ମଇଦାନରେ ୧୧ ସ୍ୱାଧୀନ ପ୍ରାର୍ଥୀ 

ଭୁବନେଶ୍ୱର: ଗ୍ରୀଷ୍ମ ଲହରୀ ସାଙ୍ଗକୁ ପ୍ରଚାର ଅଭିଯାନ ସତେ ଯେମିତି ତାଳକୁ ତାଳ ଦେଇ ନିର୍ବାଚନ ଉଷ୍ମତା ବଢ଼େଇ ଦେଇଛି । ସାହି ବସ୍ତି ଗାଁ ଗାଁରେ ଭୋଟରକୁ ଆକୃଷ୍ଟ କରିବା ପାଇଁ ଭିନ୍ନ ଭିନ୍ନ ରଣ କୌଶଳ ଆରମ୍ଭ କରିଦେଇଛି । ମିଶ୍ରଣ ପର୍ବ ସାଙ୍ଗକୁ ସଭା ସମିତି ଭୋଜି ଭାତ ଆସର ବେଶ ଜମୁଛି । ସବୁଦଳ ପକ୍ଷରୁ ନଜର ରହିଛି ଯୁବ ଭୋଟରଙ୍କ ଉପରେ । କଳେବଳେ କୌଶଳେ ଯୁବ ଭୋଟରଙ୍କୁ ଟାଣିବା ପାଇଁ ଜୋରଦାର ପ୍ରୟାସ ଜାରି ରହିଛି । ଅସନ୍ତୁଷ୍ଟ ନେତା କର୍ମୀଙ୍କୁ ମନେଇବା ପାଇଁ ଦଳୀୟ ନେତୃମଣ୍ଡଳୀ ଉଦ୍ୟମ ଚଳାଇଛନ୍ତି । କିନ୍ତୁ ବାଙ୍ଗିରିପୋଷି ନିର୍ବଚାନମଣ୍ଡଳୀରେ ଦେଖିବାକୁ ମିଳିଛି ରୋଚକ ଚିତ୍ର । ଏଠାର ଏଥର ମଇଦାନରେ ଅଛନ୍ତି ୧୬ ଜଣେ ପ୍ରାର୍ଥୀ । ଏହାକୁ ଦେଖି ଭୋଟର କାହାକୁ ଭୋଟ୍ ଦେବେ ଦ୍ୱନ୍ଦ୍ୱରେ ପଡିଗଲେଣି । ଯଦିଓ ବିଜେଡି, ବିଜେପି, କଂଗ୍ରେସ ଓ ଜଣେ ଦୁଇଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଅଧିକ ଲୋକ ଚିହ୍ନି ନାହାନ୍ତି, ତେବେ ଏହି ସ୍ୱାଧୀନ ପ୍ରାର୍ଥୀମାନେ ଏଥର ଭୋଟ ବିଭାଜନ କରିବା ସହ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି ।  ବିଜେଡିରୁ ସୁଦାମ ମାରାଣ୍ଡିଙ୍କ ପତ୍ନୀ ରଞ୍ଜିତା ମାରାଣ୍ଡି ଓ ବିଜେପିରୁ ସୁଗଦା ମୁର୍ମୁଙ୍କ ଝିଅ ସଂଜଲୀ ମୁର୍ମୁଙ୍କ ମଧ୍ୟରେ ଅସଲ ଲଢ଼େଇ ଦେଖିବାକୁ ମିଳିବ । ତେବେ କଂଗ୍ରେସର ମୁରଲୀଧର ନାଏକ, ଜେଏମ୍ଏମ୍ ବିଷ୍ଣୁ ସିଂ ଓ ଆଜସୁର ମନୋରଞ୍ଜନ ହେମ୍ବ୍ରମ  କିଛି ମାତ୍ରାରେ ଚ୍ୟାଲେଞ୍ଜ ସୃଷ୍ଟି କରିବେ । ଏଥର ସ୍ୱାଧୀନ ପ୍ରାର୍ଥୀ ଗୌରୀ ନାଏକ, ଭରତ ଚନ୍ଦ୍ର ସିଂ, ଶ୍ୟାମସୁନ୍ଦର ସୋରେନ୍, ରଞ୍ଜିତା ହେମ୍ବ୍ରମ, କାହ୍ନୁଚରଣ ସିଂ, ରାମଚନ୍ଦ୍ର ହାଁସଦା, ଶୋଭାରାମ ସିଂ, ସୁରେନ୍ଦ୍ର ନାଥ ହାଁସଦା, ସର୍ଦ୍ଦାର ସିଂ, ମହୋନ ହେମ୍ବ୍ରମ, ସିଂରାୟ ମାରାଣ୍ଡି ମଇଦାନରେ ଅଛନ୍ତି । ଏହି ପ୍ରାର୍ଥୀମାନଙ୍କ ବିଜୟ ସମ୍ଭାବନା କ୍ଷୀଣ ହୋଇଥିଲେ ବି ନିଜ ଅଞ୍ଚଳରେ କିଛି ଭୋଟ୍ ନେଇ ପାରିଲେ ପ୍ରମୁଖ ଦଳମାନେ କ୍ଷତି ସହିବେ ବୋଲି ଆକଳନ କରାଯାଉଛି । ଏହାକୁ ନେଇ ପ୍ରମୁଖ ଦଳର ପ୍ରାର୍ଥୀମାନେ ମଧ୍ୟ ଚିନ୍ତିତ ଅଛନ୍ତି ।  ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ଏଥର ୨ ଲକ୍ଷ ୨୩ ଜହାର ୭୦୩ ଭୋଟର ମତଦାନ କରିବେ । ୨୦୧୯ ନିର୍ବାଚନରେ ଏଠାରେ ୮୨ ପ୍ରତିଶତ ମତଦାନ ହୋଇଥିଲେ । ସୁଦାମ ମାରାଣ୍ଡି ୭୨ ହାଜର ଭୋଟ ପାଇ ବିଜୟୀ ହୋଇଥିଲେ ।