ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦ୍ଘାଟିତ

 ରାଜ୍ୟ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଅବସରରେ ସ୍ଥାନୀୟ ଖ୍ରୀଷ୍ଟିଆନ ପଡ଼ିଠାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦ୍ଘାଟିତ ହୋଇଯାଇଛି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହି ମେଳାର ଉଦ୍ଘାଟନ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଗତ ୧୦୦ ଦିନ ମଧ୍ୟରେ ହୋଇଥିବା ଜନ କଲ୍ୟାଣକାରୀ ଯୋଜନା ଓ ବିଭିନ୍ନ ଉନ୍ନୟନ ମୂଳକ ବିକାଶର ରିପୋର୍ଟକାର୍ଡ଼ ମନ୍ତ୍ରୀ ଶ୍ରୀ ସିଂହଦେଓ ଉପସ୍ଥାପିତ କରିଥିଲେ । ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବାର ମାତ୍ର ୧୦୦ ଦିନ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ଜନସାଧାରଣଙ୍କ ପି୍ରୟଭାଜନ ହୋଇପାରିଛି । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ଚାରି ଦ୍ୱାରା ଖୋଲାଯିବା ସହ, ରନô ଭଣ୍ଡାର ଖୋଲାଯିବା, ଲୋକଙ୍କ ସମସ୍ୟା ବୁଝିବା ପାଇଁ ଜନଶୁଣାଣିକୁ ଅଗ୍ରାଧିକାର ଦିଆଯିବା, ସିଏମ କିଶାନ ଯୋଜନାରେ ୪୬ଲକ୍ଷ ଚାଷୀଙ୍କୁ ୨୦୦୦ ଟଙ୍କାର ପ୍ରଥମ କିସ୍ତି ପ୍ରଦାନ, ଚାଷୀମାନଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ଟଙ୍କା ପ୍ରଦାନ ନିଷ୍ପତ୍ତି ସୁଭଦ୍ରା ଯୋଜନାର ଶୁଭାରମ୍ଭ, ବଜେଟରେ ଶ୍ରୀମନ୍ଦିର ପାଇଁ ୫୦୦କୋଟି ଟଙ୍କା ବ୍ୟୟ ବରାଦ ଭଳି ଅନେକ ଯୋଜନା ହାତକୁ ନେଇଛନ୍ତି ବୋଲି ମନ୍ତ୍ରୀ କହିଥିଲେ । ଏଥିସହ ଆଗକୁ ପ୍ରତ୍ୟେକ ସବଡ଼ିଭିଜନରେ ଶୀତଳ ଭଣ୍ଡାର ଖୋଲାଯିବାକୁ ଯୋଜନା ଥିବା ମନ୍ତ୍ରୀ କହିଛନ୍ତି । ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳ ବେହେରା, ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସରକାରଙ୍କ ୧୦୦ ଦିନର ଜନକଲ୍ୟାଣ ଯୋଜନାଗୁଡ଼ିକ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରଗତିର ନୂତନ ସୂର୍ଯେ୍ୟାଦୟ, ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ଅଭୁ୍ୟଦୟ ଲକ୍ଷ୍ୟକୁ ପୂରଣ କରିବା ନିମନ୍ତେ ବକ୍ତାମାନେ ସହଯୋଗ କାମନା କରିଥିଲେ । ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନେ୍ଦ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମ ଅବସରରେ କଟକ ଜିଲ୍ଲାର ୫ଜଣ ସୁଭଦ୍ରା ହିତାଧିକାରୀଙ୍କୁ ୫ହଜାର ଟଙ୍କା ଲେଖାଏଁ ଚେକ ପ୍ରଦାନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ, ବିକାଶମେଳା ଅବସରରେ ୩ଦିନିଆ ପ୍ରଦର୍ଶନୀ ଆୟୋଜନ କରାଯାଇଛି । ଓରମାସ ତତ୍ୱାବଧାନରେ ଆୟୋଜିତ ଏହି ପ୍ରଦର୍ଶନୀରେ କୃଷି, ଗ୍ରାମୀଣ କୁଟୀର ଶିଳ୍ପ, ହସ୍ତତନ୍ତ, ହସ୍ତଶିଳ୍ପ, ମିଶନଶକ୍ତି, ମହିଳା ଓ ଶିଶୁ ବିକାଶ, ପ୍ରାଣୀ ସମ୍ପଦ, ପର୍ଯ୍ୟଟନ ଓ ବିଭିନ୍ନ ବିଭାଗର ପ୍ରାୟ ୩୦ରୁ ଅଧିକ ଷ୍ଟଲ ସ୍ଥାନ ପାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କଟକ ଜିଲ୍ଲାର ବରପୁତ୍ର, ବିଶିଷ୍ଟ ସାହିତି୍ୟକ, ପଦ୍ମ ତଥା ଏକାଡେମୀ ପୁରସ୍କାର ବିଜେତା ଭଳି ପ୍ରମୁଖ ବ୍ୟକ୍ତିବିଶେଷ, ଐତିହାସିକ ସ୍ଥଳୀ ଓ ଓଡ଼ିଆ ଅସ୍ମିତାକୁ ନେଇ ସୂଚନା ଓ ଲୋକସମ୍ପର୍କ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରୟାସରେ ଏକ ସ୍ୱତନ୍ତ୍ର ଷ୍ଟଲ ସ୍ଥାନ ପାଇଛି । ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି ।