ଖୋଲାଆକାଶ ତଳେ ବିତୁଛି କୃଷ୍ଣଚନ୍ଦ୍ରଙ୍କ ଜୀବନ

ସାଲେପୁରରୁ ସୁଜିତ୍ ଭୂୟାଁ :  ଦାଉ ସାଜିଲା ଲଘୁଚାପ ଜନିତ ବର୍ଷା । ଭୁଶୁଡି ପଡିଲା ଘର କାନ୍ଥ । ବର୍ଷାରେ ଏକ ମାତ୍ର ମାଟିଘରଟି ଭାଙ୍ଗିଯାଇଥିବାରୁ ଏବେ ଖୋଲା ଆକାଶ ତଳେ ଦିନ କାଟୁଛନ୍ତି ତିନି ପ୍ରାଣୀ କୁଟୁମ୍ବ । ଏଭଳି ଚିତ୍ର ଦେଖିବାକୁ ମିଳିଛି ବାଲିସାହି ପଞ୍ଚାୟତ ରୋଧପୁର ଗ୍ରାମରେ । ଗ୍ରାମର କୃଷ୍ଣଚନ୍ଦ୍ର ବାରିକ୍ ଏକ ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ ବର୍ତ୍ତମାନ ସେ ଠିକ୍ ଭାବେ କୌଣସି କାର୍ଯ୍ୟ କରିପାରୁନାହାଁନ୍ତି । ଫଳରେ ବହୁ କଷ୍ଟରେ ମାଟି ଛପର ଘର କରି ନିଜ ପରିବାରକୁ ପ୍ରତିପୋଷଣ କରୁଥିଲେ । ହେଲେ କଥାରେ ଅଛି ବିପଦ ଯେତେବେଳେ ଆସେ ତା’ର ଭାଇବନ୍ଧୁ କୁଟୁମ୍ବଙ୍କୁ ନେଇ ଆସେ । ସେହିଭଳି ଭାବେ ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷାରେ ତାଙ୍କର ଘରର କାନ୍ଥଟି ଭୁଶୁଡି ପଡିଛି । ତାଙ୍କର ଏକମାତ୍ର ମାଟି ଘରର ଚାରିପଟେ ପାଣି ଜମି ରହିଥିବା ଯୋଗୁଁ ଘରର କାନ୍ଥଟି ଭୁଶୁଡି ପଡିଲା । ଯାହାଫଳରେ ଏବେ କୃଷ୍ଣଚନ୍ଦ୍ର ନିଜ ପତ୍ନୀ ଓ ପୁଅକୁ ନେଇ ଖୋଲା ଆକାଶ ତଳେ ଦିନ କାଟୁଛନ୍ତି । ନିଜ ଘର ଭାଙ୍ଗିଯିବା ସଂପର୍କରେ ସାଲେପୁର ତହସିଲଦାରଙ୍କୁ ଅବଗତ କରାଇଥିଲେ ମଧ୍ୟ ଅଦ୍ୟାବଧି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । କୃଷ୍ଣଚନ୍ଦ୍ର ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିଲେ ମଧ୍ୟ ପକ୍କାଘର ଖଣ୍ଡେ ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ୍ କାର୍ଯ୍ୟାଳୟକୁ ଦୌଡ଼ି ଘର ଖଣ୍ଡେ ପାଇପାରିନାହାଁନ୍ତି । ଶେଷରେ କୌଣସି ଉପାୟ ନ ପାଇ ମାଟି କାନ୍ଥରେ ନିର୍ମିତ ଚାଳ ଛପର ଘରେ ନିଜର ଭାଗ୍ୟକୁ ଆଦରି ଦିନ କାଟୁଥିଲେ । କିନ୍ତୁ ତାହା ଏହି ଲଗାଣ ବର୍ଷା ଯୋଗୁଁ ସେ ମାଟି ଘର ଖଣ୍ଡେ ମଧ୍ୟ ଭାଙ୍ଗିଯାଇଛି । ବହୁ କଷ୍ଟରେ ବର୍ତ୍ତମାନ ଖୋଲାଆକାଶ ତଳେ କୃଷ୍ଣଚନ୍ଦ୍ର ଓ ତାଙ୍କ ପରିବାର ଦିନ କାଟୁଛନ୍ତି । ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ କୃଷ୍ଣଚନ୍ଦ୍ରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଗୃହ ଯୋଗାଇ ଦେବା ପାଇଁ ସେ ନିବେଦନ କରିଛନ୍ତି ।