ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ଲୋକ ପ୍ରତିନିଧି 

ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ଲୋକ ପ୍ରତିନିଧି 


ବାଲେଶ୍ୱର : ବାତ୍ୟା ‘ଦାନା’କୁ ନେଇ ପାଣିପାଗ ବିଭାଗ ପକ୍ଷରୁ ବାଲେଶ୍ୱର ଜିଲ୍ଲା ପାଇଁ ଜାରି ହୋଇଥିଲା ରେଡ ଆଲର୍ଟ  । ବାତ୍ୟା ମୁକାବିଲା ସହ ଏଥିରେ ଜିରୋ କାଜୁଆଲଟି କ୍ଷୟକ୍ଷତି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଥିଲେ  । ବାତ୍ୟାର ପ୍ରକୋପକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର ହୋଇ ବିଭିନ୍ନ ବାତ୍ୟାଶ୍ରୟରେ ଅସ୍ଥାୟୀ ଭାବେ ଆଶ୍ରୟ ନେଇଥିଲେ ସଦର ବ୍ଲକର ୨୫ହଜାରୁ ଉର୍ଦ୍ଧ୍ୱ ଲୋକେ  । ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପରେ ସୃଷ୍ଟି ହୋଇଥିବା ପ୍ରବଳ ବର୍ଷା ଓ ପବନ ଭଳି ସ୍ଥିତିରେ ଲୋକଙ୍କ ସମସ୍ୟା ବୁଝିବା ସହ ତୁରନ୍ତ ସେଗୁଡିକର ସମାଧାନ ପାଇଁ ବିଧାୟକ ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ରାଜ୍ୟ ପଞ୍ଚାୟତରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ଓ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ସାର୍ଥା, ଛାନୁଆ, ଦୁବୁଲାଗଡି, ପରିଖି ଓ ବଇଁଚା ପ୍ରଭୃତି ଅଂଚଳର ବାତ୍ୟାଶ୍ରୟରେ ପହଂଚିଥିଲେ  । ସମସ୍ତ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ସ୍ଥାନାନ୍ତର ହୋଇଥିବା ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ ହୋଇଥିବା ବ୍ୟବସ୍ଥାକୁ ନେଇ ମନ୍ତ୍ରୀ, ସାଂସଦ ଓ ବିଧାୟକ ସନ୍ତୋଷ ପ୍ରକାଶ କରିଥିଲେ  । ବାତ୍ୟାର ଭୟ ନ ଟଳିବା ପର୍ଯ୍ୟନ୍ତ ଲୋକଙ୍କ ପାଇଁ ସୁଷମ ରନ୍ଧା ଖାଦ୍ୟ ଓ ବିଶୁଦ୍ଧ ପାନୀୟ ଜଳ ପ୍ରଦାନ କରିବାକୁ ସେମାନେ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ  । ବିଶେଷ କରି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବାକୁ ସେମାନେ ପରାମର୍ଶ ଦେଇଛନ୍ତି  । ବାତ୍ୟା ‘ଦାନା’ର ପ୍ରକୋପ ଅପେକ୍ଷାକୃତ କମ ହୋଇଥିଲେ ବି ବର୍ଷା ଛାଡିବା ପରେ କ୍ଷୟକ୍ଷତିର ଆକଳନ ହେବ  । ତେବେ ପ୍ରାଥମିକ ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ଜିରୋ କାଜୁଆଲଟି ଲକ୍ଷ୍ୟ ସଫଳ ହୋଇଥିବା ସମସ୍ତଙ୍କ ପାଇଁ ଏକ ଖୁସିର ବିଷୟ ବୋଲି ମନ୍ତ୍ରୀ ଶ୍ରୀ ନାୟକ ଏହି ଅବସରରେ ପ୍ରକାଶ କରିଥିଲେ  । ତିନି ବର୍ଷ ତଳେ ‘ୟାସ’ ବାତ୍ୟାରେ ସଦର ନିର୍ବାଚନମଣ୍ଡଳୀରେ ଅନେକ ଅଂଚଳ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା  । ତେଣୁ ସମୁଦ୍ର ତଟବର୍ତ୍ତୀ ତଥା ନଦୀକୁଳିଆ ଅଂଚଳରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀ ନେବାରେ ଶତ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇଥିବାରୁ ସାଂସଦ ଶ୍ରୀ ଷଡଙ୍ଗୀ ଅଧିକାରୀମାନଙ୍କୁ ସାଧୁବାଦ ଜଣାଇଥିଲେ  । ବାତ୍ୟା ଟଳି ଯାଇଥିବା ବେଳେ ଲଗାଣ ବର୍ଷା ଜନିତ ସାମ୍ଭବ୍ୟ ବନ୍ୟା ପରିସ୍ଥତି ପ୍ରତି ଆଦୌ ଭୟଭୀତ ନ ହୋଇ ଧୈର୍ଯ୍ୟର ସହିତ ମୁକାବିଲା କରିବାକୁ ସେ ସମସ୍ତଙ୍କୁ ନିବେଦନ କରିଥିଲେ  । ସଦର ନିର୍ବାଚନମଣ୍ଡଳୀ ଅଂଚଳରେ ବାତ୍ୟା ପ୍ରଭାବରେ ଯୋଗାଯୋଗ, ବିଦୁ୍ୟତସେବା, ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ଭଳି ବିଷୟକୁ କୌଣସି ଆଖିଦୃଶିଆ ସମସ୍ୟା ଉପୁଜିନଥିବା ବେଳେ ସବୁ ପ୍ରକାର ପରିସ୍ଥିତି ପାଇଁ ସରକାର ଲୋକଙ୍କ ସହାୟତା କରିବାକୁ ପ୍ରସ୍ତୁତ ରହିଥିବା ବିଧାୟକ ଶ୍ରୀ ଦତ୍ତ କହିଛନ୍ତି  । ତେଣୁ ଜନସାଧାରଣଙ୍କୁ ଆୌ ଭୟଭୀତ ନହୋଇ ପ୍ରଶାସନ ଦ୍ୱାରା ଜାରି ହେଉଥିବା ବାତ୍ୟା ଓ ବନ୍ୟା ସତର୍କ ସୂଚନା ମାନିବାକୁ ବିଧାୟକ ଶ୍ରୀ ଦତ୍ତ ସମସ୍ତଙ୍କୁ ଅନୁରୋଧ କରିଛନ୍ତି  । ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ, ସାଂସଦ ଶ୍ରୀ ଷଡଙ୍ଗୀ ଓ ବିଧାୟକ ଶ୍ରୀ ଦତ୍ତ ବାତ୍ୟାଶ୍ରୟରେ ଲୋକଙ୍କୁ ମଧ୍ୟାହ୍ନ ଭୋଜନ ବଂଟନ କରିବା ସହିତ ସେମାନଙ୍କ ସୁଃଖ ଦୁଃଖ ପଚାରି ବୁଝିଥିଲେ  । ଅନ୍ୟମାନଙ୍କ ମଧ୍ୟରେ ଗୌରାଙ୍ଗ ଦାସ, ପର୍ଶୁରାମ ବେହେରା, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ବିଭୂପଦ ଦାସ, ମନୋରଞ୍ଜନ ନନ୍ଦି, ମନ୍ମୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ  ।