ପୁରାଣ ଓ ପରମ୍ପରାରେ ଫଳ ଶ୍ରେଷ୍ଠ ନଡ଼ିଆ!
ଶ୍ରୀଫଳର ଉତ୍ପତ୍ତି ନେଇ ଏକ କୌତୂହଳପ୍ରଦ ପୌରାଣିକ ଆଖ୍ୟାନ ରହିଛି । ସ୍କନ୍ଦ ପୁରାଣର ବର୍ଣ୍ଣନା ଅନୁସାରେ ପାର୍ବତୀଙ୍କ ଦୁଇ ପୁତ୍ରଙ୍କ ମଧ୍ୟରୁ ମହାଦେବଙ୍କ ବର ପାଇ ଶ୍ରୀଗଣେଶ ଅଗ୍ରପୂଜ୍ୟ ହେଲେ । ମାତ୍ର ମା’ ପାର୍ବତୀଙ୍କ ମନ ଏଥିରେ ସନ୍ତୁଷ୍ଟ ନଥାଏ । ଦିନେ ସୁଯୋଗ ଦେଖି ମହାଦେବଙ୍କ ପାଖରେ ମା’ ପାର୍ବତୀ ଅଳି କଲେ- ସ୍ୱାମୀ । କାର୍ତ୍ତିକେୟକୁ ଗଣେଶଙ୍କ ପରି ପ୍ରଥମ ପୂଜ୍ୟ ହେବାର ବର ଦିଅନ୍ତେନି! ପାର୍ବତୀଙ୍କ ଅନୁନୟ ବିନୟ ମହାଦେବଙ୍କୁ ବିବଶ କଲା । ପାର୍ବତୀଙ୍କୁ ପ୍ରବୋଧନା ଦେବାକୁ ଯାଇ ସେ ବର ପ୍ରଦାନ କରି କହିଲେ- ଆଜିଠୁ ଶ୍ରୀକାର୍ତ୍ତିକେୟଙ୍କୁ ଶ୍ରୀଫଳ ଆକାରରେ ଭୂଷିତ କଲି । ଦେବପୂଜନ ପାଇଁ ଯେତେବେଳେ ଶୁଭ କଳସର ବ୍ୟବସ୍ଥା କରାଯିବ ସେତେବେଳେ ସମସ୍ତେ ପ୍ରଥମେ ନଡ଼ିଆ ବା ଶ୍ରୀଫଳକୁ ଖୋଜି ବସିବେ । କଳସ ଉପରେ ନଡ଼ିଆକୁ ରଖି ବ୍ରାହ୍ମଣ ଶ୍ରୀଗଣେଶଙ୍କ ସହିତ ଶ୍ରୀକାର୍ତ୍ତିକେୟରୂପୀ ଶ୍ରୀଫଳକୁ ମଧ୍ୟ ପ୍ରଥମେ ପୂଜା କରିବେ ।
‘ଶ୍ରୀ’ ଶବ୍ଦର ଅର୍ଥ ହେଉଛି ‘ଶ୍ରେଷ୍ଠ’ । ଫଳମାନଙ୍କ ଭିତରେ ନଡ଼ିଆ ଶ୍ରେଷ୍ଠ ହୋଇଥିବାରୁ ଏହା ଶ୍ରୀଫଳ । ଈଶ୍ୱରଙ୍କୁ ସର୍ବଦା ଭଲ ବା ଶ୍ରେଷ୍ଠ ଦ୍ରବ୍ୟ ହିଁ ଅର୍ପଣ କରାଯିବାର ବିଧି ରହିଛି । ତେଣୁ ପ୍ରତ୍ୟେକ ପୂଜାପାର୍ବଣରେ ନଡ଼ିଆର ବ୍ୟବହାର ହୋଇଥାଏ । ‘ଶ୍ରୀ’ ଶବ୍ଦର ଅନ୍ୟ ଏକ ଅର୍ଥ ହେଉଛି ‘ଲକ୍ଷ୍ମୀ’ । ନଡ଼ିଆ ଲକ୍ଷ୍ମୀଙ୍କର ଅତି ପ୍ରିୟ ଫଳ ହୋଇଥିବାରୁ, ସେଥିପାଇଁ ତାହାର ନାମ ‘ଶ୍ରୀଫଳ’ । ଏହା ଏକମାତ୍ର ଫଳ, ଯାହା ନିଜ ରସ ବା ଜଳକୁ ନିଜ ଠାରୁ ଅଲଗା କରି ରଖିଥାଏ । ଜଳଯୁକ୍ତ ଶ୍ରୀଫଳ ଅର୍ପଣ କରି ନିଷ୍ଠାର ସହ ପୂଜା କଲେ ଘରେ ଶୁଭଶକ୍ତିର ଆବିର୍ଭାବ ଘଟେ ଏବଂ ଲକ୍ଷ୍ମୀଙ୍କ କୃପାପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି ଓ ଦ୍ୱିତୀୟରେ ଏହାର ଏକ ଜ୍ୟୋତିଷିକ କାରଣକୁ ମଧ୍ୟ ଆଲୋଚନାର ପରିସରକୁ ନିଆଯାଇପାରେ । ନଡ଼ିଆ ଭିତରେ ଥିବା ଶସ (ଶ୍ୱେତବର୍ଣ୍ଣ ଅଂଶ) ହେଉଛି ଚନ୍ଦ୍ରମାର ପ୍ରତୀକ । ଚନ୍ଦ୍ରର ବର୍ଣ୍ଣ ବି ଶୁଭ୍ର । ପୂଜାରେ ନଡ଼ିଆ ବ୍ୟବହାର ହେତୁ ଚନ୍ଦ୍ରମାଙ୍କ କୃପା ମିଳିଥାଏ ବୋଲି କୁହାଯାଏ । ତୃତୀୟ କଥା ହେଲା, ପୂଜାରେ ନଡ଼ିଆ ଭଙ୍ଗା ଯାଏ । ଯଦି ଏକା ଥରକେ ଭାଙ୍ଗିଗଲା, ତେବେ ଏହା ଶୁଭ ସୂଚକ ବୋଲି ମନେ କରାଯାଏ ।