ମେଧାବୀ ଛାତ୍ରଛାତ୍ରୀଙ୍କ ପ୍ରତି ଅବିଚାର

ବେତନଟୀ: ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ୭ମଶ୍ରେଣୀର ଓ ୫ମ ଶ୍ରେଣୀର ବୃତ୍ତି ପରୀକ୍ଷା ଅନୁଷ୍ଠିତ ହେବାକୁ ମାଧ୍ୟମିକ ଶିକ୍ଷାବୋର୍ଡ ବିଜ୍ଞପ୍ତି ଜାରି କରିଛନ୍ତି । ଅକ୍ଟୋବର ୨୩ରେ ୭ମ ଓ ୨୫ ତାରିଖରେ ୫ମ ବୃତ୍ତି ପରୀକ୍ଷା କରାଯିବାକୁ ସ୍ଥିର ହୋଇଥିଲା, ଯାହାକି ସମ୍ଭାବ୍ୟ ବାତ୍ୟା ପାଇଁ ଘୁଞ୍ଚିଥିଲା । ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ , ଏହି ଦୁଇ ବୃତ୍ତି ପରୀକ୍ଷା ଗତ୨୦୨୩-୨୪ ଶିକ୍ଷାବର୍ଷର ଏବଂ ୨୦୨୪-୨୫ ଶିକ୍ଷାବର୍ଷର ଷାଣ୍ମାସିକ ପରୀକ୍ଷା ଗତ ଅକ୍ଟୋବର ତୃତୀୟ ସପ୍ତାହରେ ସମାପ୍ତ ହେବାପରେ ବିଗତ ବର୍ଷର ପାଠ୍ୟକ୍ରମକୁ ନେଇ ପରୀକ୍ଷା କରାଯାଉଛି । ଯାହାକି କୋମଳମତି ଓ ମେଧାବୀ ଛାତ୍ରଛାତ୍ରୀ ତଥା ସେମାନଙ୍କ ଅଭିଭାବକମାନଙ୍କୁ ମାନସିକ ଯନ୍ତ୍ରଣା ଦେଇଛି । ଏହା କେବଳ ଚଳିତ ବର୍ଷ ନୁହେଁ, ମାଧ୍ୟମିକ ଶିକ୍ଷାବୋର୍ଡର ପ୍ରତ୍ୟେକ ବର୍ଷ ଏକ ଅଭ୍ୟାସରେ ପରିଣତ ହୋଇଛି । ସରକାର ଯେପରି ଉଚ୍ଚବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଓ ସେମାନଙ୍କୁ ଉଚ୍ଚ ହାରରେ ଦରମା ଦିଅନ୍ତି, କିନ୍ତୁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତିରେ ଅହେତୁକ ବିଳମ୍ବ ଓ ଚୁକ୍ତିଭିତ୍ତିକ ଦରମା ଦେଇଚାଲିଛନ୍ତି ଠିକ୍ ମାଧ୍ୟମିକ ଶିକ୍ଷାବୋର୍ଡ ମଧ୍ୟ ପ୍ରାଥମିକ ସ୍ତରର ଛାତ୍ରଛାତ୍ରୀଙ୍କ ପ୍ରତି ସେଭଳି ଅବିଚାର କରିଚାଲିଛନ୍ତି । ପ୍ରଶ୍ନ ଆସେ ଯେ, ଚଳିତବର୍ଷର ପାଠ୍ୟକ୍ରମ ପଢି ନିଜକୁ ପ୍ରସ୍ତୁତ କରୁଥିବା ମେଧାବୀ ଛାତ୍ରଛାତ୍ରୀଗଣ ବର୍ଷ ମଝିରେ ବିଗତବର୍ଷର ପାଠ ପଢି ପୁଣି ବୃତ୍ତି ପରୀକ୍ଷା ଦେବେ, ଏହା କିପରି ବ୍ୟବସ୍ଥା । ସେହିଭଳି ଜିଲ୍ଲା ଶିକ୍ଷାଧିକାରୀମାନଙ୍କଦ୍ୱାରା ପରିଚାଳିତ ତୃତୀୟ ଶ୍ରେଣୀର ବୃତ୍ତି ପରୀକ୍ଷା ଅଧିକାଂଶ ଜିଲ୍ଲାରେ ଏଯାବତ୍ କରାଯାଇନାହିଁ । ଉଚ୍ଚÿସ୍ତରରେ ଶୀତତାପ ନିୟନ୍ତ୍ରିତ କୋଠରୀରେ ବସି ଏଭଳି ତ୍ରୁଟିପୂର୍ଣ୍ଣ ନିଷ୍ପତି ବିରୁଦ୍ଧରେ ସେମାନଙ୍କ ଉପରେ ଦଣ୍ଡବିଧାନ କରାଯାଉନାହିଁ କାହିଁକି ବୋଲି ରାଜ୍ୟସ୍ତରୀୟ ନିମ୍ନମାଧ୍ୟମିକ ଶିକ୍ଷକ ନେତା ସଚ୍ଚିଦାନନ୍ଦ ମହାନ୍ତି ଏଠାରେ ଦୃଢଦାବୀ ଜଣାଇଛନ୍ତି  ।