ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିଶୁ ଦିବସ ପାଳିତ
ତାଳଚେର: ତାଳଚେର ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି କ୍ରମରେ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଅନୀଲ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବରେ ଗବେଷକ ବିଭୂତି ଭୂଷଣ ସାହୁ, ସମ୍ମାନୀୟ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ, କୋଷାଧ୍ୟକ୍ଷ ପଂଚାନନ ବେହେରା ଓ ମୁଖ୍ୟ ବକ୍ତା ଭାବରେ ଆଚାର୍ଯ୍ୟା ସବିତା ସାହୁ ପ୍ରମୁଖ ଯୋଗ ଦେଇ ଚାଚା ନେହେରୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ଅତିଥିମାନେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜୀବନୀ ଦର୍ଶନ ଉପରେ ଆଲୋକପାତ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଗୁରୁଜୀ, ଗୁରୁମା ସହଯୋଗ କରିଥିଲେ । ସେହିପରି ଏମସିଏଲ ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଡିଏଭି ପବ୍ଲିକ୍ ସ୍କୁଲ, ଅନନ୍ତ ବିହାର ପରିସରରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଅତିଥି ଭାବେ ଏମ୍ସିଏଲ୍ ଜଗନ୍ନାଥ କ୍ଷେତ୍ରର ଏଏଫଏମ ପ୍ରଦୀପ କୁମାର ସାହୁ, ଏସଓ(ସିଭିଲ) ରିତୁରାଜ ଶର୍ମା, ଅନନ୍ୟା ମହିଳା ମଣ୍ଡଳର ସଭାନେତ୍ରୀ ସୁସ୍ମିତା ଧଳ ଏବଂ ଅନ୍ୟାନ୍ୟ ଅତିଥିଗଣ ଜବାହରଲାଲ ନେହେରୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିସହିତ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତି ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ନେହେରୁଙ୍କ ଜୀବନର ଯଶସ୍ୱୀ ଦିଗ ପ୍ରତି ଆଲୋକପାତ କରିଥିଲେ । ଛାତ୍ରୀ ଯାଜ୍ଞସେନୀ ସାହୁ ନେହେରୁଙ୍କ ଉପରେ ଏକ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ । ପୂର୍ବ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସାଂସ୍କୃତିକ ପ୍ରତିଯୋଗିତାରେ ମଧୁସୂଦନ ହାଉସ୍ ଦଳଗତ ଚାମ୍ପିୟନ ଓ ଗଙ୍ଗାଧର ହାଉସ୍ ରନର୍ସ୍ ଅପ୍ ସିଲ୍ଡ ହାସଲ କରିଥିଲେ । ଏହି ଦିବସ ଉପଲକ୍ଷେ ପିଲାମାନେ ରନ୍ଧନ ବିନା ଖାଦ୍ୟ ପ୍ରସ୍ତୁତି ଏବଂ ରଙ୍ଗୋଲି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ସହଯୋଗ କରିଥିଲେ । ସେହିପରି ଜଗନ୍ନାଥ କ୍ଷେତ୍ର ଡ଼ିଏଭି ସ୍କୁଲରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟରେ ଚାଲିଥିବା କ୍ରୀଡ଼ା ପ୍ରତିଯୋଗିତାର ଉଦ୍ୟାପନୀ ଏବଂ କୁନି କୁନି ପିଲାମାନଙ୍କର ବିଭିନ୍ନ ପ୍ରତିଯୋଗିତା ସହ ବିଜ୍ଞାନ ଏବଂ ସାମାଜିକ ବିଜ୍ଞାନର ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଜଗନ୍ନାଥ କ୍ଷେତ୍ର ଜିଏମ୍ ତଥା ସ୍କୁଲର ସଭାପତି ଅଶୋକ କୁମାର ଧଳ ଯୋଗ ଦେଇଥିବାବେଳେ ସମ୍ମାନୀୟ ଅତିଥି ଭାବେ ଅନନ୍ୟା ମହିଳା ମଣ୍ଡଳ ସଭାପତି ସୁସ୍ମିତା ଧଳ ଏହି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଶୁଭାରମ୍ଭରେ ନେହେରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ଏବଂ ପ୍ରକଳ୍ପ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଥିଲା । ବିଦ୍ୟାଳୟରେ ଅନୁଷ୍ଠିତ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଅରବିନ୍ଦ ସଦନ ଚମ୍ପିୟାନ ହୋଇଥିବା ସ୍ଥଳେ ଦୟାନନ୍ଦ ସଦନ ରନର୍ସ ଅପ ହୋଇଥିଲା । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା ।