ହେଉନି ରକ୍ଷଣା ବେକ୍ଷଣ : ଜରାଜୀର୍ଣ୍ଣ ଅବସ୍ଥାରେ କୋଟିଏ ଟଙ୍କାର ବାୟୋ ମାଇନିଂ ପାର୍କ

 ବ୍ୟାସନଗର : ସହରର ଦୃତ ପ୍ରଗତି ଓ ଜନସଂଖ୍ୟା ଦୃଷ୍ଟିକୁ ରଖି ଚିତବିନୋଦନ ସହ ଶାରୀରିକ ବ୍ୟାୟାମର ସୁବିଧା ଉପଲବ୍ଧ ପାଇଁ ବ୍ୟାସନଗର ପୌରାଞ୍ଚଳର କାଚହୁଡ଼ି ସାହି ଠାରେ ବୃହତ ପାର୍କ ନିର୍ମାଣ କରାଯାଇଥିଲା । ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ କୋଟିଏରୁ ଊଦ୍ଧ୍ୱର୍ ଟଙ୍କା ଉକ୍ତ ପାର୍କ ପାଇଁ ଯୋଗାଇ ଦିଆଯାଇଥିଲା । ଛୁଆ ଠୁ ବଡ଼ ପର୍ଯ୍ୟନ୍ତ ଶାରୀରିକ ବ୍ୟାୟାମ କରିବା ପାଇଁ ଆବଶ୍ୟକ ଉପକରଣ ଲଗାଯାଇଥିଲା । ବ୍ୟାସନଗର ପୌରପରିଷଦ ପରିଚାଳନାରେ ନିର୍ମିତ ପାର୍କ ୨୦୨୧ ମସିହା ଡିସେମ୍ବର ମାସ ୧୫ ତାରିଖରେ ସେସମୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫ୍ରେନ୍ସିଂ ମାଧ୍ୟମରେ ଲୋକାର୍ପଣ କରିଥିଲେ । ହେଲେ ବର୍ଷ ୩ଟାରେ ସଂପୃକ୍ତ ପାର୍କର ଅବସ୍ଥା ବେହାଲ ହୋଇପଡ଼ିଛି । ରକ୍ଷଣା ବେକ୍ଷଣ ଅଭାବରୁ କୋଟିଏରୁ ଊଦ୍ଧ୍ୱର୍ ଟଙ୍କାରେ ନିର୍ମିତ ପାର୍କ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି । ସକାଳ ୫ରୁ ୮ ଏବଂ ସନ୍ଧ୍ୟା ୪ରୁ ୭.୩୦ ପର୍ଯ୍ୟନ୍ତ ଖୋଲୁଥିବା ଏହି ପାର୍କର ମୁଖଶାଳ ଅକ୍ଷତ ରହିଥିଲେ ହେଁ ଭିତର କିନ୍ତୁ କ୍ଷତବିକ୍ଷତ ଅବସ୍ଥା । ୨ଏକର ୬୭ ଡିସିମିଲ ଜମି ଉପରେ ନିର୍ମିତ ପାର୍କକୁ ଯଦିଏ ସକାଳ ସଞ୍ଜରେ କେହି କେହି ସମୟ କାଟିବା ଏବଂ ବ୍ୟାୟାମ କରିବାକୁ ଯାଉଛନ୍ତି, କିନ୍ତୁ ଲାଗିଥିବା ଉପକରଣ ଭାଙ୍ଗିତୁଟି ଯାଇଥିବାରୁ ସେସବୁର ଉପଯୋଗ କରିପାରୁ ନାହାନ୍ତି । ଯେତିକି ବି ସଚଳ ଅଛି, ସେ ସ୍ଥାନ ଅନାବନା ଘାସରେ ପରିପୂର୍ଣ୍ଣ ହୋଇପଡ଼ିଥିବାରୁ ବ୍ୟାୟାମ କରିବାକୁ ସେ ସ୍ଥାନକୁ ଯିବାର ଭୟ ଘାରିଛି । ଅନାବନା ଘାସ ଘେରି ରହିଥିବାରୁ ଶରୀଶ୍ରୁପଙ୍କ ବାସସ୍ଥାନ ପାଲଟିଛି । ପଦଚଲା ରାସ୍ତାକୁ ମାଡ଼ି ଯାଇଛି ଘାସ । ବ୍ୟାୟମ କରିବାକୁ ଲାଗିଥିବା ଚିମ ଉପକରଣ ଚାରିପାଖ ଜଙ୍ଗଲରେ ପରିପୂର୍ଣ୍ଣ ହୋଇପଡ଼ିଛି । ଟିକେ ଆରାମ ପାଇଁ ସ୍ଥାନେ ସ୍ଥାନେ କରାଯାଇଥିବା କାଠ ଓ ଲୁହାର ଚେୟାର ବସିବା ଉପଯୋଗ ହୋଇ ନାହିଁ । ପାର୍କକୁ ଆଲୋକୀରଣ କରିବା ବା ସୌନ୍ଦର୍ଯ୍ୟ କରଣ କରିବାକୁ ଲାଗିଥିବା ମୂଲ୍ୟବାନ ବିଦୁ୍ୟତ ସାମଗ୍ରୀ ନଷ୍ଟ ହୋଇପଡ଼ିଥିବାରୁ ସଞ୍ଜ ହେଲେ ପାର୍କକୁ ଅନ୍ଧାର ମାଡ଼ି ଆସୁଛି । କେବଳ ଏତକ ନୁହେଁ ପାର୍କକୁ ସୁରକ୍ଷିତ ରଖିବାକୁ ବହୁଲକ୍ଷରେ କରାଯାଇଥିବା ପାଚେରି ମଧ୍ୟ ଗଳିପଡ଼ିଲାଣି । ପୌର ପରିଷଦ ଅଧିନ ଏହି ପାର୍କ ରକ୍ଷଣା ବେକ୍ଷଣକୁ ନଜର ଅନ୍ଦାଜ କାରଣରୁ ଏଭଳି ଅବସ୍ଥା ହୋଇଛି । ପାର୍କ ଉଦ୍ଘାଟନ ପରେ ଏକ ଏଜେନ୍ସିକୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ସଂପୃକ୍ତ ଏଜେନ୍ସିକୁ ମାସିକ ୧ଲକ୍ଷ ୨୦ହଜାର ଟଙ୍କା ପ୍ରଦାନ କରାଯାଉଥିଲା । ଏଜେନ୍ସି ହାତରେ ଥିବା ବେଳେ ପାର୍କ ଠିକଠାକ୍ ରହିଥିଲା । କିନ୍ତୁ ଏଜେନ୍ସି ବିଦା ହେବା ପରେ ଅବସ୍ଥା ସାଂଘାତିକ ଆଡ଼କୁ ଗତିକଲା । ପୌରପରିଦ ପକ୍ଷରୁ ରକ୍ଷଣା ବେକ୍ଷଣା ନିମନ୍ତେ କାଁ ଭାଁ କେତେ ବେଳେ ୩/୪ଜଣ ସଫେଇ କର୍ମଚାରୀଙ୍କୁ ପଠାଇ ଦିଆଯାଇଥାଏ । ଯେଉଁ ମାନଙ୍କ ପାଇଁ ପାର୍କ ସଫେଇ କରିବାକାଠିକର ବ୍ୟାପାର ହୋଇଥାଏ । ସମୟ ମଧ୍ୟରେ ଯେତିକି ଘାସ ସଫା କରି ଫେରି ଆସିଥାନ୍ତି, ସତ ହେଲେ ତାହା ଦିନ କେଇଟା ପରେ ପୁଣି ମାଡ଼ିଥାଏ । ଅଢେଇ ଏକର ଜମି ଉପରେ ନିର୍ମିତ ପାର୍କ ରକ୍ଷଣା ବେକ୍ଷଣ ପାଇଁ ନିୟମିତ କର୍ମଚାରୀର ଆବଶ୍ୟକ ରହିଥିବା ବେଳେ ପୌରପରିଷଦ କିନ୍ତୁ ତାହା ଯୋଗାଇଦେବାକୁ ସମର୍ଥ ହୋଇପାରୁନି । କୋଟିଏ ଟଙ୍କାର ପାର୍କ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଥିବାରୁ ଏଥିପ୍ରତି ଜିଲାପାଳ ଏବଂ ପୌର କର୍ତ୍ତୁପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ପୌରବାସୀ ଦାବି କରିଛନ୍ତି ।