ବିନା ସୂଚନା ଫଳକରେ ଚାଲିଛି ଚଷାଖଣ୍ଡ-ପାଲଟପୁର ଗ୍ରାମ ଉନ୍ନୟନ ରାସ୍ତା
ମଙ୍ଗଳପୁର: ଯାଜପୁର ଗ୍ରାମ ଉନ୍ନୟନ ବିଭାଜ-୧ ଅନ୍ତର୍ଗତ ବିଞ୍ଝାରପୁର ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ଅଧିନସ୍ଥ ଦଶରଥପୁର ବ୍ଲକର ଚଷାଖଣ୍ଡ-ପାଲଟପୁର ସ୍କୁଲ ରାସ୍ତା ବିନା ସୂଚନା ଫଳକରେ ଚାଲିଛି । ଫଳରେ କାର୍ଯ୍ୟର ବ୍ୟୟ ଅଟକଳ ବାବଦରେ କେହି କିଛି ଜାଣିବାକୁ ପାଉନଥିବା ବେଳେ ଏହି ସୁଯୋଗରେ ଅନିୟମିତତା ଚାଲିଥିବାର ଅଭିଯୋଗ ହେଉଛି । ଅଭିଯୋଗ ମୁତାବକ ୫ କୋଟି ୩ ହଜାର ୪୦୪ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଉଛି । ୫ କିମି ୬୦୦ ମିଟର ନିର୍ମାଣଧୀନ ଏହି ରାସ୍ତାରେ ୬୦୦ ମିଟର ଫେବର ଓ ୫ କିମି ରାସ୍ତା ପିଚୁ ହେବାର ବ୍ୟବସ୍ଥା ରହିଛି । ମାତ୍ର କାର୍ଯ୍ୟ କରୁଥିବା ଠିକାଦାର ନିଜ ମର୍ଜିରେ କାର୍ଯ୍ୟ କରୁଥିବା ବେଳେ ମୁରାରୀପୁର ଗ୍ରାମ ମଧ୍ୟରେ କେତେକ ସ୍ଥାନରେ ଫେବର ବିଛାଯାଇଥିବା ବେଳେ ଆଉ କେତେକ ସ୍ଥାନରେ କାର୍ଯ୍ୟ ଅଧପନ୍ତରୀୟ ହୋଇ ପଡି ରହିଛି । ଯାହାଫଳରେ ଏହି ରାସ୍ତାରେ ଯାତାୟାତରେ ଅସୁବିଧା ହେଉଛି । ସାମାନ୍ୟ ବର୍ଷାରେ ଉକ୍ତ ସ୍ଥାନରେ ବର୍ଷା ପାଣି ଜମିରହି ଯାତାୟାତରେ ସମସ୍ୟା ସୃଷ୍ଟି କରିବା ସହିତ ପୁତି ଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ସେହିପରି କେତେକ ସ୍ଥାନରେ ନିମ୍ନମାନର କାର୍ଯ୍ୟ ଯୋଗୁଁ ଫେବର ଦବିଯାଇଛି । ସେହିପରି ରାସ୍ତାର ପ୍ରସ୍ଥ ୫.୫ ମିଟର ରହିବା ସହିତ ପିଚୁ କାର୍ଯ୍ୟ କରାଯିବା କଥା । ମାତ୍ର ତାହା ଆଦୌ କରାଯାଇନି । ସେହିପରି ରାସ୍ତାର ଉଭୟ ପାର୍ଶ୍ୱରେ ପକାଯାଉଥିବା ମାଟି ରାସ୍ତାରକଡ଼ୁ ଉଠାଯାଇଥିବାର ଦେଖାଯାଇଛି । ଯାହାଫଳରେ ଅଧପନ୍ତରୀୟା ରାସ୍ତାକାର୍ଯ୍ୟ ଯୋଗୁଁ ଏହି ରାସ୍ତା ଉପରେ ଯାତାୟାତ କରୁଥିବା ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲାପାଳ ଓ ବିଭାଗୀୟ ବରିଷ୍ଠ ଅଧିକାରୀ ରାସ୍ତା ନିର୍ମାଣ କାର୍ଯ୍ୟରେ ହେଉଥିବା ଅନିୟମିତତାର ତଦନ୍ତ କରିବା ସହିତ ଓ ଗମନାଗମନରେ କ୍ଷେତ୍ରରେ ହେବାକୁ ଥିବା ସମସ୍ୟାକୁ ଦୃଷ୍ଟିରେ ରଖି ରାସ୍ତା କାର୍ଯ୍ୟ ଶୀଘ୍ର ସମାପ୍ତ କରିବା ପାଇଁ ସାଧାରଣରେ ଦାବି ହୋଉଛି ।