ଆକର୍ଷଣ ସ୍ୱାମୀନାରାୟଣ ମନ୍ଦିର, ଚୁଙ୍ଗୁ ଓ ଦୁଲଦୁଲିରେ ଦୁଲିକିବ ଭସାଣି

ଆକର୍ଷଣ ସ୍ୱାମୀନାରାୟଣ ମନ୍ଦିର, ଚୁଙ୍ଗୁ ଓ ଦୁଲଦୁଲିରେ ଦୁଲିକିବ ଭସାଣି

ା ପ୍ରଭାନୁ୍ୟଜ ।ା ଭୁବନେଶ୍ୱର: ଧରାପୃଷ୍ଠରେ ଅବତରଣ କରିବେ ଜଗତଜନନୀ ଦୁର୍ଗତୀନାଶିନୀ ମାଆ ଦୁର୍ଗା । ସେଥିପାଇଁ ଖିଲି ଖିଲି ହସୁଛି କାଶତଣ୍ଡୀ । ଶରତ ଋତୁ ଆଗମନରେ ପାର୍ବଣର ମହକ । ଆଦ୍ୟ ପୂଜକ ଗଜାନନଙ୍କଠୁ ଆରମ୍ଭ ହୋଇଛି ପାର୍ବଣର ଋତୁ । ମାଆଙ୍କ ଆବିର୍ଭାବ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ପୁରପଲ୍ଲୀ ଠୁ ସହର । ଆସନ୍ତାକାଲି ଠୁ ପୀଠମାନଙ୍କରେ ଆରମ୍ଭ ହେଉଛି ଷୋଡଶ ଉପଚାର ପୂଜା । ଏପଟେ ମାଆଙ୍କ ଆବାହନ ପାଇଁ  ରାଜଧାନୀର ସବୁ ପୂଜାମଣ୍ଡପରେ ଦେଖା ଦେଲାଣି ତତ୍ପରତା । ସବୁଠି ଉତ୍ସାହ ଆଉ ଉକ୍ରଣ୍ଠା । ଚଳିତ ବର୍ଷ ପୂଜାକୁ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ  ଦିନରାତି ଏକ କରିଦେଇଛନ୍ତି ପୂଜା କମିଟି । କିଏ ମୂର୍ତ୍ତି ନିର୍ମାଣରେ ତ କିଏ ତୋରଣ ନିର୍ମାଣରେ ଆଉ କିଏ ଆଲୋକ ସଜ୍ଜା ଉପରେ ଦେଇଛନ୍ତି ଗୁରୁତ୍ୱ । ସେଥିରୁ ବାଦ ପଡିନି ରାଜଧାନୀର ପ୍ରମୁଖ ପୂଜା କମିଟି ରସୁଲଗଡ ଦୁର୍ଗାପୂଜା ପରିଚାଳନା କମିଟି । ସବୁ ବେଳେ ଚର୍ଚ୍ଚାରେ ରହି ଆସିଥିବା  ଏହି ପୂଜା ଏଥର ୩୨ ବର୍ଷରେ ପଦାର୍ପଣ କରିଛି । 


ସବୁ ବର୍ଷ ଭକ୍ତଙ୍କ ପ୍ରଶଂସା ସାଉଁଟି ଆସୁଛି ରସୁଲଗଡ ପୂଜା କମିଟି । ଚଳିତ ଥର ପୂଜାମଣ୍ଡପର ମୁଖ୍ୟ ଆକର୍ଷଣ ସାଜିବ ଗୁଜରାଟର ‘ସ୍ୱାମୀନାରାୟଣ ମନ୍ଦିର’ ଢାଞ୍ଚାରେ ତୋରଣ । କୋଲକାତା ଅଞ୍ଚଳର ୫୦ ଜଣ କାରିଗର ଦୁଇ ମାସ ହେବ ସ୍ୱାମୀ ନାରାୟଣ ମନ୍ଦିର ଢାଞ୍ଚାରେ ଏହି ତୋରଣ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି । ଯାହାର ଉଚ୍ଚତା ୯୦ଫୁଟ୍ ଏବଂ ଚଉଡା ୧୩୦ଫୁଟ୍ ରହିଛି ।  ସେହିପରି କୋଲକାତାର  ଅଞ୍ଚଳର ମୁଖ୍ୟ କାରିଗର ବିଦୁ୍ୟତ୍ ଜାନା ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି । ମା’ଙ୍କ ମେଢ ସହିତ ମୂର୍ତ୍ତିର ଉଚ୍ଚତା ୨୪ଫୁଟ୍ ଥିବାବେଳେ  ପାଶ୍ୱର୍ ଦେବଦେବୀ ଭାବେ ଲକ୍ଷ୍ମୀ, ସରସ୍ୱତୀ, ଗଣେଶ ଓ କାର୍ତ୍ତିକ ଶୋଭା ପାଇବେ । ଭକ୍ତଙ୍କ ସହଜ ଦର୍ଶନ ପାଇଁ ଏଥର ମଣ୍ଡପ ପରିସରରେ ଜାଗାକୁ ପ୍ରଶସ୍ତ କରାଯାଇଛି । ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ମାଆଙ୍କଠାରେ ଅନ୍ନଭୋଗ ଲାଗି ହେବ । ସପ୍ତମୀ ଦିନ ଖେଚୁଡି, ଅଷ୍ଟମୀରେ ଦହି ପଖାଳ ଓ ଦଶମୀରେ ପିଠା ଭୋଗ ଲାଗି ହେବ । ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୩ ହଜାର ଭକ୍ତଙ୍କୁ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ । ଦଶହରା ଅବସରରେ ଏଠାରେ ମେଲୋଡି ଏବଂ ବିଭିନ୍ନ ପାରମ୍ପରିକ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଷଷ୍ଠୀରେ ଭଜନ ସମାରୋହ ଓ ଅନ୍ୟ ସନ୍ଧ୍ୟାରେ ନାମୀ କଳାକାର ମେଲୋଡି ପରିବେଷଣ କରିବେ । 


ଏହାସହିତ ଚଳିତ ଥର ଜନସମାଗମ ବୃଦ୍ଧିକୁ ଦୃଷ୍ଟିରେ ରଖି ପୂଜା କମିଟି ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ମଣ୍ଡପରେ ପୂଜା କମିଟିର ୬୦ଜଣ ସ୍ୱେଚ୍ଛାସେବୀ ଓ ୫୦ଜଣ ସୁରକ୍ଷା କର୍ମୀ ନିୟୋଜିତ ହେବେ । ମଣ୍ଡପର ଭିଡ଼ ନିୟନ୍ତ୍ରଣ ସହିତ ଚୋରି ଓ ବିଶୃଙ୍ଖଳା ରୋକିବା ଦିଗରେ ସହାୟତା ପାଇଁ ୪୦ଟି ୱାକିଟକି ବ୍ୟବସ୍ଥା ସହିତ ବିଭିନ୍ନ ସ୍ଥାନରେ ୩୦ରୁ ଅଧିକ ସିସି କ୍ୟାମେରା ଖଞ୍ଜା ଯିବ । ମହିଳା, ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା ସହିତ ହୁଇଲ ଚେୟାର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷା ଭସାଣିରେ ପାରମ୍ପାରିକ ବାଦ୍ୟ ଯନ୍ତ୍ର ଓ ନୃତ୍ୟରେ ରହିଛି ଚୁଙ୍ଗୁ ବାଜା, ଘୋଡା ନାଚ, ଆଦିବାସୀ ନାଚ, ଘୁମୁରା ନାଚ, ଦୁଲଦୁଲି ବାଜା, ପଞ୍ଜାବୀ ବାଜା, ଘଣ୍ଟ ପାଟୁଆ,ସିଂହ ବାଜା, ବାଘ ବାଘୁଣୀ ନାଚ, ଚଢେଇ ନାଚ  ଭଳି ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ମୁଖ୍ୟ ଆକର୍ଷଣ ସାଜିବ । ଏଥର ପୂଜା ବଜେଟ ୪୫ରୁ ୫୦ ଲକ୍ଷ ରହିଥିବା କହିଛନ୍ତି କମିଟିର କୋଷାଧ୍ୟକ୍ଷ କରୁଣାକର ବଳିୟାରସିଂ ।