ଜିଲ୍ଲାସ୍ତରୀୟ ସମବାୟ ମହୋତ୍ସବ
ବାରିପଦା/ସାରସକଣା: ୭୧ତମ ସର୍ବଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ ବାରିପଦା ସ୍ଥିତ ସହିଦ ସ୍ମୃତି ଭବନ ଠାରେ ଜିଲ୍ଲାସ୍ତରୀୟ ସମବାୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଗୃହ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବ୍ରମଣ୍ୟମ ମହାନ୍ତି ଓ ଅତିରକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡେପୁଟି ରେଜିଷ୍ଟ୍ରାର୍, ସମବାୟ ସମିତି କୃଷ୍ଣଚନ୍ଦ୍ର ଦାସ ଜିଲ୍ଲାରେ ସମବାୟ ସମିତିମାନଙ୍କ ଦ୍ୱାରା ହୋଇଥିବା ବିଭିନ୍ନ କାର୍ଯ୍ୟ ସମସ୍ତ ବିଷୟରେ ବିଷାଦ ବିବରଣୀ ପ୍ରଦାନ କରିଥିଲେ । ନିଜ ବକ୍ତବ୍ୟରେ ମନ୍ତ୍ରୀ ଡ. ମହାପାତ୍ର କହିଥିଲେ ଯେ, ବିକଶିତ ଓଡିଶା ଗଠନରେ ସମବାୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କୃଷିଜାତ ଦ୍ରବ୍ୟର ଉଚିତ୍ ମୂଲ୍ୟରେ ବିକ୍ରିବଟା ପାଇଁ ସମସ୍ତ ନିୟନ୍ତ୍ରିତ ବଜାର କମିଟିରେ ଇ ମାର୍କେଟିଂ ବ୍ୟବସ୍ଥା, ବୟାନ, ମତ୍ସ୍ୟ, ଦୁଗ୍ଧ ଉତ୍ପାଦନ, ହସ୍ତଶିଳ୍ପ, ରେଶମ, ତାଳଗୁଡ କ୍ଷେତ୍ରରେ, ଉତ୍ପାଦନକାରୀମାନଙ୍କୁ ସମବାୟ ମାଧ୍ୟମରେ ସଂଗଠିତ କରାଯାଇ ବିପଣନ ବ୍ୟବସ୍ଥାର ସୁଦୃଢ଼ୀକରଣ କରାଯାଇଛି ବୋଲି ମତପ୍ରକାଶ କରିଥିଲେ । ଏହି ଅବସରରେ ସମବାୟ ସପ୍ତାହ ପାଳନ ଅବସରରେ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ସହିତ ବିଭିନ୍ନ ସମବାୟ ସମିତିର ମୁଖ୍ୟମାନଙ୍କ ସହିତ ଆଗାମୀ ଯୋଜନମାନ ବିଷୟରେ ପୁଙ୍ଖାନୁପୁଙ୍ଖ ମତାମତ ଗ୍ରହଣ କରାଯାଇ ଆଗକୁ କିଭଳି ଉନ୍ନତମାନର କାର୍ଯ୍ୟ ଜିଲ୍ଲାରେ ହୋଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା ।