, ବଟେଶ୍ୱର ମନ୍ଦିର, ଦଧିସିଙ୍ଗାର ଚମ୍ପେସ୍ୱର, ସନ୍ଥପୁରର ବାଲୁକେଶ୍ୱର ଆଦି ଅଞ୍ଚଳରେ ଥିବା ଶିବ ମନ୍ଦିରରେ ବଡଓଷା ଉପଲକ୍ଷେ ଠାକୁରଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା । ଅଧିକାଂଶ ସ୍ଥାନରେ ମନ୍ଦିର ଗୁଡିକୁ ଆଲୋକମାଳାରେ ସଜ୍ଜିତ କରାଯାଇଥିବା ଦେଖିବାକୁ ମିଳିଛି ।