ମୌସୁମୀ ଆଇଲାରେ...
ସେକାଳ ଗ୍ରୀଷ୍ମଲହର ପାଇଁ ଆଉଟପାଉଟୁ ହୋଇଯାଇଛି ଜନଜୀବନ । ମାଟି ଫାଟି ଅାଁ କରିଛି । ପୋଖରୀ, ନଈ ନାଳ ଶୁଖିଶୁଖି ଚାଲିଛି । ସମସ୍ତେ ଚାତକ ଭଳି ଅନେଇ ରହିଥିଲେ କେବେ ଆସିବ ମୌସୁମୀ । କେରଳରେ ମୌସୁମୀର ପଦଚିହ୍ନ ପଡ଼ିସାରିଛି । ଧିରେଧିରେ ତାହା ଅଗ୍ରସର ହେଉଥିବାବେଳେ ରଜ ବେଳକୁ ଓଡ଼ିଶାରେ ଆରମ୍ଭ ହୋଇଯିବ ମୌସୁମୀ ବର୍ଷା ।
ମୌସୁମୀ ଶବ୍ଦଟି ‘ମୌସିସ୍?’ ନାମକ ଆରବ ଶବ୍ଦରୁ ସୃଷ୍ଟି । ଯାହାର ଅର୍ଥ ହେଉଛି ଋତୁ । ଏହି ପବନ ଦ୍ୱାରା ଭାରତୀୟ ଜଳବାୟୁ ଉପରେ ଏପରି ପ୍ରଭାବ ପଡିଥାଏଯେ, ଭାରତୀୟ ଜଳବାୟୁକୁ ମୌସୁମୀ ଜଳବାୟୁ ବୋଲି କୁହାଯାଇଥାଏ । ମୌସୁମୀ ବାୟୁକୁ ଗ୍ରୀଷ୍ମକାଳୀନ ମୌସୁମୀ ବାୟୁ ଓ ଶୀତକାଳୀନ ମୌସୁମୀ ବାୟୁ ନାମରେ ମଧ୍ୟ ନାମିତ କରାଯାଇଥାଏ ।
ଉତ୍ତର ପୂର୍ବ ମୌସୁମୀ ବାୟୁ ଓ ଏହାର ପ୍ରଭାବ : ଶୀତ ଋତୁରେ ଉପମହାଦେଶର ଉତ୍ତର ପଶ୍ଚିମାଞ୍ଚଳରେ ସୃଷ୍ଟ ଗୁରୁଚାପ ଦ୍ୱାରା ପାଣିପାଗ ପ୍ରଭାବିତ ହୋଇଥାଏ । ଯାହା ଫଳରେ ଗୁରୁଚାପ ଅଞ୍ଚଳରୁ ଶୀତଳ ତଥା ଶୁଷ୍କବାୟୁ ଦକ୍ଷିଣସ୍ଥ ଭାରତ ମହାସାଗରୀୟ ଲଘୁଚାପ ଅଞ୍ଚଳ ଆଡ଼କୁ ପ୍ରବାହିତ ହୁଏ । ଯେହେତୁ ଏହି ବାୟୁ ଶୀତଳ ଓ ଶୁଷ୍କ ଏହାଦ୍ୱାରା ବର୍ଷା ହୁଏନାହିଁ ଏବଂ ପାଣିପାଗ ଥଣ୍ଡା ଓ ଶୁଷ୍କ ରହେ, ବଙ୍ଗୋପସାଗର ଉପର ଦେଇ ପ୍ରବାହିତ ହେବା ସମୟରେ ଉତ୍ତରପୂର୍ବ ମୌସୁମୀ ବାୟୁ କିଛି ଜଳୀୟ ବାଷ୍ପ ଗ୍ରହଣ କରି ତାମିଲନାଡୁର ଉପକୂଳରେ ବର୍ଷା କରାଏ ।
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓ ଏହାର ପ୍ରଭାବ : ସୂର୍ଯ୍ୟଙ୍କର ଉତ୍ତରାୟଣ ଗତିପାଇଁ ଗ୍ରୀଷ୍ମଋତୁରେ ଭାରତର ଉତ୍ତର ପଶ୍ଚିମାଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇଥାଏ । ସୁତରାଂ ବାୟୁଚାପ ପରିବର୍ତ୍ତିତ ହୋଇ ଉତ୍ତର ପଶ୍ଚିମାଞ୍ଚଳରେ ଗୁରୁଚାପ ଓ ଭାରତ ମହାସାଗର ଅଞ୍ଚଳରେ ଗୁରୁଚାପ ସୃଷ୍ଟିହୁଏ । ଫଳସ୍ୱରୂପ ଉତ୍ତର-ପୂର୍ବ ଆୟନବାୟୁ ବଦଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଆରମ୍ଭ ହୁଏ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମୁଦ୍ର ଉପର ଦେଇ ପ୍ରବାହିତ ହେଉଥିବାରୁ ଏଥିରେ ପ୍ରଚୁର ଜଳୀୟ ବାଷ୍ପ ଥାଏ । ଏହା ଭାରତର ଅଧିକାଂଶ ଅଞ୍ଚଳରେ ବର୍ଷା କରାଇବାରେ ସହାୟକ ହୁଏ ।
ମୌସୁମୀବାୟୁ କ୍ରାନ୍ତିମଣ୍ଡଳରେ ପ୍ରବାହିତ ଏକ ଋତୁକାଳୀନ ବାୟୁ ପ୍ରବାହ । ଶୀତଋତୁରେ ଏହି ବାୟୁ ସ୍ଥଳଭାଗରୁ ସମୁଦ୍ର ଆଡ଼କୁ ଓ ଗ୍ରୀଷ୍ମଋତୁରେ ସମୁଦ୍ରରୁ ସ୍ଥଳଭାଗକୁ ପ୍ରବାହିତ ହୁଏ । ତେଣୁ ମୌସୁମୀ ବାୟୁ ପ୍ରଭାବରେ ଗ୍ରୀଷ୍ମଋତୁରେ ହିଁ ଅଧିକାଂଶ ବର୍ଷାହୁଏ ଓ ଶୀତଋତୁ ସାଧାରଣତଃ ଶୁଷ୍କ ରହେ । ଗ୍ରୀଷ୍ମ ଓ ଶୀତଋତୁରେ ସଂପୂର୍ଣ୍ଣ ବିପରୀତମୁଖୀ ପ୍ରବାହିତ କ୍ରାନ୍ତିମଣ୍ଡଳୀୟ ବାୟୁସ୍ରୋତ ହିଁ ମୌସୁମୀ ବାୟୁ ।
ପାରମ୍ପରିକ ବିଶ୍ୱାସ ଅନୁଯାୟୀ, ଜଳ ଓ ସ୍ଥଳ ଭାଗରେ ତାପମାତ୍ରାର ପାର୍ଥକ୍ୟ ଯୋଗୁଁ ମୌସୁମୀ ପ୍ରବାହ ହୁଏ । ଗ୍ରୀଷ୍ମ ଋତୁରେ ସ୍ଥଳଭାଗ ଅତ୍ୟଧିକ ଉତ୍ତପ୍ତ ହେବାରୁ ଲଘୁଚାପ ସୃଷ୍ଟି ହୁଏ । ତେଣୁ ନିକଟବର୍ତ୍ତୀ ମହାସାଗରରୁ ଗୁରୁଚାପ ସ୍ଥଳଭାଗ ଆଡ଼କୁ ପ୍ରବାହିତ ହୁଏ । ଫଳରେ ଗ୍ରୀଷ୍ମଋତୁରେ ବି ପ୍ରଚୁର ବର୍ଷା କରାଏ ।
ଭାରତର ଅଧିକାଂଶ ଭାଗ ପାଇଁ ଉପକୂଳ ସ୍ପର୍ଶ କରୁଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁପ୍ରବାହ ଯୋଗୁଁ ବର୍ଷାଋତୁ ଆରମ୍ଭ ହୁଏ ଏବଂ ଜୁଲାଇ ମଧ୍ୟ ଭାଗ ସୁଦ୍ଧା ଦେଶର ଅଧିକାଂଶ ଅଞ୍ଚଳକୁ ବ୍ୟାପିଯାଏ । ବର୍ଷାଋତୁ ଜୁନରୁ ଆରମ୍ଭ ହୋଇ ସେପ୍ଟେମ୍ବର ପର୍ଯ୍ୟନ୍ତ ଲାଗିରହେ । ଉଷ୍ମ ଜଳୀୟ ବାଷ୍ପ ପୂର୍ଣ୍ଣ ମୌସୁମୀ ପ୍ରବାହ ଯୋଗୁଁ ପାଣିପାଗ ସଂପୂର୍ଣ୍ଣ ପରିବର୍ତ୍ତନ ହୋଇଯାଏ ଏବଂ ମୌସୁମୀ ପ୍ରବାହ ଯୋଗୁଁ ପ୍ରବଳ ବର୍ଷାହୁଏ । ବେଳେବେଳେ ଅଚାନକ ବର୍ଷା ହୋଇଥାଏ । ଯାହାକୁ ‘ମୌସୁମୀ ଫଟା’ ବର୍ଷା ବୋଲି କୁହାଯାଏ । ଉତ୍ତରସ୍ଥ ସମତଳ ଅଞ୍ଚଳ ଓ ଭାରତ ମହାସାଗର ଉପରେ ନିର୍ଭର କରି ମୌସୁମୀ ପ୍ରବାହ ଏକ ବା ଦୁଇ ସପ୍ତାହ ବିଳମ୍ବ ହୋଇପାରେ । ଭାରତୀୟ ଉପଦ୍ୱୀପର ଗଠନ ଦୃଷ୍ଟିରୁ ଦକ୍ଷିଣ ପଶ୍ଚିମ ବାୟୁ ଦୁଇ ଭାଗରେ ବିଭକ୍ତ ହୋଇ ଆରବ ସାଗରୀୟ ଶାଖା ଓ ବଙ୍ଗୋପସାଗରୀୟ ଶାଖା ରୂପେ ପ୍ରବାହିତ ହୁଏ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଆରବ ସାଗରୀୟ ଶାଖା ପଶ୍ଚିମଘାଟ ପର୍ବତମାଳାରେ ବାଧାପ୍ରାପ୍ତ ହୋଇ ପ୍ରବଳ ବର୍ଷା କରାଏ । ବଙ୍ଗୋପସାଗରୀୟ ଶାଖା ପୂର୍ବାଞ୍ଚଳରେ ବାଧାପ୍ରାପ୍ତ ହୋଇ ୨ଟି ଉପଶାଖାରେ ବିଭକ୍ତ ହୁଏ । ଗୋଟିଏ ଶାଖା ଉତ୍ତର ପୂର୍ବ ଆଡ଼କୁ ଗତି କରି ବ୍ରହ୍ମପୁତ୍ର ଉପତ୍ୟକା ଓ ଉତ୍ତରପୂର୍ବ ପାର୍ବତ୍ୟାଞ୍ଚଳରେ ପ୍ରବଳ ବର୍ଷା କରାଇଥାଏ । ଅନ୍ୟ ଏକ ଶାଖା ଗାଙ୍ଗେୟ ଉପତ୍ୟକା ଓ ହିମାଳୟ ପାର୍ବତ୍ୟାଞ୍ଚଳ ଦେଇ ଉତ୍ତର ପଶ୍ଚିମ ଆଡ଼କୁ ପ୍ରବାହିତ ହୁଏ ଓ ପ୍ରବଳ ବର୍ଷା କରାଏ । ମୌସୁମୀ ଘୋଷଣା ନେଇ ଆଇଏମଡ଼ିର ମଧ୍ୟ ସ୍ୱତନ୍ତ୍ର ମଡ଼େଲ୍ ରହିଛି ।