ଓଡ଼ିଶାର ଅବହେଳିତ ବୌଦ୍ଧ ବିଭବ


ଆଜକୁ ପ୍ରାୟତଃ ପଚିଶ ଶହ ବର୍ଷ ପୂର୍ବେ (ଖ୍ରୀଷ୍ଟ ପୂର୍ବ ୫୬୭/୫୬୬) କପିଳବାସ୍ତୁ ନଗରୀର ରାଜା ଶୁଦେ୍ଧାଦନ ଏବଂ ରାଣୀ ମାତା ମାୟାଦେବୀଙ୍କର ଏକମାତ୍ର ଯୋଗଜନ୍ମା ବରପୁତ୍ର ଭାବେ ପବିତ୍ର ବୈଶାଖ ପୁର୍ଣ୍ଣିମା ଦିବସରେ ଲୁମ୍ବିନୀ ରାଜୋଦ୍ୟାନରେ ଧରାବତରଣ କରିଥିଲେ ଗୌତମ ବୁଦ୍ଧ । ବୋଧଗୟା (ବିହାର)ସ୍ଥ ବୋଧିଧର୍ମ ତଳେ ବୁଦ୍ଧତ୍ୱ ପ୍ରାପ୍ତି ହେଇଥିଲେ ଏହି ବୈଶାଖ ପୁର୍ଣ୍ଣିମା ଦିବସରେ ।  ତଥାଗତ ବୁଦ୍ଧ ଯେଉଁଠାରେ ସମ୍ବୋଧି ପ୍ରାପ୍ତ ହୋଇଥିଲେ ତାହା ବୌଦ୍ଧ ଜଗତର ମହାମହିମ ମହାତୀର୍ଥଧାମ ବୁଦ୍ଧ ଗୟା ବା ବୋଧ ଗୟା, ଯେଉଁ ଅଶ୍ୱଥ ଦ୍ରୁମ ତଳେ ତପସ୍ୟା କରି ବୁଦ୍ଧ ତଥାଗତ ହୋଇଥିଲେ ତାହା ମହାପବିତ୍ର ବୋଧି ଦ୍ରୁମ ବା ମହାବୋଧି ଦ୍ରୁମ, ଏବଂ ଯେଉଁ ଧର୍ମ ପ୍ରବର୍ତ୍ତନ ପ୍ରଚଳନ ଓ ପ୍ରଚାର ପ୍ରସାର କରିଥିଲେ ତାହା ମାନବବାଦୀ ଲୋକପ୍ରିୟ ବୌଦ୍ଧ ଧର୍ମ ନାମରେ ବିଶ୍ୱବିଦିତ । 
ଭଗବାନ ବୁଦ୍ଧଙ୍କ ବୌଦ୍ଧ ଧର୍ମ ପ୍ରଚାର ପ୍ରସାର ସାରା ଭାରତ ବର୍ଷରେ ପ୍ରଚଣ୍ଡ ଲୋକପ୍ରିୟତା ଅର୍ଜନ କରିବା ସହିତ ଦରିଆ ପାରି ସିଂହଳ, ବର୍ମା, ଶ୍ୟାମ, କାମ୍ବୋଜ, ମାଳୟ, ସୁବର୍ଣ୍ଣ ଦ୍ୱୀପ (ଜାଭା), ସୁବର୍ଣ୍ଣ ଭୂମି (ମିଆଁମାର), ନେପାଳ, ତିବ୍ଦତ, ମଙ୍ଗୋଲିଆ, ଚୀନ, ଜାପାନ, ଫିଲିପାଇନ୍ସ ଏବଂ ଆଫଗାନିସ୍ଥାନ ଆଦି ଦେଶ ମାନଙ୍କୁ ପ୍ରସାରିତ ହୋଇ ଏକ ଗଣଧର୍ମଭାବେ ସ୍ୱୀକୃତି ଲାଭ କରିଥିଲା । ବୁଦ୍ଧଙ୍କ ଉଦ୍ଘୋଷିତ ନୀତିବାଣୀ ଯଥା ଚତୁଃ ଆର୍ଯ୍ୟସତ୍ୟ, ଆର୍ଯ୍ୟଅଷ୍ଟାଙ୍ଗିକ ମାର୍ଗ ଏବଂ କାଳଜୟୀ ପଞ୍ଚଶୀଳ ଇତ୍ୟାଦି ଅତ୍ୟନ୍ତ ମହତ୍ୱପୁର୍ଣ୍ଣ, ଉପାଦେୟପୂର୍ଣ୍ଣ, ଯୁଗୋପଯୋଗୀ ଏବଂ ନିର୍ବାଣମୁକ୍ତି ପାଇଁ ବେଶ୍ ଉଦ୍ଦିଷ୍ଟ ତଥା ଅପରିହାର୍ଯ୍ୟ । ଯଦିଓ ବୁଦ୍ଧ ସ୍ୱଧର୍ମକୁ ଜନାଦୃତ କରିବା ପାଇଁ କଳିଙ୍ଗ/ଉକ୍ରଳ/ଓଡ଼ିଶା ଭୂମିରେ ପଦାର୍ପଣ କରିନଥିଲେ ତେବେ ତାଙ୍କର ସର୍ବପ୍ରଥମ ଦୁଇ ଉକ୍ରଳୀୟ ବଣିକ ଗୃହୀ ଶିଷ୍ୟ ତଥା ଆନ୍ତର୍ଜାତିକ ବୌଦ୍ଧ ମହାନଗରୀ ଅସିତାଞ୍ଜନସ୍ଥ କେଶସ୍ଥଳୀ ଏବଂ ଭଲ୍ଲୁକୋ ଗ୍ରାମନିବାସୀ ତପ୍ପସ୍ୱୁ ଓ ଭଲ୍ଲିକ ତଥାଗତ ବୁଦ୍ଧଙ୍କ ପ୍ରଦତଃ ପବିତ୍ର ନଖ ଓ କେଶ ଉସôକୁ ବହନ କରି ଆଣି ନିଜର ଗ୍ରାମ ମାଟିରେ ବିଶ୍ୱର ସର୍ବପ୍ରଥମ ଐତିହାସିକ ଗରିମାମୟ ନଖ ସ୍ତୁପ ଓ କେଶ ସ୍ତୁପ ନିର୍ମାଣ କରିଥିଲେ । ବୁଦ୍ଧଙ୍କ ସଧର୍ମ ପ୍ରଚାର ଅବ୍ୟବହିତ ପୂର୍ବରୁ ଓଡ଼ିଶା ମାଟିରେ କାଳଜୟୀ ବୁଦ୍ଧବାଣୀ ତଥା ବୌଦ୍ଧ ଧର୍ମ ପ୍ରଚାର କରିବାରେ ସୌଭାଗ୍ୟ ଅର୍ଜନ କରିଥିଲେ । ବୌଦ୍ଧ ପାଲିଗ୍ରନ୍ଥ ଲଳିତ ବିସ୍ତର, ବିନୟ ପିଟକ, ନିକାୟ ଏବଂ ଜାତକ ମାନଙ୍କରୁ ଏହା ଜଣାଯାଏ । ତେବେ ପ୍ରାଚୀନ ବୌଦ୍ଧ ନଗରୀ ଅସିତାଞ୍ଜନ ହିଁ ଅସଂଖ୍ୟ ବୌଦ୍ଧ ବିଭବ କୀର୍ତ୍ତି ଏବଂ ଐଶ୍ୱର୍ଯ୍ୟ ଭରା ଆଜିର ଅପଭ୍ରଷ୍ଟ ଅସିହା ପର୍ବତାଂଚଳ ହୋଇଥିବା ବେଳେ କେଶ ସ୍ତୂପ ଓ କେଶ ସ୍ଥଳୀ ପ୍ରଲମ୍ବିତ ଧର୍ମଶାଳା ଓ ଲଳିତଗିରି ପୁଷ୍ପଗିରି ସଂଲଗ୍ନ ଅଂଚଳ ପାରାଭାଡ଼ି ଶୁଖୁଆପଡ଼ା ଏବଂ ଧର୍ମଶାଳା ଡୁବୁରୀ ପାହାଡ଼ ଶୀର୍ଷରୁ ମିଳିଥିବା ପ୍ରାଚୀନ ସ୍ତୂପ ବା କେଶ ସ୍ତୂପ ହୋଇଥିବା ଚିହ୍ନଟ କରାଯାଇଥିବା ବେଳେ କେଶସ୍ଥଳୀ ହିଁ ପ୍ରାଚୀନ ବୌଦ୍ଧ ଗ୍ରାମ କେଶରାଇପୁର ଏବଂ ଭଲ୍ଲୁକୋ ଗ୍ରାମ ହିଁ ଅପଭ୍ରଷ୍ଟ ପ୍ରାଚୀନ ବୌଦ୍ଧ ଗ୍ରାମ ଭୁଲୁକା ବା ଭାଲୁଖାଇ ବୋଲି ପ୍ରମାଣସିଦ୍ଧ ହୋଇଅଛି । କାରଣ ଡୁବୁରୀ ପାହାଡ଼ ଶୀର୍ଷରୁ ମିଳିଥିବା ଏକ ପ୍ରାଚୀନ ବୌଦ୍ଧ ଚୈତ୍ୟ ଗର୍ଭରୁ ଆବିଷ୍କୃତ ଏକ ପୋଟରୀ (ମୃଣ୍ମୟ) ପାତ୍ର ଗାତ୍ରରେ ଲିଖିତ କେଶଥୂପ, ଭିକ୍ଷୁତପସ୍ୱଦାନମ୍ ଏବଂ ସର୍ବୋପରି ଦେଉଳି ପାହାଡ଼ର ଗୁମ୍ଫାରେ ଲିଖିତ ବ୍ରାହ୍ମୀଲିପି ଭଲ୍ଲିକଲେନ ହିଁ ଉପରୋକ୍ତ ତଥ୍ୟାବଳୀକୁ ପ୍ରମାଣସିଦ୍ଧ କରୁଅଛନ୍ତି । ତପସ୍ୱୁ ଭଲ୍ଲିକ ମଧ୍ୟ ଦରିଆପାରି ସିଂହଳ ଦ୍ୱୀପରେ ପଦାର୍ପଣ ପୂର୍ବକ ଏକ ଚୈତ୍ୟ ବା ସ୍ତୂପ ନିର୍ମାଣ କରି ବୁଦ୍ଧବାଣୀ ତଥା ବୌଦ୍ଧ ଧର୍ମକୁ ସିଂହଳ ମାଟିରେ ପ୍ରଚାର ପ୍ରସାର କରିଥିବା କଥା ସିଂହଳୀ ବୌଦ୍ଧ ଗ୍ରନ୍ଥ ପୂଜାବଳିୟରେ ଲିପିବଦ୍ଧ ହୋଇଛି । ତେବେ ବୁଦ୍ଧଙ୍କ ମହାପରିନିର୍ବାଣ ପରେ କଳିଙ୍ଗ-ଉକ୍ରଳ-ଓଡ଼ିଶାର ରାଜା ବ୍ରହ୍ମଦତ୍ତଙ୍କ ଦ୍ୱାରା ନିଜର ରାଜଧାନୀ ଦନ୍ତପୁରରେ ମହାମହିମ ବୁଦ୍ଧଦନ୍ତ ଚୈତ୍ୟ ତଥା ଦନ୍ତପୁରର ସମ୍ଭାବ୍ୟ ଅବସ୍ଥିତ ପ୍ରଖ୍ୟାତ ପ୍ରାଚୀନ ବୌଦ୍ଧ ପୀଠ ଲଳିତଗିରିସ୍ଥ ଲଣ୍ଡା ପାହାଡ଼ ଶୀର୍ଷରୁ ଆବିଷ୍କୃତ ପ୍ରକାଣ୍ଡ କାୟ ପ୍ରସ୍ତର ସ୍ତୂପ/ମହା ଚୈତ୍ୟ ଗର୍ଭରୁ ମିଳିଥିବା ସ୍ୱର୍ଣ୍ଣପେଟିକାରେ ସଂରକ୍ଷିତ ମହାମହିମ ବୁଦ୍ଧଦନ୍ତ ହିଁ ପ୍ରମାଣ ସିଦ୍ଧ କରୁଛି । ତେବେ ଖ୍ରୀଷ୍ଟପୂର୍ବ ତୃତୀୟରୁ ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀ ମଧ୍ୟରେ ଅର୍ଥାତ ବୌଦ୍ଧାନୁରାଗୀ ମୌର୍ଯ୍ୟ ସମ୍ରାଟ ଅଶୋକ, କନିଷ୍କ, ଗୁପ୍ତ ସମ୍ରାଟ ନରସିଂହ ଗୁପ୍ତ, ବାଳାଦିତ୍ୟ, ବିଷ୍ଣୁ ଗୁପ୍ତ ଚନ୍ଦ୍ରାଦିତ୍ୟ, ଓଡ଼ିଶାର ବୌଦ୍ଧ ଧର୍ମାନୁରାଗୀ ଭୌମକର ସମ୍ରାଟଗଣ ଏବଂ ସର୍ବୋପରି ମୁକୁନ୍ଦ ଦେବଙ୍କ ଦୁର୍ବାର ପ୍ରୟାସ ତଥା ରାଜକୀୟ ପୃଷ୍ଠପୋଷକତାରେ ବୌଦ୍ଧ ଧର୍ମ ଏକ ଲୋକପ୍ରିୟ ଗଣଧର୍ମଭାବେ କାଳର କରାଳବକ୍ଷରେ ତିଷ୍ଠି ରହିଥିଲା । ଅଦ୍ୟାବଧି ଓଡ଼ିଶାର ଆଠଗଡ଼, ନୂଆପାଟଣା, ମାଣିଆବନ୍ଧ, ବାଙ୍କୀ, ବଡମ୍ବା ନରସିଂହପୁର, ବୈଦ୍ୟେଶ୍ୱର, ଚମ୍ପେଶ୍ୱର, ପୁରୁକୁଟିଆ, ମହମ୍ମଦପୁର ବିଲହାଟ ଆଦି ପ୍ରମୁଖ ବୌଦ୍ଧ ଧର୍ମାବଲମ୍ବୀ ଗ୍ରାମ ବା ବୌଦ୍ଧ ଗ୍ରାମପୁଞ୍ଜ ଯଥାର୍ଥରେ ଭାଗବାନ ବୁଦ୍ଧ ଓ ବୌଦ୍ଧ ଧର୍ମର ଅବିସ୍ମରଣୀୟ ସ୍ମୃତିକୁ ବହନ କରୁଛନ୍ତି ବୁଦ୍ଧ ଜୟନ୍ତୀ ଏବଂ ବୌଦ୍ଧ ପର୍ବପର୍ବାଣି ପାଳନ ମାଧ୍ୟମରେ ।
 ଓଡ଼ିଶାରେ ବୌଦ୍ଧ ଧର୍ମ କଳା ସ୍ଥାପତ୍ୟ, ସଂସ୍କୃତି ସମ୍ପୁର୍ଣ୍ଣ ଲୋପ ପାଇ ଯାଇଥିବା ସତ୍ତ୍ୱେ ମାଟି ତଳେ ପୋତି ହୋଇ ପଡ଼ିରହିଥିବା ବୌଦ୍ଧ କୀର୍ତ୍ତିରାଜିର କଙ୍କାଳମାଳା ଯଥା ସ୍ତୂପ, ଚୈତ୍ୟ, ବିହାର, ମହାବିହାର, ମନ୍ଦିର, ଶିଳାଲିପି, ଧାରଣୀ, ସିଲ୍, ବିଭିନ୍ନ ବୁଦ୍ଧ ଓ ବୌଦ୍ଧ ମୂର୍ତ୍ତି ଓ କୀର୍ତ୍ତିରାଜିର ଧ୍ୱଂସାବଶେଷଗୁଡ଼ିକ ଯଥାର୍ଥରେ କାଳଜୟୀ ବୌଦ୍ଧଐଶ୍ୱର୍ଯ୍ୟ, ଐତିହ୍ୟ ଏବଂ ବିଭବଭାବେ ତିଷ୍ଠି ରହି ପାଖା ପାଖି ଅଢେଇ ହଜାର ବର୍ଷର ପ୍ରଲମ୍ବିତ ସୁଦୂର ପ୍ରାଚୀନ ବାସ୍ନାୟିତ ସମୃଦ୍ଧ ବୌଦ୍ଧ ଅତୀତ ଐଶ୍ୱର୍ଯ୍ୟ, ବିଭବ, ଧର୍ମ ଏବଂ ସଂସ୍କୃତି ତଥା ଓଡ଼ିଆ ଜାତିର  ଅସ୍ମିତାର ପ୍ରଶସ୍ତି ଗାନ କରୁଛନ୍ତି । ବୌଦ୍ଧଐଶ୍ୱର୍ଯ୍ୟ ହେଉଛି ଓଡ଼ିଶାର ଗର୍ବ ଗୌରବ, ଆଭିଜାତ୍ୟ ଓ ସମୃଦ୍ଧିର ପ୍ରତୀକ ହୋଇଥିବା ବେଳେ ବୌଦ୍ଧ ଐତିହ୍ୟ ହେଉଛି ଏକାଧାରରେ ଓଡ଼ିଶାର ସୌରଭ, ସ୍ୱାଭିମାନ ଏବଂ ଓଡ଼ିଶାର ପ୍ରାଣ ହୋଇଥିବା ବେଳେ ଓଡ଼ିଆ ଜାତିର ପ୍ରାଣ ର ସ୍ପନ୍ଦନ ସଦୃଶ ।
ଐତିହ୍ୟ ହେଉଛି ଏକ ଜାତୀୟ ଇତିହାସର ନିର୍ବାକ ମୂକସାକ୍ଷୀ, ସଂସ୍କୃତିର ନିର୍ଯ୍ୟାସ ତଥା ଅବାରିତ ପ୍ରବହାମାନ ମନ୍ଦାକିନୀ ଧାରା । ଏହି ବୌଦ୍ଧ ଗବେଷକ ଦ୍ୱାରା ଆବିଷ୍କୃତ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଏକାଧିକ ଗଳିକନ୍ଦି ସ୍ଥାନମାନଙ୍କରୁ ଶତାଧିକ ବୌଦ୍ଧ କୀର୍ତ୍ତିରାଜି ବିଧିବଦ୍ଧ ସଂରକ୍ଷଣ ଅଭାବରୁ ଆସନ୍ନ ଧ୍ୱଂସାଭିମୁଖୀ । ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କ ଦ୍ୱାରା ଉଜୁଡ଼ି ଯାଉଥିବା ଦୁଷ୍ପ୍ରାପ୍ୟ ବୌଦ୍ଧ ଐତିହ୍ୟ, ଐଶ୍ୱର୍ଯ୍ୟ ଓ ବିଭବଗୁଡ଼ିକୁ ବିଭିନ୍ନ ଆଞ୍ଚଳିକ ସଂଗ୍ରହାଳୟମାନଙ୍କରେ ସ୍ଥାନିତପୂର୍ବକ ସଂରକ୍ଷିତ କରାଯିବା ନିତାନ୍ତ ଜରୁରି । ପ୍ରକାଶ ଯୋଗ୍ୟ ଯେ ଯାଜପୁର ଜିଲ୍ଲା କୋଲଣଗିରି, ଘୋଡ଼କାପାଟ, ମହାକାଳପଡ଼ା, ଖଇରା, ଶ୍ରୀରାମପୁର, ଜାହ୍ନଗିରି, ସନ୍ଥମାଧବ, ନରସିଂହପୁର, କପିଳା, ଏରଡ଼ା, ତରାଙ୍ଗ, କୁଆଁସ, ଗଣପତିପୁର, ଧର୍ମଶାଳା, କାଏମା, ରାଧାନଗର, ଲାଙ୍ଗୁଳି ପାହାଡ଼, ତରାପୁର, ଡୁବୁରୀ, ଦେଉଳୀ, ବଜ୍ରଗିରି, ସିଂହାପୁର, ଓଡ଼ିଶୋ ଆଦି ବୌଦ୍ଧସ୍ଥଳୀ ସମେତ ବିଶ୍ୱ ବିଖ୍ୟାତ ବୌଦ୍ଧ ପୀଠ ଉଦୟଗିରି ଓ ରତ୍ନଗିରିସ୍ଥ ଭବ୍ୟ ଚିତ୍ତାକର୍ଷକ ବିଶ୍ୱବିଶ୍ରୁତ ବୌଦ୍ଧ ଐତିହ୍ୟ, ଐଶ୍ୱର୍ଯ୍ୟ, ବିଭବ ବିଧିବଦ୍ଧ ସଂରକ୍ଷଣ ଅଭାବରୁ ଅବହେଳିତ ତଥା ଜରାଜୀର୍ଣ୍ଣ ଅବସ୍ଥାରେ ଆସନ୍ନ ଧ୍ୱଂସାଭିମୁଖୀ । ଏଗୁଡ଼ିକର ଆଶୁ ସଂରକ୍ଷଣ ସର୍ବାଦୌ ଜରୁରି ତଥା ଅପରିହାର୍ଯ୍ୟ । ସେହିପରି କଟକ ଜିଲ୍ଲାର ସାଲେପୁର, ବ୍ରହ୍ମାବଣ, କଲଣପୁର, କେନ୍ଦୁପାଟରଣା, ନଟରା ମହାଜନପୁର, ତାରପୁର, କିଶନ ନଗର, ସାତଭଉଣୀ ପୀଠ, ବଟେଶ୍ୱର, ଜଗତସିଂପୁର ଜିଲ୍ଲାର ନାସିକ, କୋଟିଆଁ, ବାରଙ୍ଗ, ପୁରଣ ମଇନ୍ଦିପୁର, ବାଣେଶ୍ୱରନାସୀ, ବାଙ୍କୀ, ବୈଦେଶ୍ୱର, ବଡ଼ମ୍ବା ନରସିଂହପୁର, ଆଠଗଡ଼, ନୂଆପାଟଣା, ମାଣିଆ ବନ୍ଧ, ଚମ୍ପେଶ୍ୱର, କେନ୍ଦ୍ରପଡ଼ା ଜିଲ୍ଲା ମହାକାଳପଡ଼ା, ସାତଭାୟା, ତାଳଚୁଆ, ରାଜନଗର, ନରୁଆ ଡେରାବିଶ, ରାଜଗଡ଼, ବବକରପୁର, ବଡ଼ବାରଙ୍ଗ, ଅବିଭକ୍ତ ବାଲେଶ୍ୱର ଜିଲ୍ଲାର କାଉପୁର, ଅଯୋଧ୍ୟା, ଅଭଣା, କୁପାରୀ, ସୋର, ଷୋଳମପୁର, ମଣିନାଥପୁର, ମୟୂରଭଞ୍ଜ ଜିଲ୍ଲାର ଖିଚ୍ଚିଙ୍ଗ, ଚଣ୍ଡିଆ ସୋଲ, ଇଟା ମୁଣ୍ଡିଆ, କୁକୁଡ଼ା ଗଡ଼, ସଙ୍କୁ ରାଜାର ଗଡ଼, ରାଣୀ ବନ୍ଧ, ଉଦରା, ବଡ଼ ସାହି, କେନ୍ଦୁଝର ଜିଲ୍ଲାର ସୀତାବିଞ୍ଜି, ପିପିଳିଆ, ଢେଙ୍କାନାଳ ଜିଲ୍ଲାର ତାଳଚେର, ପଶ୍ଚିମେଶ୍ୱର ମନ୍ଦିର ପାଶ୍ୱର୍ାଞ୍ଚଳ, ସରାଙ୍ଗ, ବଜ୍ରକୋଟ, ଭୃଙ୍ଗେଶ୍ୱର ମନ୍ଦିର ପାଶ୍ୱର୍ାଞ୍ଚଳ, ରାସୋଳ, ହିନେ୍ଦାଳ, ଷଡ଼ଙ୍ଗୀ, ବୌଦ୍ଧ ଜିଲ୍ଲା ରାମେଶ୍ୱର ମନ୍ଦିର ପାଶ୍ୱର୍ାଞ୍ଚଳ, ବୌଦ୍ଧ ରାଜାପ୍ରସାଦ ପରିସରାଞ୍ଚଳ, ପରଗଳପୁର, ଶ୍ୟାମସୁନ୍ଦରପୁର, ଟିକାବାଲି, ଗଞ୍ଜାମ ଜିଲ୍ଲାର ଜଉଗଡ଼, ଆସ୍କା, ବୁଦ୍ଧଖୋଲ, ସୋରଡ଼ା ବୁଦ୍ଧଲିଙ୍ଗେଶ୍ୱର ମନ୍ଦିର ପାଶ୍ୱର୍ାଞ୍ଚଳ, ବରଗଡ଼ ଜିଲ୍ଲାର ଗଣିଆପାଲି ବୌଦ୍ଧ ବିହାର, ସୁନ୍ଦରଗଡ଼ ଜିଲ୍ଲାର ଭଜଲପୁର, ବ୍ରଜରାଜନଗରର ରାମଚଣ୍ଡୀ ପୀଠ, ବଲାଙ୍ଗୀର ଜିଲ୍ଲା ରାଣୀପୁର ଝରିଆଳ, ସଇଁତଳା ଏବଂ ସର୍ବୋପରି ଅବିଭକ୍ତ ପୁରୀ ଜିଲ୍ଲାର ଧଉଳି, କପିଳପ୍ରସାଦ, ଭାସ୍କରେଶ୍ୱର ମନ୍ଦିର ଅଞ୍ଚଳ, ଅଶୋକଝର, ବଡ଼ଗଡ଼, ପ୍ରାଚୀ ଉପତ୍ୟାକା, କାକଟପୁର, ଅସ୍ତରଙ୍ଗ, ବାଣପୁରସ୍ଥ ଦକ୍ଷ ପ୍ରଜାପତି ମନ୍ଦିର ପରିସର, ଗୋଦାବରୀଶ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିସର ଓ ପାଶ୍ୱର୍ାଞ୍ଚଳମାନଙ୍କରେ ଚିରଅବହେଳିତ ଓ ଆସନ୍ନ ଧ୍ୱଂସାଭିମୁଖୀ ଅମୂଲ୍ୟ ବୌଦ୍ଧ ସମ୍ପଦ ବିଭବ ଐଶର୍ଯ୍ୟ ଗୁଡ଼ିକ ପୁନରୁଦ୍ଧାର ପୂର୍ବକ ସଂଗ୍ରାହଳୟ ମାନଙ୍କରେ ସଂରିକ୍ଷିତ କରାଯାଇ ପାରିଲେ ଓଡ଼ିଶାର ବିଶ୍ୱବିଶ୍ରୁତ କାଳଜୟୀ ବୌଦ୍ଧ ଐତିହ୍ୟ ଓ ବିଭବ ତିଷ୍ଠି ରହି ପାରିବ ଯୁଗ ଯୁଗ ପାଇଁ ।
ଐତିହାସିକ ତଥା ବୌଦ୍ଧ ଗବେଷକ 
ଦେକୁରୀ, ବାଲିଚନ୍ଦ୍ରପୁର, ଯାଜପୁର
ମୋ: ୯୬୫୮୧୭୪୩୭୮