ସ୍ମାର୍ଟମିଟର ନାଁରେ ଶୋଷଣ ଶିକାର ଉପଭୋକ୍ତା

ଭୁବନେଶ୍ୱର:  ପୁରୁଣା ମିଟର ବଦଳାଉଛି ବିଦୁ୍ୟତ୍ ବିତରଣ କମ୍ପାନୀ ସଂସ୍ଥା ଟାଟା ପାୱାର । ବିନା ଅନୁମତିରେ ପୁରୁଣା ମିଟର କାଢ଼ି ନୂଆ ସ୍ମାର୍ଟ ମିଟର ବସାଉଛି କମ୍ପାନୀ । ରାଜ୍ୟର ଅନ୍ୟ ସ୍ଥାନ ଭଳି ମାଲକାନଗିରିରେ ମଧ୍ୟ ମିଟର ପରିବର୍ତ୍ତନ ନିଷ୍ପତ୍ତିକୁ ବିରୋଧ କରାଯାଇଛି । ନୂଆ ମିଟର ଲାଗିବା ପରେ ବିଜୁଳି ବ୍ୟବହାର ଠାରୁ ୩ରୁ ୪ ଗୁଣା ଅଧିକ ବିଲ୍ ଆସୁଥିବା ଅଭିଯୋଗ କରିଛନ୍ତି । ମାଲକାନଗିରି ସଦର ମହକୁମା ଆଶୀର୍ବାଦ କଲୋନୀର ସୁଜନ ବିଶ୍ୱାସଙ୍କ ଘରେ ୯ ୱାଟ୍ର ୩ଟି ଏଲ୍ଇଡି ବଲ୍ବ ଓ ୨ଟି ଫ୍ୟାନ ଅଛି । ଏହାବାଦ ଅନ୍ୟ କୌଣସି ବିଦୁ୍ୟତ୍ ଉପକରଣ ନାହିଁ  । ଗତ ମାସରେ ବିଦୁ୍ୟତ୍ ବିଲ୍ ଆସିଛି ୧୪ ଶହ ଟଙ୍କା । ସେହିପରି ଖଲାସି କାମ କରୁଥିବା ସହଦେବ ବେନିଆଙ୍କ ଘରୁ ୬ମାସ ହେବ ବିଦୁ୍ୟତ୍ ବିଚ୍ଛିନ୍ନ କରାଯାଇଛି । କିନ୍ତୁ ବାରମ୍ବାର ତାଙ୍କ ଘରକୁ ବିଲ୍ ଆସୁଛି । ବିନା ସଂଯୋଗୀକରଣରେ ମିଟର ମଧ୍ୟ ଉଠୁଛି  । ଏ ଦୁଇ ଜଣ କେବଳ ଉଦାହରଣ, ପ୍ରାୟ ସବୁ ବସ୍ତିବାସିନ୍ଦାଙ୍କ ସମାନ ଅବସ୍ଥା । ଯେଉଁ ଉପଭୋକ୍ତା ପୂର୍ବରୁ ୫ଶହ ଟଙ୍କାର ବିଲ୍ ଦେଉଥିଲେ, ଏବେ ସେମାନଙ୍କୁ ୧୫ଶହରୁ ୨ ହଜାର ଟଙ୍କାର ବିଲ୍ ଧରାଇ ଦେଉଛି ଟାଟା ପାୱାର । ବାରମ୍ବାର ଏମିତି ବିଲ୍ ଧରାଇ ଦେଉଥିବା ସଂସ୍ଥାର ନୀର୍ବାହୀ ଯନ୍ତ୍ରୀଙ୍କୁ ଭେଟିଛନ୍ତି ଆଶୀର୍ବାଦ କଲୋନୀ ବାସିନ୍ଦା । ସ୍ମାର୍ଟ ମିଟର ନାଁରେ ଉପଭୋକ୍ତାଙ୍କୁ ପ୍ରତାରଣା କରାଯାଉଥିବା ଅଭିଯୋଗ ହୋଇଛି ।