ନକଲି ଡାକ୍ତର, ବେଆଇନ୍ କ୍ଲିନିକ୍

ଚିକିତ୍ସା ସେବାକୁ ବୃତ୍ତି ଭାବରେ ଗ୍ରହଣ କରି ଲୋକଙ୍କର ସେବା କରିବା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ଏଭଳି କାର୍ଯ୍ୟ ପାଇଁ ନିର୍ଦ୍ଦିଷ୍ଟ କିଛି ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ରହିଛି । ତେବେ ଏଭଳି ଶିକ୍ଷାଗତ ଯୋଗ୍ୟତା ନଥାଇ ମଧ୍ୟ କିଛି ବ୍ୟକ୍ତି କ୍ଲିନିକ୍ ଖୋଲି ରୋଗୀ ଚିକିତ୍ସା କରୁଥିବା ସମୟରେ ଧରାପଡ଼ିଛନ୍ତି । ଆଉ କେତେକ କ୍ଷେତ୍ରରେ ଡ଼ାକ୍ତରୀ ଶିକ୍ଷାର ନକଲି ସାର୍ଟିଫିକେଟ୍ ଦେଇ ଚାକିରି ମଧ୍ୟ କରୁଥିବାର ଠକମାନେ ଧରାପଡ଼ିଥିବା ଦେଖାଯାଇଛି । ସେହିଭଳି ଏକ ଘଟଣା ଏବେ ବଲାଙ୍ଗୀର ଜିଲ୍ଲାରେ ଧରାପଡ଼ିଛି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ର ସିନେ୍ଧକେଲା ଠାରେ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର ପଲାଶ କୁମାର ବିଶ୍ୱାସ ନାମକ ଜଣେ ବ୍ୟକ୍ତି ନିଜକୁ ଡ଼ାକ୍ତର ବୋଲି ପରିଚୟ ଦେଇ ଦୀର୍ଘ ୧୦ ବର୍ଷ ତଳେ ଏକ କ୍ଲିନିକ୍ ଖୋଲିଥିଲେ । ୧୦ ବର୍ଷ ଧରି ସେ ସ୍ଥାନୀୟ ଅଞ୍ଚଳରେ ରୋଗୀଙ୍କର ଚିକିତ୍ସା କରି ଆସୁଥିଲେ । ତାଙ୍କ ଚିକିତ୍ସା ଫଳରେ କେତେ ରୋଗୀ ସୁସ୍ଥ ହେଲେ ଆଉ କେତେ ରୋଗୀ ସୁସ୍ଥ ହେଲେ ନାହିଁ ବା ମୃତୁ୍ୟମୁଖରେ ପଡ଼ିଲେ ସେସବୁର ୧୦ ବର୍ଷର ଇତିହାସ ଏବେ ଖୋଜିବା ସମ୍ଭବ ନୁହେଁ । ତେବେ ଏଭଳି ଏକ ଘଟଣା ନିର୍ବିଘ୍ନରେ ଚାଲିଥିବା ବେଳେ କିଛି ଦିନ ତଳେ ତାଙ୍କ ଚିକିତ୍ସା ଫଳରେ ଜଣେ ମହିଳାଙ୍କ ମୃତୁ୍ୟ ଘଟିଲା । ଏହି ମୃତୁ୍ୟର ଅଭିଯୋଗ ସିନେ୍ଧକେଲା ଥାନାକୁ ଆସିବା ପରେ ଜିଲ୍ଲା ଭେଷଜ ନିରୀକ୍ଷକ ଏବଂ ପୁଲିସ୍ ଟିମ୍ କ୍ଲିନିକ୍ ଉପରେ ଚଢ଼ାଉ କରିଥିଲେ । ତାହା ପରେ ତାଙ୍କର ଅସଲ ପରିଚୟ ଧରା ପଡ଼ିଥିଲା । ଗତ ୧୦ ବର୍ଷ ଭିତରେ ହଜାର ହଜାର ରୋଗୀଙ୍କର ଜୀବନ ସହିତ ଖେଳ ଖେଳି ସେ ଅର୍ଥ ଉପାର୍ଜନ କରିଛନ୍ତି । ଏହି ଘଟଣା ଅତ୍ୟନ୍ତ ଗୁରୁତର ଏବଂ କେତେଯେ ଲୋକ ତାଙ୍କ ଚିକିତ୍ସା ଫଳରେ ରୋଗର ସାଧାରଣ ଅବସ୍ଥାରୁ ଜଟିଳ ଅବସ୍ଥାକୁ ଆସି ହୁଏତ ମୃତୁ୍ୟବରଣ କରିଥିବେ କିମ୍ବା ଅତି ମାତ୍ରାରେ ଆର୍ଥôକ ଭାବରେ କ୍ଷତିଗ୍ରସ୍ତ ହୋଇଥିବେ ବର୍ତ୍ତମାନ ଏସବୁର ହିସାବ କିଛି ହୁଏତ ମିଳିପାରେ; କିନ୍ତୁ ସବୁ ମିଳିବ ନାହିଁ । 
ଦୀର୍ଘ ୧୦ ବର୍ଷ ଧରି ଗୋଟିଏ ରାଜ୍ୟରୁ ଆସି ଅନ୍ୟ ଏକ ରାଜ୍ୟରେ ଡ଼ାକ୍ତରୀ କ୍ଲିନିକ୍ ଖୋଲି ସ୍ୱାସ୍ଥ୍ୟସେବାର ବ୍ୟବସାୟ ଚଳାଇବା କିଛି ଛୋଟିଆ କଥା ନୁହେଁ । ଏ ପର୍ଯ୍ୟନ୍ତ କିପରି ତାଙ୍କୁ କେହି ଧରି ପାରିଲେ ନାହିଁ ତାହା ହେଉଛି ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ କଥା । ରାଜ୍ୟରେ ଏହିଭଳି ଆଉ କେଉଁଠାରେ ନକଲି କ୍ଲିନିକ୍ ଚାଲୁଛି କି ନାହିଁ ସେ ସମ୍ପର୍କରେ ଟିକିନିଖି ତଥ୍ୟ ହାସଲ କରିବାର ଆବଶ୍ୟକତା ଉପୁଜିଲାଣି । ଏମିତି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଗୁଣିଆମାନେ ରୋଗୀଙ୍କ ଚିକିତ୍ସା କରୁଥିବା ଦେଖାଯାଇଛି । ଗୁଣିଆମାନେ କେଉଁ ପଦ୍ଧତିରେ ରୋଗୀ ଚିକିତ୍ସା କରନ୍ତି ତାହା ମେଡ଼ିକାଲ୍ ଚିକିତ୍ସା ଠାରୁ ଭିନ୍ନ । ତେଣୁ ସେମାନଙ୍କ ଚିକିତ୍ସା ହଠାତ୍ ଚିହ୍ନି ହୋଇଯାଏ । କିନ୍ତୁ ନକଲି ଡ଼ାକ୍ତର ସାଜି କ୍ଲିନିକ୍ ଖୋଲି ଚିକିତ୍ସା କରୁଥିବା ଲୋକକୁ ଧରିବା ଏତେ ସହଜ ନୁହେଁ । ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା, ଡ଼ାକ୍ତରୀ ପ୍ରମାଣପତ୍ର, ଚିକିତ୍ସା ବୃତ୍ତି ପାଇଁ କରୁଥିବା ମେଡ଼ିକାଲ୍ ଲାଇସେନ୍ସ ଆଦି ସବୁ କିଛିକୁ ଯାଞ୍ଚ୍ କରିଲେ ଯାଇ ଏ ପ୍ରକାରର ଠକମାନେ ଧରାପଡ଼ନ୍ତି । 
ବର୍ତ୍ତମାନ ରାଜ୍ୟର ଗ୍ରାମାଞ୍ଚଳରେ ଯେତେ କ୍ଲିନିକ୍ ରହିଛି ସବୁଗୁଡ଼ିକର ଯାଞ୍ଚ୍ ହେବାର ଆବଶ୍ୟକତା ଅଛି । ଏ ପ୍ରକାରର ଡ଼ାକ୍ତରମାନେ ମୁଖ୍ୟତଃ ବେଆଇନ୍ ଗର୍ଭପାତ ଭଳି କାର୍ଯ୍ୟ ମାଧ୍ୟମରେ ବିପୁଳ ଅର୍ଥ ରୋଜଗାର କରିଥାନ୍ତି । ଔଷଧ ଦେବା କ୍ଷେତ୍ରରେ କିଛି ସାଧାରଣ ରୋଗ ପାଇଁ ଦିଆଯାଉଥିବା ଔଷଧର ନାମକୁ କୌଣସି ଉପାୟରେ ଜାଣିଥାନ୍ତି । ତେଣୁ ଜଣେ ରୋଗୀ ଆସିଲେ ତାଙ୍କୁ ସେହି ପ୍ରକାରର ଔଷଧ ଦେଇ ଚିକିତ୍ସା କରନ୍ତି । ଏ ପ୍ରକାରର ବ୍ୟକ୍ତିମାନେ ଜାଣିଶୁଣି ଲୋକଙ୍କ ଜୀବନ ସହିତ ଖେଳ ଖେଳୁଥିବାରୁ ଏମାନଙ୍କୁ କଠୋରରୁ କଠୋରତମ ଦଣ୍ଡ ଦିଆଯିବା ଆବଶ୍ୟକ ।