ବିଜେଡ଼ିକୁ ଫେରିଲେ ଗେଡ଼ି; ନିଶ୍ୱାସ ମାରିଲେ ବିଶ୍ୱ


ାା ପ୍ରଭାନୁ୍ୟଜ ।ା ଯାଜପୁର : ମଙ୍ଗଳବାର ବରୀ ବିଧାୟକ ବିଶ୍ୱରଞ୍ଜନ ମଲିକଙ୍କୁ ଜବର ଝଟକା ଦେଇ ବିଜେପି ମିଶିଥିବା ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡ଼ି ବିଜେଡ଼ିକୁ ବାହୁଡ଼ିଛନ୍ତି । ଶଙ୍ଖ ଭବନରେ ବିଧାୟକ ବିଶ୍ୱଙ୍କ ସହ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲିକ, ପ୍ରାକ୍ତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ପ୍ରତାପ ଜେନାଙ୍କ ଉପସ୍ଥିତିରେ ଗେଡ଼ିଙ୍କ ଘର ବାହୁଡ଼ା ହୋଇଛି । ଗେଡ଼ି ୧୮ ପଞ୍ଚାୟତ ପ୍ରତିନିଧିଙ୍କୁ ସାଙ୍ଗରେ ଧରି ଚଳିତମାସ ୧୬ତାରିଖରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମଧରିଥିଲେ । ଯାହା ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଥିଲା । ଗେଡ଼ି ବିଧାୟକ ବିଶ୍ୱଙ୍କ ଦ୍ୱାରା ଚୟନିତ ବ୍ଲକ ଅଧ୍ୟକ୍ଷ ହୋଇଥିବା ବେଳେ ହଠାତ ତାଙ୍କ ହାତ ଛାଡ଼ି ଉମେଶ ଜେନାଙ୍କ ନେତୃତ୍ୱରେ ବିଜେପିରେ ଯୋଗ ଦେବା ପରେ୨୯ ପଞ୍ଚାୟତ ବିଶିଷ୍ଟ ବରୀ ବ୍ଲକ ବିଜେଡ଼ି କବଳରୁ ମୁକ୍ତ ହେବାକୁ ଯାଉଥିବା ଆଲୋଚନା ଯୋରଧରିଥିଲା । ଗେଡ଼ି ହାତଛାଡ଼ିବା ବିଶ୍ୱଙ୍କ ନିଦ ହଜାଇ ଦେଇଥିଲା । ଗୋଟେ ପଟେ ବ୍ଲକ ଖସିଯିବାର ଆଶଙ୍କା ଏବଂ ଅନ୍ୟପଟେ ବିଜେଡ଼ି ହାଇକମାଣ୍ଡଙ୍କ ପାଖରେ ଭାବମୂର୍ତ୍ତିରେ ମଳିନ ପଡ଼ିିବା ବିଶ୍ୱଙ୍କୁ ଅଣ ନିଶ୍ୱାସି କରି ଦେଇଥିଲା । ଗେଡ଼ିଙ୍କ ସହ ଯାଇ ପଦ୍ମଧରିଥିବା ଦୁଇଜଣ ପଞ୍ଚାୟତ ପ୍ରତିନିଧି (ସମିତିସଭ୍ୟ) ଦୁଇଦିନ ତଳେ ବିଜେଡ଼ିକୁ ଫେରିବା ଘଟଣା ବରୀରେ ଦଳଡ଼ିଅାଁ ଖେଳ ଚାଲିଥିବା ‘ସୂର୍ଯ୍ୟପ୍ରଭା’ ଲେଖିଥିଲା । ଆଜି ଗେଡ଼ି ବିଜେଡ଼ିକୁ ଫେରିବା ପରେ ଆରମ୍ଭ ହୋଇଥିବା ଖେଳ ଆଗକୁ ଚାଲିବ ବୋଲି ସ୍ପଷ୍ଟ ଜଣାପଡ଼ିଯାଉଛି । ଦଳଡ଼ିଅାଁ ଖେଳ ଯୋଗୁ ବ୍ଲକ ହାତଛଡ଼ା ଆଶଙ୍କାରେ ଥିବା ବିଶ୍ୱ ଗେଡ଼ି ଫେରିବା ପରେ ନିଶ୍ଚିନ୍ତ ନିଶ୍ୱାସ ମାରିବେ । ତେବେ ଦଳଡ଼ିଅାଁ ଖେଳ ଆଗକୁ କେଉଁ ରୂପ ନେଉଛି, ତାହତ ସମୟ କହିବ, ହେଲେ ଏହା ବରୀ ରାଜନୀତିକୁ ସରଗରମ କରିଛି । ଦଳଡ଼ିଅାଁ ଖେଳରେ ଗୋଟେ ପଟେ ବିଶ୍ୱ ରହିଥିବା ବେଳେ ଅନ୍ୟ ପଟେ ବିଜେପି ସହ ବରୀର ପ୍ରାକ୍ତନ ନେତା ହାତମିଳାଇ ଖେଳକୁ ମଜାଦାର କରିବାକୁ ଲାଗିପଡ଼ିଥିବା କୁହାଯାଉଛି । ଆଉ ଶେଷ ସମୟରେ ଖେଳରେ କିଏ ବିଜେତା ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।