ରାଗିଗଲେ ନବୀନ, କହିଲେ ଏମିତି କଥା

Naveen Patanaik, Odisha

ରାଗିଗଲେ ନବୀନ, କହିଲେ ଏମିତି କଥା

ଭୁବନେଶ୍ୱର : ଭରତପୁର ଥାନାରେ ଯେପରି ଭାବରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳାଙ୍କୁ ନିର୍ଯ୍ୟାତନା ଦିଆଗଲା ତାହାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦୃଢ଼ ନିନ୍ଦା କରିବା ସହ ଏ ଘଟଣାକୁ ଲୋମହର୍ଷଣକାରୀ ଓ କଳ୍ପନାତୀତ ବୋଲି ବର୍ଣ୍ଣନା କରିଛନ୍ତି  । ଥାନା ଭିତରେ ପୋଲିସ ଯେଭଳି ନିର୍ଦ୍ଦୟ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ତାହା ସାରା ଦେଶର ବିବେକକୁ ଦୋହଲାଇ ଦେଇଛି  । ଓଡିଶା ଭିତରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳାଙ୍କ ପ୍ରତି ଏଭଳି ଅତ୍ୟାଚାର ଅତ୍ୟନ୍ତ ଦୁଃଖଦାୟକ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି  ।

ଏହି ନାରକୀୟ ଘଟଣାକୁ ବିଜେଡ଼ି ଦୃଢ଼ ନିନ୍ଦା କରିବା ସହ ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ବିଜେପି ସରକାର ଗ୍ରହଣ କରିବେ ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି  ।

ଶ୍ରୀ ପଟ୍ଟନାୟକ କହିଛନ୍ତି, ତାଙ୍କ ସରକାର ସମୟରେ ମୋ ସରକାର ବ୍ୟବସ୍ଥା ଥିଲା  । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଥାନା ଓ ଡାକ୍ତରଖାନା ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ନାଗରିକମାନଙ୍କ ଠାରୁ କର୍ମଚାରୀମାନଙ୍କ ବ୍ୟବହାର ଓ ବୃତ୍ତିଗତ ଦକ୍ଷତା ସଂମ୍ପର୍କରେ ମତାମତ ସଂଗ୍ରହ କରୁଥିଲେ  । ବିଜେପି ଶାସନକୁ ଆସିବା ପରେ ତୁରନ୍ତ ମୋ ସରକାର ପରି ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ବନ୍ଦ କରିଦେଲେ  । ଯାହାର ପରିଣାମ ଏବେ ସର୍ବତ୍ର ଦୃଶ୍ୟମାନ  ।

ପୁରୀ ରାଜଭବନ ଘଟଣାରେ ଦାୟିତ୍ୱ ସମ୍ପାଦନ କରୁଥିବା ଜଣେ ସରକାରୀ ଅଧିକାରୀଙ୍କ ଉପରେ ରାଜ୍ୟପାଳଙ୍କ ପୁଅ ଆକ୍ରମଣ କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ମନା କରିଦେବା ଦ୍ୱାରା ଏହା ଅପରାଧୀମାନଙ୍କୁ ଉତ୍ସାହିତ କରିଛି  । ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଁ ପୁଣି ଥରେ ସରକାରଙ୍କୁ ଅନୁରୋଧ କରୁଛି  । ଭରତପୁର ଥାନାରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳାଙ୍କ ଉପରେ ଯେଭଳି ଜଘନ୍ୟ ଅତ୍ୟାଚାର କରାଗଲା ତାର କୋର୍ଟ ତତ୍ୱାବଧାନରେ ଏସଆଇଟି ତଦନ୍ତ ସହ ଶ୍ରୀ ପଟ୍ଟନାୟକ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି  ।