ବଜ୍ରାଘାତରେ ଜଣେ ମୃତ
ବୈଶିଙ୍ଗା: ବୈଶିଙ୍ଗା ଥାନା ଅନ୍ତର୍ଗତ ଶାଳଗାଁ ପଞ୍ଚାୟତର ସେହି ଗ୍ରାମର ଜନୈକ ବ୍ୟକ୍ତିଙ୍କର ବଜ୍ରାଘାତରେ ଶନିବାର ଅପରାହ୍ମ ୫ଘଟିକା ସମୟରେ ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି । ସୂଚନା ମୁତାବକ ଆଜି ଅପରାହ୍ଣରେ ଶାଳଗାଁ ଗ୍ରାମର ସ୍ୱର୍ଗତ ନିତ୍ୟାନନ୍ଦ ସାହୁଙ୍କ ଏକମାତ୍ର ପୁତ୍ର ପୂର୍ଣ୍ଣଚନ୍ଦ୍ର ଓରଫ ଟିକି ଭାଇ (୪୬)ଗ୍ରାମରେ ଥିଲେ ଓ ଘଡଘଡି ସହ ବର୍ଷାର ଆଗମନକୁ ଦେଖି ତୁରନ୍ତ ଘରକୁ ଫେରୁଥିବା ବେଳେ ଠିକ୍ ଘର ଆଗରେ ବଜ୍ରାଘାତ ହେବା ଯୋଗୁଁ ତଳେ ପଡିଯାଇଥିଲେ । ସଙ୍ଗେ ଗ୍ରାମବାସୀଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ବାରିପଦା ଜିଲ୍ଲା ଡାକ୍ତରଖାନାକୁ ନିଆ ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ବୈଶିଙ୍ଗା ପୋଲିସକୁ ମଧ୍ୟ ଖବର ଦିଆଯାଇଥିଲା । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାଯାଇଛି । ମୃତକ ପୂର୍ଣ୍ଣଚନ୍ଦ୍ରଙ୍କ ବିଧବା ପତ୍ନୀ ପଙ୍କଜିନୀ ଏବେ ଏକାକିନୀ । ଏକମାତ୍ର ପୁତ୍ର ଅଭିଜ୍ଞାନ ଏବେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ଜଣାଯାଇଛି । ଅତି ଗରୀବ ପରିବାର ହୋଇଥିବାରୁ ୰ପୂର୍ଣ୍ଣଚନ୍ଦ୍ର ଏକମାତ୍ର ବ୍ୟକ୍ତି କେବଳ ଘରୋଇ ଟିଉଶନ କରି ପରିବାର ପୋଷଣ କରୁଥିଲେ । ନିଜର ଭୂସମ୍ପତ୍ତି ନ ଥିବାରୁ ମାମୁଁ ଘରଡ଼ିହରେ ଘର କରି ରହିଥିଲେ । ଏବେ ବିଧବା ମା ଏବଂ ନାବାଳକ ପୁତ୍ର ବେସାହାରା ପାଲଟି ଯାଇଛନ୍ତି । ନିଜ ଗ୍ରାମ ତଥା ଆଖ ପାଖ ଅଞ୍ଚଳରେ ଏହି ମୃତ୍ୟୁ ଖବର ପାଇ ଶୋକର ଛାୟା ଖେଳିଯାଇଛି ।