ସତ୍ୟବାଦୀରେ କିଏ ଧରିବେ କଂଗ୍ରେସ ମଙ୍ଗ ?
ଭୁବନେଶ୍ୱର : ଏଥର ପୁରୀ ଜିଲ୍ଲା ରାଜନୀତିକ ସମୀକରଣ ବଦଳିଯାଇଛି । ବ୍ରହ୍ମଗିରିର ଟାଣୁଆ ନେତା ସଂଜୟ ଦାସବର୍ମା ସତ୍ୟବାଦୀରୁ ନିର୍ବାଚନ ଲଢୁଥିବାବେଳେ ବ୍ରହ୍ମଗିରିରେ ଲଢ଼ିବେ ସତ୍ୟବାଦୀ ନେତା ଉମା ସାମନ୍ତରାୟ । ସେପଟେ ପୁରୀରେ ଶୁଭାଶିଷ ଷଡ଼ଙ୍ଗୀ ଓ ସୁନୀଲ ମହାନ୍ତିଙ୍କ ବିବାଦ ବି ତୁଟିଯାଇଛି । ବ୍ରହ୍ମଗିରିରେ ଏବେ ଦାଦାଙ୍କ ବଦଳରେ ଝିଆରୀ ଉପାସନା ମହାପାତ୍ର ବିଜେପି ଟିକେଟରେ ଲଢ଼ିବାକୁ ଯାଉଛନ୍ତି । ଏସବୁ ଭିତରେ ସତ୍ୟବାଦୀରେ କିଏ କଂଗ୍ରେସ ମଙ୍ଗ ଧରିବେ ତାହାକୁ ନେଇ ଚର୍ଚ୍ଚା ଜୋରଧରିଛି ।
ଖାଲି ସତ୍ୟବାଦୀ କି ପୁରୀ ନୁହେଁ, ରାଜ୍ୟର ଅନ୍ୟତମ ଟାଣୁଆ କଂଗ୍ରେସ ନେତା ହେଉଛନ୍ତି ପ୍ରସାଦ ହରିଚନ୍ଦନ । ସତ୍ୟବାଦୀରୁ ୧୯୯୫, ୨୦୦୦ ଓ ୨୦୦୯ରେ ପ୍ରସାଦ ଜିତିଥିଲେ । ତେବେ ୨୦୧୪ରେ ସେ ୨୫ ହଜାର ଓ ୨୦୧୯ରେ ୧୧ ହଜାର ଭୋଟରେ ସନ୍ତୁଷ୍ଟ ରହିଥିଲେ । ତେଣୁ ସେ ଆଗାମୀ ନିର୍ବାଚନ ଲଢ଼ିବାକୁ ଚାହୁଁନାହାନ୍ତି । ଦଳର ସ୍ଥିତି ଭଲ ନଥିବାରୁ ସେ ଲଢ଼ିବେନାହିଁ ବୋଲି ଜଣାପଡ଼ିଛି । ଏଥିରୁ ହିଁ ସତ୍ୟବାଦୀରୁ କଂଗ୍ରେସ ହାରିବା ନିଶ୍ଚିତ ବୋଲି କହିଲେ ଭୁଲ ହେବନାହିଁ ।
ପୂର୍ବତନ ପିସିସି ସଭାପତି ପ୍ରସାଦ କରଛଡା ଦେଉଥିବାରୁ ସତ୍ୟବାଦୀ କଂଗ୍ରେସ ନେତୃତ୍ୱ ଶୂନ୍ୟ ହୋଇପଡିଛି । ଏମିତିକି କଂଗ୍ରେସ ଟିକେଟରୁ ଲଢ଼ିବାକୁ ଏଠାରେ ପ୍ରାର୍ଥୀବି ମିଳୁନାହାନ୍ତି । ଏକଦା ସତ୍ୟବାଦୀରୁ ବହୁବାର କଂଗ୍ରେସ ଜିଣିବାରେ ସକ୍ଷମ ହୋଇଥିଲା । ସତ୍ୟବାଦୀରେ କଂଗ୍ରେସର ପ୍ରଥମ ବିଧାୟକ ଥିଲେ ପଣ୍ଡିତ ନୀଳକଣ୍ଠ ଦାସ । ଦଳ ଏଠାରୁ ୮ଥର ବାଜିମାତ କରିବାରେ ସଫଳ ହୋଇଛି । କିନ୍ତୁ ଆଜି ଦଳୀୟ ଟିକେଟ ନେବାକୁ ନେତାମାନେ ବି ଆଗ୍ରହ ପ୍ରକାଶ କରୁନାହାନ୍ତି ।
ସତ୍ୟବାଦୀର ଅଙ୍କ କହୁଛି, ୧୯୯୫ ଓ ୨୦୦୦ରେ ପ୍ରସାଦ କଂଗ୍ରେସ ବିଧାୟକ ଥିଲେ । ପରେ ୨୦୦୪ରେ ସ୍ୱାଧୀନ ପ୍ରାର୍ଥୀ ରମାରଞ୍ଜନ ବଳିୟାର ସିଂହ ବିଧାୟକ ପଦ ଛଡାଇ ନେଇଥିଲେ । ୨୦୦୯ରେ ପୁଣି ପ୍ରସାଦଙ୍କ ଲେଉଟାଣି ହୋଇଥିଲା । କିନ୍ତୁ ଏହାପରଠାରୁ କଂଗ୍ରେସର ଅଧୋପତନ ଘଟିଛ । ସବୁଠୁ ଅଧିକ ନିରାଶଜନକ ସ୍ଥିତି ଦେଖିବାକୁ ମିଳିଥିଲା ଗତ ପଞ୍ଚାୟତ ନିର୍ବାଚନରେ । କଣାସର ୩ ଓ ସତ୍ୟବାଦୀର ୩ ଜିଲ୍ଲା ପରିଷଦ ଜୋନରେ କଂଗ୍ରେସ ପ୍ରାର୍ଥୀ ବି ଦେଇନଥିଲା । ଗାଏମୋଟ କହିଲେ ସତ୍ୟବାଦୀରେ କଂଗ୍ରେସ ଏବେ ଜିରୋ ହୋଇଯାଇଛି ।