ଆଦାନୀଙ୍କ ସହ କି କଥା ହେଲେ ପାଣ୍ଡିଆନ୍‌ ?

adani pandian

ଆଦାନୀଙ୍କ ସହ କି କଥା ହେଲେ ପାଣ୍ଡିଆନ୍‌ ?

ଭୁବନେଶ୍ୱର  : ରାଜସ୍ଥାନ ଉଦୟପୁରର ଲିଲା ପ୍ୟାଲେସ  । ଅବସର ଥିଲା, ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ସାନପୁଅ ଜିତଙ୍କ ପ୍ରିୱେଡ଼ିଂ ଉତ୍ସବ  । ଏହି ବର୍ଣ୍ଣାଢ଼୍ୟ ଓ ଭବ୍ୟ ଉତ୍ସବରେ ଏକଦା ସାରା ରାଜ୍ୟକୁ ହାତମୁଠାରେ ରଖିଥିବା ଭିକେ ପାଣ୍ଡିଆନଙ୍କୁ ଦେଖିବାକୁ ମିଳିଥିଲା  । ଯାହାକୁ ନେଇ ରାଜନୀତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି  ।

ଏବେ ପ୍ରଶ୍ନ ଉଠୁଛି, ଆଦାନୀ କାହାକୁ ନିମନ୍ତ୍ରଣ କରିଥିଲେ ? ନବୀନ ନା ପାଣ୍ଡିଆନଙ୍କୁ ନା ଉଭୟଙ୍କୁ  । ଯଦି ନବୀନଙ୍କୁ ନିମନ୍ତ୍ରଣ କରାଯାଇଥିଲା ପାଣ୍ଡିଆନ୍‌ ତାଙ୍କ ପ୍ରତିନିଧି ଭାବେ ଉତ୍ସବରେ ସାମିଲ୍‌ ହୋଇଥିଲେକି ? ସେଠାରେ ପାଣ୍ଡିଆନ୍‌ କେବଳ ଭୋଜିଖାଇ ଫେରିଲେ ନା ଆଦାନୀଙ୍କ ସହ ଆଲୋଚନା କଲେ  । ଏଭଳି ଚର୍ଚ୍ଚା ହେବାବି ସ୍ୱାଭାବିକ  । କାହିଁକିନା ନିକଟରେ ଓଡ଼ିଶାରେ ଆଦାନୀର ଜମିକିଣାକୁ ନେଇ ବିଜେଡ଼ି ବିଧାନସଭାରେ ଗର୍ଜୁଥିଲା  । 

କେତେକ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଜିତ୍‌ ଅଦାନୀଙ୍କ ରାଜସ୍ଥାନର ଉଦୟପୁରରେ ଆୟୋଜିତ ପ୍ରି-ୱେଡିଂ ଉତ୍ସବରେ ମଙ୍ଗଳବାର ପାଣ୍ଡିଆନ ଯୋଗ ଦେଇଥିଲେ  । ଗୌତମ ଅଦାନୀଙ୍କ ବ୍ୟକ୍ତିଗତ ଅଫିସିଆଲଙ୍କ ସହ ପାଣ୍ଡିଆନ କୌଣସି ପ୍ରସଙ୍ଗରେ ଆଲୋଚନା କରିଥିବା ମଧ୍ୟ କୁହାଯାଉଛି  । ଖାଲି ସେତିକିନୁହେଁ ରାଜନୀତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଡାଲ୍‌ ମେଁ କୁଛ କାଲା ହେ  । ପୂର୍ବରୁ ବିଜେଡ଼ି ନେତ୍ରୀ ପ୍ରମିଳା ମଲ୍ଲିକ କହିଥିଲେଯେ, ଡିଏସ କୁଟ୍ଟେ ଓ ଆଶିଷ ସିଂଙ୍କର ବିଜେପି ସହ ଭଲ ଲିଙ୍କ ଥିଲା  । ଯେତେବେଳେକି ସେମାନଙ୍କ ରିଙ୍ଗ ମାଷ୍ଟର ଥିଲେ ପାଣ୍ଡିଆନ୍‌  ।  ଆଦାନୀଙ୍କ ସହ ବିଜେପିର ଭଲ ସମ୍ପର୍କ ବିଷୟରେ ସମସ୍ତେ ଜାଣନ୍ତି  । ଅତୀତରେ ଆଦାନୀଙ୍କ ଜରିଆରେ ବିଜେଡ଼ି-ବିଜେପି ମଧ୍ୟରେ ମଧୁର ସମ୍ପର୍କ ଗଢ଼ି ଉଠିଥିଲା ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଥିଲା  । ଏବେ ବିଜେଡ଼ିକୁ ଭାଙ୍ଗିବା ପାଇଁ ବିଜେପି ପ୍ରୟାସ ଆରମ୍ଭ କରିଦେଇଛି  । ଦୁଇ ଦୁଇ ଜଣ ରାଜ୍ୟସଭା ସାଂସଦଙ୍କୁ ବିଜେପି ନେଇସାରିଛି  । ଆଗକୁ ଆଉ ଦୁଇ ରାଜ୍ୟସଭା ଏମପି ମଧ୍ୟ ବିଜେପି ଯିବେବୋଲି ଚର୍ଚ୍ଚା ହେଉଛି  । ରାଜନୀତିକ ନା ବ୍ୟବସାୟିକ ଦିଗ ନେଇ ପାଣ୍ଡିଆନ୍‌ ଓ ଆଦାନୀଙ୍କ ଭିତରେ ଆଲୋଚନା ହୋଇଛି ତାହାକୁ ନେଇ ଆଲୋଡ଼ନ ସୃଷ୍ଟିହୋଇଛି  । ଅବଶ୍ୟ କିଛିଦିନ ମଧ୍ୟରେ ରାଜ୍ୟ ରାଜନୀତିରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବ  ।