ବିକଳାଙ୍ଗ ଭୀମଙ୍କୁ ଆବାସ ଗୃହ ସାତ ସପନ
ଯଖପୁରା: ସାଧାରଣ ଲୋକଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଦେବା ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ଡିଣ୍ଡିମ ପିଟୁଛନ୍ତି । ମୋହନ ସରକାର ଲୋକଙ୍କ ସରକାର ବୋଲି କହି ବୁଲୁଛନ୍ତି । ଜଣେ ବି ଲୋକ ବିନା ବାସଗୃହ ଭୋକ ଉପାସରେ ରହିପାରିବ ନାହିଁ ବୋଲି କହୁଛନ୍ତି । ମାତ୍ର ବାସ୍ତବ କ୍ଷେତ୍ରରେ ସରକାର ଯାହା କହୁଛନ୍ତି ତାହା କାର୍ଯ୍ୟରେ ପ୍ରତିଫଳନ ହେଉନାହିଁ ।
ସାଧାରଣ ଗରିବ ଖଟିଖିଆ ଲୋକଙ୍କ ଦୁର୍ଦ୍ଦଶା ନ କହିଲେ ଭଲ । ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦାନଗଦୀ ବ୍ଲକ୍ ଅନ୍ତର୍ଗତ ମାଣତୀରା ପଞ୍ଚାୟତର ରାବଣା ଗ୍ରାମର ଆଦିବାସୀ ସଂପ୍ରଦାୟ ରହୁଥିବା ଚୁଳିଆ ସାହିରେ । ଚୂଳିଆ ସାହିର ସମସ୍ତ ପରିବାର ଆଦିବାସୀ ଶ୍ରେଣୀର । ଗାଁରେ ପ୍ରାୟ ୪୦ ରୁ ୫୦ପରିବାର ବସବାସ କରୁଛନ୍ତି । ସମସ୍ତ ପରିବା ଗରିବ ଖଟିଖିଆ । ଗ୍ରାମର ସମସ୍ତ ପରିବାର ମଧ୍ୟରୁ ଭୀମସେନ ପରିବା ଭିନ୍ନ । ଭିନ୍ନତା ଭିତରେ ଦୁଃଖ ଦୁର୍ଦ୍ଦଶାରେ କାଳତିପାତ କରୁଛନ୍ତି ସୁକୁରା ମୁଣ୍ଡାଙ୍କ ପୁଅ ଭୀମସେନ । ଚାରି ଭାଇ ମଧ୍ୟରେ ଭୀମସେନ ବିକଳାଙ୍ଗ । ଜନ୍ମରୁ ଭୀମସେନ ବିକଳାଙ୍ଗ । ବୟସ ଚାଳିଶି ହେବ । ପରିବାର କହିଲେ ସ୍ତ୍ରୀ,ଗୋଟିଏ ଝିଅ ଆଉ ଗୋଟିଏ ପୁଅ । ବଡ଼ ଝିଅ ବୟସ ଷୋହଳ ଆଉ ପୁଅ ବୟସ ବାର । ପିଲା ଦିନୁ ଅଭାବ ଅନାଟନରେ ବଢିଛନ୍ତି ଭୀମସେନ । ମାତ୍ର ସମସ୍ତଙ୍କ ଭାଗ୍ୟରେ ସୁଖ ଲେଖା ହୋଇନଥାଏ । ସେମିତି ସୁଖ ଭୀମସେନଙ୍କ ଭାଗ୍ୟରେ ନାହିଁ । ବିକଳାଙ୍ଗ ହୋଇଥିବାରୁ ସାଧାରଣ ଲୋକଙ୍କ ପରି ଭୀମସେନ ଚଳପ୍ରଚଳ କରିପାରେ ନାହିଁ । ଫଳରେ ସବୁଦିନ ତାକୁ କାମ ମିଳେନାହିଁ । ମାସରେ ଅଧାଦିନ ବିନା କାମରେ ବସିରହେ । କାମକୁ ନଗଲେ ଖାଇବାକୁ ଦେବକିଏ । କାମ ଥିଲେ ଖାଏ ନଥିଲେ ଉପାସରେ ରହେ । ଯେନତେନ ପ୍ରକାରେ ପରିବାର ଚାଲିଯାଏ । କିନ୍ତୁ ତାଙ୍କ ପାଇଁ ବଡ଼ ସମସ୍ୟା ଘର । ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ନାହିଁ । ଯେଉଁ ଘରେ ରହୁଛି ତାହା ଭାଙ୍ଗି ରୁଜି ଯାଇଛି । ଭଙ୍ଗା ଦଦରା ଘର ଭିତରୁ ଦିନରେ ସୂର୍ଯ୍ୟ ରାତିରେ ଜନ୍ହ ଦେଖାଯାଉଛି । ସେହି ଘରେ ଭିମର ପରିବାର ରହୁଛି । ଘରଟିଏ କରିବା ପାଇଁ ଅଣ୍ଟାରେ ସମ୍ଭଳନାହିଁ । ଟଙ୍କା କାହିଁ ଯେ ଘରଟିଏ କରିବା ବୋଲି ବାଷ୍ପ ରୁଦ୍ଧ ଗଳାରେ କହିଛି । ଘର ଖଣ୍ଡେ ପାଇଁ ବାର ଦୁଆର ବୁଲି ଆସିଲାଣି । ସରକାରୀ ଦପ୍ତର ଦୋଉଡ଼ି ଦୋଉଡି ନୟାନ୍ତ ହେଲାଣି । ସରକାରୀ ବାବୁ ମାନେ ଘର ଦେଖିବାକୁ ଅନେକ ବାର ଆସିଲେଣି । ମାତ୍ର ଏପର୍ଯ୍ୟନ୍ତ ଆବାସ ଘର ଖଣ୍ଡେ ମିଳିଲା ନାହିଁ ବୋଲି କ୍ଷୋଭରେ କହିଛି ଭୀମସେନ । ଏହା ମଧ୍ୟ କହିଛି ମୁଁ ପାଠ ପଢ଼ିନି ଆଉ ଆଦିବାସୀ ପିଲା ବୋଲି ମତେ କଣ ଘରଟିଏ ମିଳିବ ନାହିଁ । ରାଜ୍ୟରେ ବର୍ତମାନ ମୋହନ ସରକାର ଚାଲିଛି । ମୁଖ୍ୟମନ୍ତ୍ରୀ ମଧ୍ୟ ଜଣେ ଆଦିବାସୀ । ରାଜ୍ୟରେ ଆଦିବାସୀଙ୍କ ସଂଖ୍ୟା କାହିଁ କେତେ । ହିସାବ କରିଲେ ରାଜ୍ୟରେ ଆଦିବାସୀଙ୍କ ବଡ଼ ଭାଗ । କିନ୍ତୁ ଆଜିର ସମୟରେ ଆଦିବାସୀ ବେଶୀ ଅବହେଳାରେ ରହୁଛନ୍ତି । ରାଜ୍ୟରେ ଆଦିବାସୀଙ୍କ ବିକାଶ ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ବିରୋଧୀଙ୍କୁ ସରକାର ଜବାବ ଦେଉଛନ୍ତି । ମାତ୍ର ବାସ୍ତବ କ୍ଷେତ୍ରରେ ତାହା ମିଛ ପ୍ରମାଣ ହୋଇଥିବାର ଦେଖିବାକୁ ମିଳୁଛି । ସରକାର କହୁଛନ୍ତି ସମସ୍ତଙ୍କ ମୁଣ୍ଡ ଉପରେ ଛାତ ପେଟରେ ଭାତ ରହିବ । ତେବେ ଭୀମସେନଙ୍କ କ୍ଷେତ୍ରରେ କାହିଁକି ବ୍ୟତିକ୍ରମ । ପୁଣି ଦେଖିବାକୁ ଗଲେ ଭୀମସେନ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି । ଅଗ୍ରାଧିକାର ଭିତିରେ ପ୍ରଥମେ ତାଙ୍କୁ ଘର ମିଳିବା କଥା । ମାତ୍ର ତାହା ଏବେ ସୁଦ୍ଧା ହୋଇପାରି ନାହିଁ । ସରକାରୀ ସୁବିଧା କହିଲେ ଗୋଟେ ହ୍ୱିଲ୍ ଚେୟାର, କେଇ କିଲୋ ଚାଉଳ ଆଉ ବିକଳାଙ୍ଗ ଭତା ମିଳୁଛି । ସରକାରୀ ସୁବିଧା ଓ ନିଜ ଚେଷ୍ଟା ରେ ଘର ତ କଷ୍ଟେ ମଷ୍ଟେ ଚାଲିଯାଉଛି ।କିନ୍ତୁ ବଡ଼ ସମସ୍ୟା ଘର । ତେଣୁ ଭୀମସେନଙ୍କୁ ଖଣ୍ଡେ ଘର ଯୋଗାଇ ଦେବା ପାଇଁ ସେ ଗୁହାରୀ କରି କହିଛି । ସ୍ଥାନୀୟ ପ୍ରଶାସନ ହୁଅନ୍ତୁ ଅଥବା ବିଧାୟକ ଦୃଷ୍ଟି ଦେଇ ତୁରନ୍ତ ଘର ଖଣ୍ଡେ ଯୋଗାଇ ଦେବାକୁ ଅନୁରୋଧ କରିଛି ।