ଘର ଘରକୁ ପାଣି ଯୋଗାଣ ପାଇଁ ବିଧାୟକଙ୍କ ସମୀକ୍ଷା 


 ବାଙ୍କୀ: ବାଙ୍କୀ ଏବଂ ବାରଙ୍ଗ ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତକୁ କିପରି ବୃହତ ପାନୀୟଜଳ ଯୋଗାଣ ମାଧ୍ୟମରେ ପ୍ରତି ଘରକୁ ପାଣି ଯୋଗାଇ ଦିଆଯିବ ସେ ନେଇ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ଏକ ସମୀକ୍ଷା ବୈଠକ ଭୁବନେଶ୍ୱର ବାସଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।  ବାଙ୍କୀ ବ୍ଲକ, ଡମପଡ଼ା ବ୍ଲକ ଏବଂ ବାରଙ୍ଗ ବ୍ଲକର ସମସ୍ତ ପଞ୍ଚାୟତର ଜନସାଧାରଣ କିପରି ସୁବିଧାରେ ପାନୀୟ ଜଳ ପାଇପାରିବେ ତାହା ଉପରେ ଏକ ସରକାରୀସ୍ତରୀୟ ଆଲୋଚନା ହୋଇଥିଲା । ଯେଉଁ ଜାଗାରେ ଓଭରହେଡ୍ ଟ୍ୟାଙ୍କ ନିର୍ମାଣ ହୋଇନାହିଁ, ସେଗୁଡିକ ତୁରନ୍ତ ନିର୍ମାଣ କରିବା ପାଇଁ ଗ୍ରାମ୍ୟ ପାନୀୟ ଜଳ ବିଭାଗକୁ ନିଦେ୍ର୍ଦଶ ଦେଇଥିଲେ । ଯେଉଁ ପଞ୍ଚାୟତ ଗୁଡିକରେ ରାସ୍ତା ଖୋଳା ହୋଇ ପାଇପ୍ ବିଛା ହୋଇଛି, ସେହି ରାସ୍ତାଗୁଡିକ ମରାମତି କରିବା ସହ ଜନସାଧାରଣଙ୍କ ଯାତାୟତରେ ଯେପରି ସୁବିଧା ହୋଇପାରିବ ସେଥିପ୍ରତି ନଜର ଦେବାକୁ କହିଥିଲେ । ବୈଠକରେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଯୋଗ ଦେଇ ସମସ୍ତ ପଞ୍ଚାୟତର ଜନସାଧାରଣମାନେ ଯେପରି ପାନୀୟ ଜଳ ସୁବିଧାରେ ପାଇ ପାରିବା ସହ ଏହି କାର୍ଯ୍ୟକୁ ତରନ୍ତ ଶେଷ କରିବାକୁ ଗୁରୁତ୍ୱ ଦେଇଥିଲେ । ଏହିି ବୈଠକରେ ବାଙ୍କୀ -ଡମପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଣବ ପଟେଲ, ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ, କେନ୍ଦ୍ରୀୟ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟା ମିନତୀ ମହାପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ସଂଜୟ ପାତ୍ର, ରଶ୍ମିରେଖା ପଣ୍ଡା, ବାରଙ୍ଗ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ଦଳେଇ, ଡମପଡ଼ା ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ବେଉରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର, ଜୟନ୍ତୀ ବଳ, ଡମପଡ଼ା ବ୍ଲକ ବିଜେଡି ସଭାପତି ଆର୍ତ୍ତତ୍ରାଣ ସ୍ୱାଇଁ, ବାଙ୍କୀ ବ୍ଲକ ବିଜେଡି ସଭାପତି ଅନନ୍ତଚରଣ ଦାସ, ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଅମିମନୁ୍ୟ ଦାସ, ଅତିରିକ୍ତ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ସାହୁ, ବାଙ୍କୀ ବ୍ଲକ ସହକାରୀ ଯନ୍ତ୍ରୀ ସତ୍ୟନାରାୟଣ ରଥ, ଡମପଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀ ବୈଷ୍ଣବ ଚରଣ ମଲ୍ଲିକ, ସହକାରୀ ଯନ୍ତ୍ରୀ ସ୍ମୃତି ପ୍ରଧାନ, କନିଷ୍ଠଯନ୍ତ୍ରୀ ଦୀପାଞ୍ଜଳି ପାତ୍ର, ବାରଙ୍ଗ ବ୍ଲକ ସହକାରୀ ଯନ୍ତ୍ରୀ ସଂଜ୍ଞା ସାଗରିକା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।