ମିଳିତ ବଜାର ଲକ୍ଷ୍ମୀପୂଜା କମିଟି ସଭାପତି ହେଲେ ରାମଚନ୍ଦ୍ର
ାା ପ୍ରଭାନୁ୍ୟଜ ।ା ଢେଙ୍କାନାଳ: ଢେଙ୍କାନାଳ ସହରର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ନିମନ୍ତେ ମିଳିତ ବଜାର ଲକ୍ଷ୍ମୀପୂଜା କମିଟି ସଭାପତି ପାଇଁ ସର୍ଯ୍ୟମଣ୍ଡପ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀ ଶ୍ରୀ ମଉଡମଣୀ ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ମୀନା ବଜାର ପକ୍ଷରୁ ଅନୁଷ୍ଠିତ ଏହି ବୈଠକରେ ରାମଚନ୍ଦ୍ର ପାତ୍ର ଚଳିତବର୍ଷ ପାଇଁ ସର୍ବସମ୍ମତିକ୍ରମେ ସଭାପତି ଭାବେ ମନୋନୀତ ହୋଇଛନ୍ତି । ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମିଳିତ ବଜାର ଲକ୍ଷ୍ମୀପୂଜା କମିଟି ସଭାପତି ଚୟନ ପାଇଁ ପୂର୍ବ ପରମ୍ପରା ଅନୁଯାୟୀ, ମଉଡମଣି ରାଜଲକ୍ଷ୍ମୀ ପୂଜାପ୍ରତିଷ୍ଠାନ ମୀନାବଜାର ପକ୍ଷରୁ ଆଜି ମିଳିତ ବଜାର ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।
ଏଥିରେ ୩୮ ଗୋଟି ପୂଜା ମଣ୍ଡପର ସମସ୍ତ ସଭାପତି ଓ ସଂପାଦକ ଉପସ୍ଥିତ ଥିଲେ । ବୈଠକରେ ଗତବର୍ଷର ମିଳିତବଜାର ଲକ୍ଷ୍ମୀପୂଜା କମିଟି ସଭାପତି ଜ୍ଞାନେନ୍ଦ୍ର ବେହେରା ଏବଂ ମୀନା ବଜାର ପୂଜା କମିଟି ସଭାପତି ରବିନାରାୟଣ ମହାନ୍ତି, ସଂପାଦକ ପୀତବାସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଚଳିତବର୍ଷ ପାଇଁ ମିଳିତ ବଜାର ପୂଜା କମିଟି ସଭାପତି ଲାଗି ରାମଚନ୍ଦ୍ର ପାତ୍ରଙ୍କ ନାମକୁ ଖମାର ସାହି ପୂଜା କମିଟିର କାର୍ଯ୍ୟକାରୀ ସଭାପତି ସୁକାନ୍ତ ମିଶ୍ର ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ଭାଇଚାରା ମଧ୍ୟରେ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇ ଶ୍ରୀ ପାତ୍ରଙ୍କୁ ସଭାପତି ଭାବେ ମନୋନୀତ କରାଯାଇଛି । ଚଳିତବର୍ଷ ଅକ୍ଟୋବର ୧୬ ତାରିଖ କୁମାର ପୂର୍ଣ୍ଣମୀ ଅବସରରେ ମା’ଙ୍କର ଆବାହନ ପୂର୍ବକ ପାର୍ବଣ ଉତ୍ସବ ଶୁଭାରମ୍ଭ ହେବ । ଅକ୍ଟୋବର ୨୭ତାରିଖରେ ଭଷାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ବୈଠକରେ ସ୍ଥିର କରାଯାଇଛି । ମୀନା ବଜାର ପୂଜା କମିଟିର ଅନ୍ୟାନ୍ୟ ସଦସ୍ୟମାନେ ଶାନ୍ତିଶୃଙ୍ଖଳାର ସହ ବୈଠକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମିଳିତ ବଜାର ପୂଜା କମିଟି ଅନ୍ତର୍ଗତ ସମସ୍ତ ପୂଜା ମଣ୍ଡପର ସଭାପତି, ସଂପାଦକମାନେ ଉପସ୍ଥିତ ଥିଲେ । ଏହି ଅବସରରେ ମହାବୀର ବଜାର ତାର ପ୍ଲାଟିଂନମ୍ ଜୁବୁଲି ପାଳନ କରୁଥିବାରୁ ସମସ୍ତ ପୂଜା କମିଟିର ସଦସ୍ୟ ସଦସ୍ୟାମାନଙ୍କୁ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ । ଦେଉଳ ସାହି ପୂଜା କମିଟି ୬୦ କେଜି ଓଜନର ଏକ ଚାନ୍ଦିମେଢ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷରୁ ଉଦ୍ଧ୍ୱର୍ ବୋଲି କମିଟିର ମୁରଲୀ ଭଞ୍ଜ ପ୍ରକାଶ କରିଛନ୍ତି । ନୂତନ ସଭାପତି ଶ୍ରୀ ପାତ୍ର ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜାକୁ ରାଜ୍ୟସ୍ତରୀୟ ମାନ୍ୟତା ପାଇଁ ଉଦ୍ୟମ କରିବାକୁ ପ୍ରକାଶ କରିବା ସହ ପୂଜାକୁ ସରସ ସୁନ୍ଦର କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।