ସବାଇଘାସ କାରିଗରଙ୍କ ପାଇଁ ସୁବିଧାକେନ୍ଦ୍ର
କଳା ଓ ସଂସ୍କୃତିର ରାଜ୍ୟ ହସ୍ତଶିଳ୍ପ ପାଇଁ ବିଶେଷ ପ୍ରସିଦ୍ଧ । ଓଡିଆ ହସ୍ତଶିଳ୍ପ କାରିଗରଙ୍କ ସୂକ୍ଷ୍ମ କଳା ଓ ନୈପୁଣ୍ୟ ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି । ରାଜ୍ୟ ସରକାରଙ୍କ ଅନୁମୋଦିତ ମୋଟ ୫୧ ଗୋଟି ହସ୍ତଶିଳ୍ପରେ ଓ ୧.୬୦ ଲକ୍ଷରୁ ଉଦ୍ଧ୍ୱର୍ କାରିଗର କାର୍ଯ୍ୟରତ । ହସ୍ତଶିଳ୍ପ କ୍ଷେତ୍ର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆତ୍ମନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେଉଛି ।
ଏହି କ୍ରମରେ ସବାଇ ଘାସ ହସ୍ତଶିଳ୍ପ କାରିଗରଙ୍କ ଉତ୍ପାଦିକତା ବୃଦ୍ଧି ତଥା ଆଧୁନିକ ଯନ୍ତ୍ରପାତି ବ୍ୟବହାର କରି ଅଳ୍ପ ସମୟରେ ଅଧିକ ସାମଗ୍ରୀ ପ୍ରସ୍ତୁତ କରିବା ନିମନ୍ତେ ମୟୂରଭଞ୍ଜ ଜିଲ୍ଲାର ବାରିପଦା ବ୍ଲକ ଅନ୍ତର୍ଗତ ରଙ୍ଗମାଟିଆ ଠାରେ ଏକ ସାଧାରଣ ସୁବିଧା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହି ପ୍ରକଳ୍ପଟି ପ୍ରାୟ ୧.୫୦ କୋଟି ଟଙ୍କା ବ୍ୟୟରେ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମର ଆର୍ଥିକ ସହାୟତାରେ ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ମୟୂରଭଞ୍ଜ ଜିଲ୍ଲାର ପ୍ରାୟ ୧୦୦୦ ସବାଇ ଘାସ କାରିଗର ଉପକୃତ ହେବେ । ଏହି ସାଧାରଣ ସୁବିଧା କେନ୍ଦ୍ରକୁ ବିଧାୟକ ପ୍ରକାଶ ସୋରେନ ଶୁଭ ଉଦଘାଟନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଶିଶିର କୁମାର ରଥ, ଯୁଗ୍ମ ନିଦେ୍ର୍ଦଶକ, ହସ୍ତଶିଳ୍ପ ନିଦେ୍ର୍ଦଶାଳୟ, ସୌମ୍ୟା ସୁରଭିତା ସିଂହ, ଉପ ନିଦେ୍ର୍ଦଶକ ହସ୍ତଶିଳ୍ପ, ମୟୂରଭଞ୍ଜ ଓ ମାନଗୋବିନ୍ଦ ଜେନା, ସହକାରୀ ନିଦେ୍ର୍ଦଶକ, ହସ୍ତଶିଳ୍ପ ନିଦେ୍ର୍ଦଶାଳୟ ଓ ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମର ଅଧିକାରୀ ନିହାର କାନ୍ତ ସାହୁ, ଟିମ ଲିଡର ଓ ମହେନ୍ଦ୍ର ପାଢୀ, ବଡଜୋଡ ଅଞ୍ଚଳର ସମାଜସେବୀ କାଳୀ ଚରଣ ନାଏକଙ୍କ ସମେତ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।