ବିଜେଡ଼ିର ନେତୃତ୍ୱ ନେବେ ଭିକେ ପାଣ୍ଡିଆନ୍
VK pandian Naveen Pattanaik
ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନକୁ ଭିକେ ପାଣ୍ଡିଆନ୍ ପରିଚାଳିତ କରୁଥିଲେ । ତାହା ପୂର୍ବରୁ ପାଣ୍ଡିଆନ୍ କେବେ ସାମ୍ନାକୁ ଆସୁନଥିଲେ । କିନ୍ତୁ ୨୦୧୯ରେ ବିଜେଡ଼ି ସରକାର ଗଢ଼ିବା ପରେ ପାଣ୍ଡିଆନ୍ ସାମ୍ନାକୁ ଆସିଲେ । ସେହି ସମୟରେ ନବୀନ ନିବାସରେ ଯେଉଁ ହୋମଯଜ୍ଞ ହୋଇଥିଲା ସେଥିରେ ପାଣ୍ଡିଆନ୍ ଓ ତାଙ୍କର ପତ୍ନୀ ସୁଜାତା କାର୍ତ୍ତିକେୟନ ହିଁ କର୍ତ୍ତା ସାଜିଥିଲେ । ୨୦୧୯ ପରେ ସୁପର ସିଏମ ଭୂମିକାରେ ପାଣ୍ଡିଆନ୍ ମଇଦାନକୁ ଓହ୍ଲାଇଥିଲେ । ପ୍ରଥମେ ୫ଟି ସଚିବ ଭାବେ ସେ ମୁଖ୍ୟମନ୍ତ୍ରୀଙ୍କ ଦୂତ ହୋଇ ସାରା ରାଜ୍ୟ ବୁଲିଲେ । ପରେ ଆଇଏଏସ ଚାକିରୀ ଛାଡ଼ି ପାଣ୍ଡିଆନ୍ ସିଧାସଳଖ ବିଜେଡ଼ିରେ ଯୋଗଦେବା ସହ ଦଳୀୟ ପୋଷ୍ଟର ବ୍ୟାନରରେ ନିଜର ଛବି ଛାଡ଼ିଦେଲେ । ଯାହାକୁ ବିଜେପି ଏକ ପ୍ରସଙ୍ଗ କରି ଗଢ଼ି ତୋଳିବା ସହ ଓଡ଼ିଆ ଅସ୍ମିତାର କଥା ଉଠାଇଥିଲା । ଏହି ଓଡ଼ିଶା ଅସ୍ମିତା ହିଁ ବିଜେଡ଼ିକୁ ପରାଜୟ ସମୁଦ୍ରରେ ଡୁବାଇ ଦେଇଥିଲା । ବିଜେଡ଼ିର ଅନେକ ଛାତ୍ର ଓ ଯୁବ ନେତାମାନେ ପାଣ୍ଡିଆନ୍ ଦଳ ପରିଚାଳନା କଲେ ଦଳ ଦୁର୍ବଳ ହେବବୋଲି ମତ ଦେଉଛନ୍ତି । ତଥାପିବି ନବୀନ ବାବୁ ଏବେ ମଧ୍ୟ ପାଣ୍ଡିଆନଙ୍କୁ ହିଁ ସର୍ବେସର୍ବା କରି ରଖିଛନ୍ତି । ସେ ସମ୍ମୁଖକୁ ଆସୁନଥିଲେବି ପଛ ପଟେ ଗୋଟି ଚାଳନା କରିବାର ଖବର ସମସ୍ତଙ୍କ ପାଖରେ ଅଛି । ସେହି ପାଣ୍ଡିଆନଙ୍କୁ ଧରି ଯଦି ବିଜେଡ଼ି ଆଗକୁ ବଢ଼ିବାରେ ସ୍ୱପ୍ନ ଦେଖୁଥିବ ତାହା ଦଳ ପାଇଁ ନିଶ୍ଚିତ ବୁମେରାଂ ହେବ ।
ଏକଦା ରାଜ୍ୟର ଏକ ନମ୍ବର ଦଳ ବିଜେଡ଼ି ଏବେ ବ୍ୟାକ୍ଫୁଟରେ ରହିଛି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ କାନ୍ଧେଇ ବିଜେପି ରାଜ୍ୟରେ କାୟା ବିସ୍ତାର କରୁଛି । ଅପରପକ୍ଷରେ କଂଗ୍ରେସ ଯଥା ପୂର୍ବଂ ତଥା ପରଂ ଭଳି ଅସହାୟ ଅବସ୍ଥାରେ ଭବିଷ୍ୟତ ଖୋଜିବାରେ ଲାଗିଛି । ଆଜିକା ଦିନରେ ମୋଟାମୋଟି ଭାବେ ରାଜ୍ୟ ରାଜନୀତିର ଚିତ୍ର ଏଇଆ ।