ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ କୋର କମିଟି ବୈଠକ
କେନ୍ଦୁଝର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ ଠାରେ ଆଜି ପୂର୍ବାହ୍ନରେ କେନ୍ଦୁଝର ବନଖଣ୍ଡରେ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ହାତୀ-ମଣିଷ ଲଢେଇ ଉପରେ କୋର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଡିଏଫ୍ଓଙ୍କ ଧନରାଜ ଏଚ୍ଡି ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଲୋକ ପ୍ରତିନିଧି,ଜିଲ୍ଲାର ବନ ସୁରକ୍ଷା ସଭାପତି,ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା,ପରିବେଶବିତ୍ ଏବଂ ବନ ବିଭାଗର ପଦାଧିକାରୀମାନେ ସାମିଲ ହୋଇଥିଲେ । ପ୍ରଥମରେ ଡିଏଫ୍ଓ ଧନରାଜ ଏଚ୍ଡି ବୈଠକର ଆଭିମୁଖ୍ୟ ବିଷୟରେ କହିଥିଲେ । ଏହାପରେ ଜିଲ୍ଲାରେ ହାତୀମାନଙ୍କର ବର୍ତ୍ତମାନର ସ୍ଥିତି ଉପରେ ଆଲୋଚନା ହୋଇଥିଲା । ଜିିଲ୍ଲାରେ ବିଶେଷ କରି ହାତୀମାନଙ୍କର ଚଳପ୍ରଚଳ ଅଂଚଳ,ହାତୀ ଚଲାପଥ ଆଦି ବିଷୟରେ ଆଲୋଚନା ହୋଇଥିଲା । ସ୍ଥାନୀୟ ଲୋକ ଏବଂ ସ୍ୱେଚ୍ଛାସେବୀ ସଂଗଠନର ମିଳିତ ସହଯୋଗରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ଏବଂ ସଫଳତା ବିଷୟରେ ଆଲୋଚନା ହୋଇଥିଲା । ସେହିପରି ହାତୀ ଓ ଲୋକଙ୍କ ସୁରକ୍ଷା ପାଇଁ ଦେଖାଦେଉଥିବା ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା । ବିଶେଷ କରି ହାତୀ ମଣିଷ ଲଢେଇ,ହାତୀ ଶୀକାର ଓ ବେଆଇନ କାରବାର ଏବଂ ଜଙ୍ଗଲ କ୍ଷୟକ୍ଷତି ବିଷୟରେ ଲୋକ ପ୍ରତିନିଧି,ସ୍ୱେଚ୍ଛାସେବୀ ସଂଗଠର କର୍ମକର୍ତ୍ତା ଏବଂ ସହକାରୀ ବନ ସଂରକ୍ଷକ ମାନେ ମତବ୍ୟକ୍ତ କରିଥିଲେ । ସେହିପରି ଜଙ୍ଗଲ ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଗୋଷ୍ଠିଗତ ସହଭାଗିତା ଏବଂ ସଚେତନତା,ସ୍ଥାନୀୟ ଲୋକଙ୍କ ଭୂମିକା ଆଦି ବିଷୟରେ ଆଲୋଚନା ହୋଇଥିଲା । ସେହିପରି ହାତୀ-ମଣିଷ ମଧ୍ୟରେ ସଂଘର୍ଷ କମାଇବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା । ହାତୀ ଉପଦ୍ରବ ରୋକିବା ପାଇଁ ଟ୍ରେଣ୍ଟ,ସୋଲାର ଫ୍ୟାନସିଂ କରିବା ସହ ସେଭଳି ପରିସ୍ଥିତିରେ କିଭଳି ଲୋକଙ୍କ ଜୀବନଜୀବିକା ସୁରକ୍ଷା ସହ ଜଙ୍ଗଲ ର ସୁରକ୍ଷା ଉପରେ କିପରି କରାଯାଇପାରିବ ସେ ଉପରେ ଡିଏଫଓ ବିସ୍ତୁତ ଭାବେ ବୁଝାଇଥିଲେ । ସେହିପରି ଆଇନଗତ ବ୍ୟବସ୍ଥା ଉପରେ ଆଇନ ବିଶେଷଜ୍ଞମାନେ ମତ ରଖିଥିଲେ । ପରେ ଏ ସବୁ ପାଇଁ କଣ ଅର୍ଥ ବ୍ୟବସ୍ଥା ରହିଛି ସେ ବିଷୟରେ ଆଲୋଚନା ହୋଇଥିଲା । ଏହାପରେ କୋର କମିଟି ସଦସ୍ୟମାନଙ୍କ ଠାରୁ ମତାମତ ନେଇ ଆଗାମୀ ଦିନର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା । ମୁଖ୍ୟ ଅତିଥିଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ ଯୋଗଦେଇ ଜଙ୍ଗଲ ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷା ସମସ୍ତଙ୍କର କର୍ତ୍ତବ୍ୟ ବୋଲି କହିଥିଲେ । ଲୋକଙ୍କ ସହଭାଗିତା ନ ରହିଲେ ଜଙ୍ଗଲ ସୁରକ୍ଷା ହୋଇ ପାରିବ ନାହିଁ ବୋଲି କହିଥିଲେ । ଅନ୍ୟତମ ଅତିଥିଭାବେ ପୂର୍ବତନ ସାଂସଦ ରାହାସ ବିହାରୀ ବାରିକ ଯୋଗଦେଇ ମଣିଷର ଜୀବନଶୈଳୀ ପାଇଁ ପରିବେଶ ନଷ୍ଟ ହେଉଛି ବୋଲି କହିଥିଲେ । ସେହିପରି ସାରା ବିଶ୍ୱରେ ଜଳବାୟୁପରିବର୍ତ୍ତନ ବଡ ବିପଦ ହୋଇ ଛିଡା ହେଲାଣି । ଆଧୁନିକ ଜୀବନଶୈଳୀ ପରିବର୍ତ୍ତନ ନ ହେଲେ ପ୍ରକୃତିର ସୁରକ୍ଷା ଅସମ୍ଭବ । ଜଙ୍ଗଲ ଆମ ଜୀବନ ଏହାର ସୁରକ୍ଷା ଜରୁରୀ ବୋଲି କହିଥିଲେ । ଜଙ୍ଗଲ ଜବରଦଖଲ ଯୋଗୁଁ ଜଙ୍ଗଲ କ୍ଷୟ ହେଉଛି । ଏହାକୁ ରୋକିବା ଜରୁରୀ । ଧରଣୀଧର ବିଶ୍ୱ ବିଦ୍ୟାଳୟର କୁଳପତି ଡକ୍ଟର ପ୍ରତାପ କୁମାର ମହାନ୍ତି ହାତୀ ମଣିଷ ଲଢେଇ ରୋକିବା ପାଇଁ ପଦକ୍ଷେପ ନେବା ଜରୁରୀ । ଜଙ୍ଗଲ କ୍ଷୟ ଏବଂ ଜଙ୍ଗଲରେ ହାତୀଙ୍କ ଖାଦ୍ୟ ଅଭାବ କାରଣରୁ ଜନବସତି ମୁହାଁ ହୋଇ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ବିକାଶ ପାଇଁ ବିନାଶ ହେଉଛି । ଜଙ୍ଗଲ ଜମି ପଟ୍ଟା ଯୋଗୁଁ ଅଧିକାଂଶ ଜଙ୍ଗଲ ଜବରଦଖଲ ହେଉଛି ଏବଂ ଏହି କାରଣରୁ ବ୍ୟାପକ ବୃକ୍ଷ ଛେଦନ ହେଉଛି । ଜଳବାୟୁ ପରିବର୍ତ୍ତନ ପାଇଁ ବନ୍ୟପ୍ରାଣୀ ଜନବସତି ମୁହାଁ ହେଉଛନ୍ତି । ପ୍ରାକୃତିକ ଜଙ୍ଗଲ ଧ୍ୱଂସ ହାତୀଙ୍କ ଖାଦ୍ୟର ଅଭାବ ଦେଖାଦେଇଛି । ସେହିପରି ହାତୀଙ୍କ ପ୍ରାକୃତିକ ଚଳାପଥର ସୁରକ୍ଷା ଜରୁରୀ ବୋଲି ଶ୍ରୀ ମହାନ୍ତି କହିଥିଲେ । ଡିଏଫ୍ଓ ଧନରାଜ ଏଚ୍ଡି ଜଙ୍ଗଲ ଜବରଦଖଲ ଯୋଗୁଁ ଏବଂ ବ୍ୟାପକ ଜଙ୍ଗଲ କ୍ଷୟ ଯୋଗୁଁ ହାତୀ-ମଣିଷ ସଂଘର୍ଷ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ଜଙ୍ଗଲ ଉପରେ ଲୋକଙ୍କ ନିର୍ଭରତା କମିଲେ ଜଙ୍ଗଲ ସୁରକ୍ଷା ହୋଇପାରିବ । କେନ୍ଦୁଝର ଜିଲ୍ଲାରେ ଏବେ ବି ବହୁ ପରିବାର ଜାଳେଣୀ ଭାବେ କାଠ ବ୍ୟବହାର କରୁଛନ୍ତି । ଫଳରେ ଏହି କାରଣରୁ ଦୈନିକ ହଜାର ହଜାର ଗଛ କଟୁଛି । ସେହିପରି ବେଆଇନ ଗଛ କଟା ଉପରେ ଅଙ୍କୁଶ ଲଗାଇବା ପାଇଁ ପଦକ୍ଷେପ ନିଆଯାଉଛି । ସେହିପରି ହାତୀ ସୁରକ୍ଷା ପାଇଁ ଜାତୀୟ ରାଜପଥ ବିଭାଗ ଏବଂ ରେଳ ବିଭାଗ ସହ ସମନ୍ୱୟ ରକ୍ଷା କରଯାଇ ବିଭିନ୍ନ ପଦକ୍ଷେପ ନିଆଯାଉଥିବା କହିଥିଲେ । ଏହି କାର୍ଯ୍ୟକ୍ରମରେ ଆଇଏଫ୍ଏସ୍ ପ୍ରୋବେସନର କେ.ନାଗାରାଜୁ ଆକ୍ସନ ପ୍ଲାନ ସମ୍ପର୍କରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଏସିଏଫ୍ ଇନଚାର୍ଜ ଘଟଗାଁ ରେଞ୍ଜ ପ୍ରଭାତ କୁଅଁର,ଏସିଏଫ୍ ଇନଚାର୍ଜ ଚମ୍ପୁଆ ରେଞ୍ଜ ଅକ୍ଷୟ ଛତ୍ରିଆ,ଏସିଏଫ୍ ଇନଚାର୍ଜ ତେଲକୋଇ ରେଞ୍ଜ ଶିବାଜୀ ମୋହନ ରାଓ,ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜ ଅଧିକାରୀ ନୟନକାନ୍ତ ସାହୁ, ବଡବିଲ ରେଞ୍ଜ ଅଧିକାରୀ ରଂଜନ କାର୍ଲୋ,ସଦର ରେଞ୍ଜ ଅଧିକାରୀ ଅଜିତ୍ କୁମାର ଦାସ,ଅବସରପ୍ରାପ୍ତ ରେଞ୍ଜ ଅଧିକାରୀ ବିଜୟ କୁମାର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।