ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ : ଜଣେ ଡାକ୍ତରଙ୍କ କାନ୍ଧରେ ୫୫୮୪ରୋଗୀଙ୍କ ଭାର


ବାରିପଦାରୁ ପ୍ରୟାଗରାଜ କର : ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବିପର୍ଯ୍ୟସ୍ତ ହେଉଛି ସ୍ୱାସ୍ଥ୍ୟସେବା । ଜିଲ୍ଲାରେ ବର୍ଷକ ବାରମାସରେ ନାନା ରୋଗ ଅଧିବାସୀଙ୍କୁ କବଳିତ କରୁଛି । କେତେବେଳେ ଆନ୍ଥ୍ରାକ୍ସ ତ କେତେବେଳେ ଡାଇରିଆ । ଆଉ କେତେବେଳେ ସଂକ୍ରାମକ ରୋଗ ଜିଲ୍ଲାବାସୀଙ୍କୁ ଆକ୍ତାମାକ୍ତ କରି ପକାଉଛି । ଏହି ସଂକ୍ରାମକ ଓ ଅଣସଂକ୍ରାମକ ରୋଗର ନିରାକରଣ କରିବାକୁ ନାହାନ୍ତି ଉପଯୁକ୍ତ ଡାକ୍ତର । ଥରେ ଚାକିରି ପାଇବା ପରେ ମୟୂରଭଞ୍ଜ ଆସି ଯାଉଛନ୍ତି ଯେ ଫେରିବାକୁ ନାଁ ଧରୁ ନାହାନ୍ତି । ସାମାନ୍ୟ ପେଟ ଦରଜ ହେଲେ ମୟୂରଭଞ୍ଜ ପିଆରଏମ ମେଡିକାଲ କଲେଜ ପାଲଟିଛି ରେଫରାଲ ମେଡିକାଲ । ଏହି ଠାରୁ କଲିକତା, ଭୁବନେଶ୍ୱର, କଟକ ଓ ରାୟପୁରକୁ ରୋଗୀ ସ୍ଥାନାନ୍ତର ହୋଇ ରୋଗୀ ଓ ରୋଗୀଙ୍କ ପରିବାର ହନ୍ତସନ୍ତ ହେଉଥିବାବେଳେ ଡାକ୍ତରଙ୍କ ନିଯୁକ୍ତି ହୋଇପାରୁନାହିଁ । ଖାଲି ସେତିକି ନୁହେଁ ଜିଲ୍ଲାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନାହାନ୍ତି ବିଶେଷଜ୍ଞ । ଏପରିକି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଗାଁ ରାଇରଙ୍ଗପୁରରେ ନିଶ୍ଚେତକ ବିଶେଷଜ୍ଞ ନ ଥିବାବେଳେ ଜିଲ୍ଲାରେ ଶିଶୁରୋଗ ବିଶେଷଜ୍ଞ, ମାନସିକରୋଗ ବିଶେଷଜ୍ଞ, ସର୍ଜରୀ ବିଶେଷଜ୍ଞଙ୍କ ଅଭାବ ପରିଲକ୍ଷିତ ହୋଇଛି । ଜିଲ୍ଲାରେ ଜଣେ ମାତ୍ର ଠିକା ଭାବେ କାମ କରୁଥିବା ନିଶ୍ଚେତକ ବିଶେଷଜ୍ଞ ରହିଥିବାବେଳେ ତାଙ୍କ କାର୍ଯ୍ୟକାଳ ଗତ ମାସକୁ ଶେଷ ହେବାକୁ ରହିଛି ।
ମୟୂରଭଞ୍ଜ ଜିଲ୍ଲାରେ ଏବେ ୮୬ଟି ପିଏଚ୍ସି,୯ଟି ୟୁପିଏଚସି, ୨୮ଟି ସିଚ୍ସି, ଗୋଟିଏ ଜିଲ୍ଲା ଚିକିସôାଳୟ ଓ ଗୋଟିଏ ମେଡିକାଲ କଲେଜ ସହ ୩ଟି ଏସଡିଏଚ ରହିଥିବାବେଳେ ଡାକ୍ତର ରହିଛନ୍ତି ମାତ୍ର ୫୧୪ଜଣ । ଜିଲ୍ଲାରେ ଏବେ ଜନସଂଖ୍ୟା ପ୍ରାୟ ୨୮ ଲକ୍ଷ ୭୦ ହଜାର୬୪୭ ହଜାର ରହିଥିବାବେଳେ ମୋଟ ଅନୁମୋଦିତ ୧୦୨୮ଟି ଡାକ୍ତର ପଦବୀରୁ ୫୧୪ଟି ପଦବୀ ଖାଲି ରହିଛି । କହିବାକୁ ଗଲେ ପ୍ରତି ଡାକ୍ତରଙ୍କ କାନ୍ଧରେ ୫୫୮୪ ଜଣ ରୋଗୀଙ୍କ ଭାର ରହିଛି । ମୟୂରଭଞ୍ଜ ପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଏକ ଗୁରୁତ୍ୱପୂର୍ଣ୍ଣ ସେବା ଭାବେ ଗଣି ୨୦୧୭ ମସିହାରେ ମୟୂରଭଞ୍ଜ ଠାରେ ଆରମ୍ଭ ହୋଇଥିଲା ପିଆରଏମ ମେଡିକାଲ କଲେଜ । ଏହି କଲେଜରେ ପ୍ରଥମ ଦୁଇ ବର୍ଷ ୧୨୫ ସିଟ୍ ଲେଖାଏଁରେ ନାମ ଲେଖା ହୋଇଥିବାବେଳେ ୪ବର୍ଷିଆ ପାଠ ଶେଷ ପରେ ୨୫୦ ଜଣ ଏମ୍ବିବିଏସ ଡାକ୍ତର ଉତ୍ତୀର୍ଣ୍ଣ ହୋଇଛନ୍ତି । ସେଥିରୁ ପାଖାପାଖି ୮୦ ଜଣ ଉଚ୍ଚଶିକ୍ଷାକୁ ଗ୍ରହଣ କରିଥିବାବେଳେ ୧୯୩ ଜଣ ଏମ୍ବିବିଏସ ଏବେ କେଉଁଠି ପୋଷ୍ଟିଂ ହେଲେ ତାହାର ଖୋଜ ଖବର ନାହିଁ । ୨୦୨୩ ଶେଷାର୍ଦ୍ଧରେ ଜିଲ୍ଲାକୁ ୪୦ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ଅଧାରୁ ଅଧିକ ଡାକ୍ତର ଏବେ କାର୍ଯ୍ୟ କରୁ ନଥିବା ଜଣାପଡିଛି । ଯଦି ଜଣେ ଡାକ୍ତରଙ୍କ କାନ୍ଧରେ ଏତେ ସଂଖ୍ୟକ ରୋଗୀଙ୍କ ଭାର ରହିବ, ତେବେ କିପରି ଓ କେଉଁ ପରିସ୍ଥିତିରେ ସ୍ୱାସ୍ଥ୍ୟ ସେବା ଯୋଗାଣ ହେଉଥିବା ତାହା ସହଜେ ଅନୁମେୟ । ଖାଲି ସେତିକି ନୁହେଁ୧୪୭୦ଟି ନର୍ସିଂ ଅଫିସରରୁ ୬୬୧ଟି ପଦବୀ ଖାଲି, ୩୨ଟି ରେଡିଓ ଗ୍ରାଫର ପଦବୀରୁ ୨୪ଟି, ୧୨୩ ଜଣ ଲାବ ଟେକ୍ନିସିଆନରୁ ୩୯ଟି, ୧୯୬ ଫାର୍ମାସୀ ଅଫିସରରୁ ୬୨ଟି, ୩୨୬ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ (ଏମପିଏଚଡବ୍ଲୁ-ଏମ)ରୁ୧୦୮ଟି, ୭୨୦ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ (ଏମପିଏଚଡବ୍ଲୁ-ଏଫ) ରୁ ୧୭୯ଟି ପଦବୀ ଏବଂ ୭୦ଟି କିରାଣୀ ପଦବୀରୁ ୨୫ଟି ଖାଲି ପଡିଛି ।
ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ପିଆରଏମ୍ ମେଡିକାଲ କଲେଜରେ ୫୬୩ଟି ଶଯ୍ୟା ରହିଥିବା ୬୫୦ ଶଯ୍ୟାକୁ ବୃଦ୍ଧି ପାଇଁ ଯୋଜାନ ଚାଲିଛି । ଏହି ଠାରେ ୬ଟି ମେଜର ଓଟି ଓ ୫ଟି ମାଇନର ଓଟି ରହିଛି । ମାସକୁ ହାରହାରି ଭାବେ ୪୪୫ଟି ମେଜର ଅସ୍ତ୍ରୋପଚାର ଓ ୧୩୫ଟି ମାଇନର ଅସ୍ତ୍ରୋପଚାର କରାଯାଉଛି । ମାସକୁ ଓପିଡିକୁ ୩୮ ହଜାର ୨୦୦ ରୋଗୀ ଆସୁଥିବାବେଳେ ଆଇପିଡିକୁ ମାସକୁ ୭୨୦୦ ରୋଗୀ ଆସୁଛନ୍ତି । ସେହିପରି ମାସକୁ ୨୭୫ଜଣଙ୍କର ଆପତକାଳୀନ ଅସ୍ତ୍ରୋପଚାର କରାଯାଉଥିବାବେଳେ ମାସକୁ ୨୫୦ ଜଣଙ୍କର ଡାଇଏଲିସ ହେଉଛି । ସେହିପରି ପିଏଚସି, ସିଏଚସି ଓ ଜିଲ୍ଲା ଚିକିତ୍ସାଳୟରେ ଅବସ୍ଥା କହିଲେ ନ ସରେ । ମୟୂରଭଞ୍ଜ ସହ ଅନ୍ୟ ଜିଲ୍ଲାର ରୋଗୀ ଏହି କଲେଜ ଉପରେ ନିର୍ଭରଶୀଳ ରହିଥିବାବେଳେ ସେହି ତୁଳନାରେ ଡାକ୍ତର ନ ଥିବା ଜଣାପଡିଛି । ମୟୂରଭଞ୍ଜ ଜିଲ୍ଲାରେ ରହିଥିବା ଏହି ଡାକ୍ତର ତିଆରି କାରଖାନାରେ ୨୫୦ଡାକ୍ତର ପାସ୍ ହେଉଥିବା ବେଳେ ଆସନ୍ତା ଶିକ୍ଷା ବର୍ଷକୁ ୧୨୫ ଜଣ ଏମବିବିଏସ ପାସ୍ ହେବେ ।