ଚାକିରି ନାଁରେ ଠକେଇ, ଜଣେ ଗିରଫ

Cuttack News


 କଟକ: ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗରେ ମଙ୍ଗଳାବାଗ ପୋଲିସ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ମାଲଗୋଦାମ ଥାନା ଅନ୍ତର୍ଗତ ଯୋବ୍ରା ଅଞ୍ଚଳର ମୁରାଦଖାନ ପାଟଣାର ଲକ୍ଷ୍ମୀଧର ନାୟକ (୩୪) । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ମୋବାଇଲ ଫୋନ, ଗୋଟିଏ ରବର ଷ୍ଟାମ୍ପ, ଏସ୍ସିବି ସୁପରିନଟେଣ୍ଡେଙ୍କ ନାମରେ ଖୋଦିତ ହୋଇଥିବା ଏକ ନକଲି ରବର ଷ୍ଟାମ୍ପ, ଗୋଟିଏ ଷ୍ଟାମ୍ପପ୍ୟାଡ଼, ଗୋଟିଏ କମ୍ପୁ୍ୟଟର ଡେକ୍ସଟପ ମନିଟର, ଗୋଟିଏ କମ୍ପୁ୍ୟଟର ସିପିୟୁ, ଗୋଟିଏ କିବୋର୍ଡ଼ ଜବତ କରାଯାଇଛି । 
ସୂଚନା ମୁତାବକ, ବିଡ଼ାନାସୀ ଥାନା ଅଞ୍ଚଳର ଜଗନ୍ନାଥ ମିଶ୍ର ଗତ ୨୧ ତାରିଖରେ ମଙ୍ଗଳାବାଗ ଥାନାରେ  ଅଭିଯୋଗ କରିଥିଲେ ଯେ, ଯୋବ୍ରା ଅଞ୍ଚଳର ଲକ୍ଷ୍ମୀଧର ନାୟକ ତାଙ୍କୁ ଏସସିବି ମେଡ଼ିକାଲରେ ଡାଟା ଏଣ୍ଟି୍ର ଅପରେଟର ଭାବେ ଚାକିରି କରାଇ ଦେବାକୁ କହି ଟଙ୍କା ନେଇ ଠକି ଦେଇଥିଲେ । ଲକ୍ଷ୍ମୀଧର ତାଙ୍କୁ ଏକ ନକଲି ନିଯୁକ୍ତିପତ୍ର ଦେଇଥିବାର ସେ ଅଭିଯୋଗ କରିଥିଲେ । ପରେ ଜଗନ୍ନାଥ ଜାଣିବାକୁ ପାଇଲେ ଯେ, ଲକ୍ଷ୍ମୀଧର ଆଉ ଅଧିକ ବ୍ୟକ୍ତିଙ୍କୁ ମଧ୍ୟ ଚାକିରି ଦେବା ନାଁରେ ଠକିଛନ୍ତି । ଯେତେବେଳେ ଜଗନ୍ନାଥ ଏସ୍ସିବିରେ ଡାଟା ଅପରେଟର ଭାବେ ନିଯୁକ୍ତି ପାଇଲେ ନାହିଁ ତାପରେ ସେ ଲକ୍ଷ୍ମୀଧରକୁ ଟଙ୍କା ଫେରାଇବାକୁ କହିଥିଲେ । ହେଲେ ଲକ୍ଷ୍ମୀଧର ତାଙ୍କୁ ଗାଳି ଦେବା ସହ ଧମକ ଦେଇଥିବା ଜଗନ୍ନାଥ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୁଲିସ ଏହି ଅଭିଯୋଗକୁ ଆଧାର କରି ଏକ ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଥିଲେ । ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିବା ଯେ, ଜଗନ୍ନାଥ ଓ ତାଙ୍କ ସାଙ୍ଗ ଭାବଗ୍ରାହୀ ଦାସ ଅଭିଯୁକ୍ତ ଲକ୍ଷ୍ମୀଧରଙ୍କ ସହିତ ସଂପର୍କରେ ଆସିଥିଲେ । ଅଭିଯୁକ୍ତ ଲକ୍ଷ୍ମୀଧର ଜଗନ୍ନାଥ ଓ ସାଙ୍ଗକୁ ଏସ୍ସିବିରେ ଡାଟା ଏଣ୍ଟ୍ରି ଅପରେଟର ଭାବେ ଚାକିରି ଦେବାକୁ କହି ଜଗନ୍ନାଥଠାରୁ ୧୦ହଜାର ଟଙ୍କା ଓ ଭାବଗ୍ରାହୀଠାରୁ ୩୨ହଜାର ଟଙ୍କା ଅନ୍ଲାଇନରେ ନେଇଯାଇଥିଲେ । ୯ମାସ ପରେ ଅଭିଯୁକ୍ତ ଲକ୍ଷ୍ମୀଧର ଗୋଟିଏ ଗୋଟିଏ ନକଲି ନିଯୁକ୍ତିପତ୍ର ଜଗନ୍ନାଥ ଓ ତାଙ୍କ ସାଙ୍ଗକୁ ଦେଇଥିଲା ଓ କହିଥିଲା ଯେ ସେମାନେ ଚାକିରିରେ ଚୟନ ହୋଇଛନ୍ତି ଏବଂ କାର୍ଯ୍ୟରେ ଯୋଗ ଦେଇ ପାରିବେ । କିନ୍ତୁ ଯେତେବେଳେ ଉଭୟ ଏସସିବି ମେଡ଼ିକାଲ ନିଯୁକ୍ତପତ୍ର ନେଇ ଗଲେ ସେତେବେଳେ ଜାଣିବାକୁ ପାଇଲେ ଯେ ଅଭିଯୁକ୍ତ ଲକ୍ଷ୍ମୀଧର ତାଙ୍କୁ ନକଲି ନିଯୁକ୍ତିପତ୍ର ପ୍ରଦାନ କରିଛି । ସେମାନେ ତା ପରେ ଅନୁସନ୍ଧାନ କରି ଜାଣିଲେ ଯେ ଲକ୍ଷ୍ମୀଧର ନାମର କୌଣସି ବ୍ୟକ୍ତି କଟକ ବଡ଼ ମେଡ଼ିକାଲରେ କାର୍ଯ୍ୟରତ ନାହାନ୍ତି । ଏହାପରେ ସେମାନଙ୍କର ବିଶ୍ୱାସ ହୋଇଥିଲା ଯେ, ଲକ୍ଷ୍ମୀଧର ସେମାନଙ୍କୁ ଠକି ଦେଇଛନ୍ତି । ଏହାପରେ ସେମାନେ ଲକ୍ଷ୍ମୀଧର ପାଖକୁ ଯାଇ ଟଙ୍କା ଫେରସ୍ତ ପାଇଁ କହିଥିଲେ । କିନ୍ତୁ ଲକ୍ଷ୍ମୀଧର ତାଙ୍କୁ ଗାଳି ଦେଇଥିଲା । ସେମାନେ ଜାଣିବାକୁ ପାଇଥିଲେ ଯେ, ଲକ୍ଷ୍ମୀଧର ଅଧିକାଂଶ ଲୋକଙ୍କୁ ଚାକିରି ଦେବା ନାମରେ ଠକିଛି । ପୁଲିସ ଅଭିଯୁକ୍ତ ଲକ୍ଷ୍ମୀଧରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାର ଜଣାପଡ଼ିଛି ।