ଆକାଶଙ୍କ ପାଇଁ  ବିଶ୍ୱଜିତଙ୍କ ପ୍ରଚାର

ଯାଜପୁର,: ବିଶ୍ୱଜିତ ମହାନ୍ତି । ପ୍ରାକ୍ତନ ଧର୍ମଶାଳା ବିଧାୟକ ତଥା ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ପରମାନନ୍ଦ ମହାନ୍ତିଙ୍କ ନାତି । ବ୍ୟାସନଗର ପୌରାଞ୍ଚଳରେ ବସବାସ କରୁଥିବା ବିଶ୍ୱଜିତ ବ୍ୟବସାୟୀ ହୋଇଥିଲେ ହେଁ ସମାଜସେବାରେ ନିଜକୁ ନିୟୋଜିତ କରନ୍ତି । ମଦବିରୋଧୀ ଆନେ୍ଦାଳନ ସମୟରେ ତାଙ୍କୁ ଆଗରେ ଦେଖିବାକୁ ମିଳେ । ସମାଜସେବା କରୁକରୁ ୨୦୧୯ରେ କୋରେଇ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବାକୁ ମନ ବଳାଇ ବ୍ୟାସନଗରରୁ ଚାଲିଚାଲି ଯାଇ ନାମାଙ୍କନପତ୍ର ଦାଖଲ କରିଥିଲେ । ନିର୍ବାଚନ ଲଢିଲେ ହେଲେ ୪ଶହରୁ ଅଧିକ ଭୋଟ ପାଇ ବିପର୍ଯ୍ୟସ୍ତ ପରାଜୟ ବରଣ କଲେ । ପାଞ୍ଚବର୍ଷ ପରେ ପଡ଼ୁଥିବା ନିର୍ବାଚନରେ ସେ ଲଢିବା ବଦଳରେ ବିଜେପି ପ୍ରାର୍ଥୀ ଆକାଶ ଦାସନାୟକଙ୍କ ପାଇଁ ପ୍ରଚାର ଚଲାଇଛନ୍ତି । ବିଶ୍ୱଜିତ ଏକଲା ଚଲୋ ନୀତିରେ ଗାଁକୁ ଗାଁ ଯାଇ ଭୋଟରଙ୍କୁ ଭେଟି ଆକାଶଙ୍କ ସପକ୍ଷରେ ମତଦାନ ପାଇଁ ମନାଉଛନ୍ତି । ରସୁଲପୁର ବ୍ଲକ ଅନ୍ତର୍ଗତ ନଦୀ କୁଳିଆ ଅଞ୍ଚଳରେ ତାଙ୍କର କିଛିଟା ପ୍ରଭାବ ରହିଛି । ସେହି ଆଧାରରେ ବିଶ୍ୱଜିତ ଉକ୍ତ ଅଞ୍ଚଳରେ ଘରକୁ ଘର ବୁଲି କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କୁ ସରକାର ଗଠନ ପାଇଁ ଭୋଟ ଦେବାସହ ରାଜ୍ୟରେ ବିଜେପି ସରକାର ଗଠନ ପାଇଁ ଆକାଶଙ୍କୁ ଭୋଟ ଦେବାକୁ ପ୍ରବର୍ତ୍ତାଉଛନ୍ତି । ବିଶ୍ୱଜିତଙ୍କ ଏଭଳି ଅଭିଯାନ ଆକାଶଙ୍କ ପ୍ରଚାର ଗାଁରୁ ଗାଁ ବ୍ୟାପିବାରେ ଲାଗିଛି ।