ହାତୀ ମୃତୁ୍ୟ ଚିନ୍ତାଜନକ, ଟ୍ରାକିଂ ବ୍ୟବସ୍ଥା ଫେଲ୍
କେନ୍ଦୁଝର: ଚମ୍ପୁଆ ରେଞ୍ଜର ଗୁମୁରା ବିଟ୍ ଚମକପୁର ପିଆର୍ଏଫ୍ ଜଙ୍ଗଲରେ ଗତ ୬ ତାରିଖ ଦିନ ଏକ ହାତୀର ଗଳିତ ମୃତ ଦେହ ଜବତ୍ ହୋଇଛି । କେନ୍ଦୁଝରରେ ହାତୀ ମୃତୁ୍ୟ ଚିନ୍ତାଜନକ ସ୍ଥିତିରେ ଥିବାବେଳେ ବନ୍ୟପ୍ରାଣୀ ଏବଂ ପ୍ରକୃତିପ୍ରେମୀଙ୍କୁ ଦୁଃଖ ଦେଇଛି । ହାତୀ ମୃତୁ୍ୟର କାରଣ ଅସ୍ପଷ୍ଟ ଥିବାବେଳେ ଜେଟିଏଫ୍ ପକ୍ଷରୁ ତଦନ୍ତ ଶେଷ ହୋଇଛି । ଏହି ଜଙ୍ଗଲରେ ୨୬ ଟି ହାତୀ ରହିଥିବା ବନବିଭାଗ ଟ୍ରାକିଂ ରିପୋର୍ଟରେ ଦର୍ଶାଉଥିବାବେଳେ ବାସ୍ତବରେ ୧ ମାସ ତଳେ ଏକ ହାତୀର ମୃତୁ୍ୟ ହୋଇଥିବା ଅନୁମାନ କରାଯାଉଛି । ମଧ୍ୟମ ବୟସ୍କ ହାତୀ ର ବୟସ ୨୦ ରୁ ୨୫ ବର୍ଷ ହେବ ବୋଲି ଚମ୍ପୁଆ ବ୍ଲକ ଭେଟନାରୀ ଅଫିସର ଡାକ୍ତର ଶିବଚରଣ ସିଂ କହିଥିବାବେଳେ ମୃତୁ୍ୟର କାରଣ ଅସ୍ପଷ୍ଟ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଡିଏଫଓ ଧନରାଜ ଏଚ୍ଡି ବୟସ ଅଧିକ ଯୋଗୁଁ ହାତୀର ମୃ୍ତୁ୍ୟ ହୋଇଥିବା କହିଛନ୍ତି । ଜଙ୍ଗଲରେ ୨୫ ଟି ହାତୀ ଥିବାବେଳେ ବନ ବିଭାଗ କିପରି ୨୬ ଟି ହାତୀ ଥିବା ରିପୋର୍ଟ କରୁଥିଲା ତାହା ବିଭାଗର ଏଲିଫ୍ୟାଣ୍ଟ ଟ୍ରାକିଂ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି । କେନ୍ଦୁଝରରେ ହାତୀ ମୃତୁ୍ୟ ଘଟଣା ନେଇ ଉଦ୍ବେଗ ପ୍ରକାଶ ପାଇଛି । ହାତୀ ମରି କଙ୍କାଳ ହେବା ପର୍ଯ୍ୟନ୍ତ ଜାଣି ପାରୁନି ବନବିଭାଗ । ଓଡିଶାର ଘଞ୍ଚ ଜଙ୍ଗଲ ଓ ବନ୍ୟପ୍ରାଣୀ ଆମର ପରିଚୟ । ପ୍ରକୃତି ଓ ପର୍ଯ୍ୟାବରଣରେ ହାତୀମାନଙ୍କର ସ୍ଥାନ ସ୍ୱତନ୍ତ୍ର । କେନ୍ଦୁଝରରେ ବଢୁଥବବା ହାତୀ ମୃତୁ୍ୟ ଘଟଣା ବେଶ ଉଦ୍ବେଗଜନକ । କେନ୍ଦୁଝର ବନଖଣ୍ଡରେ ଶୀକାରୀ ଦ୍ୱାରା ହାତୀ ଶୀକାର, ବିଷ ପ୍ରୟୋଗ, ବିଦୁ୍ୟତ୍ ଆଘାତ, ଟ୍ରକ ଏବଂ ଟ୍ରେନ ଧକ୍କାରେ ଏବଂ ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ଅନେକ ହାତୀ ମୃତୁ୍ୟବରଣ କରୁଛନ୍ତି । ହାତୀ ମୃତୁ୍ୟ ରୋକିବା ପାଇଁ ସମୟ ଉପଯୋଗୀ ପଦକ୍ଷେପ ନିଆଯାଉନଥିବା କହିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି । ହାତୀ ହେଉଛି ଆମର ଐତିହ ପ୍ରାଣୀ ବନ୍ୟଜନ୍ତ୍ୁ ସୁରକ୍ଷା ଆଇନ ଅନୁସାରେ ହାତୀଙ୍କୁ ସର୍ବୋଚ୍ଚ ସୁରକ୍ଷା ଦିଆଯାଇଛି । ହାତୀଙ୍କ ସୁରକ୍ଷା ପାଇ ବନ ବିଭାଗ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରୁଛି । ହାତୀଙ୍କ ଗତିବିଧି ଜାଣିବା ପାଇଁ ଟ୍ରାକିଂ କରାଯାଉଛି । ଡ୍ରୋନ କ୍ୟାମେରା ବ୍ୟବହାର ହେଉଛି । ହାତୀ ସ୍କ୍ୱାର୍ଡ ନିୟୋଜିତ ଥିବାବେଳେ ଗାଁ ଗାଁରେ ଗଜସାଥି ଅଛନ୍ତି । ତଥାପି ହାତୀ ମରିବାର ୧ ମାସ ପରେ ସୂଚନା ମିଳିପାରୁନି । ବନ ବିଭାଗ ପକ୍ଷରୁ ଯାହା ସବୁ ବ୍ୟବସ୍ଥା ହେଉଛି ତାହା କେବଳ କାଗଜ କଲମରେ ସୀମିତ । ହାତୀ ମୃତୁ୍ୟ ପାଇଁ ତଳତଳିଆ କର୍ମଚାରୀଙ୍କୁ ଉତ୍ତରଦାୟୀ କରାଯାଉଥିବାବେଳେ ଡିଏଫଓ ଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ପିସିସିଏଫ୍(ବନ୍ୟପ୍ରାଣୀ) ଏହି ଘଟଣାର ତଦନ୍ତ କରି ଦାୟିତ୍ୱରେ ଅବହେଳା କରିଥିବା ଅଧିକାରୀ ଏବଂ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ କରିଛନ୍ତି ।