ବିବାହ ବିଚ୍ଛେଦ ବଢୁଛି

ବିବାହ ବିଚ୍ଛେଦ ବଢୁଛି

ବର୍ତ୍ତମାନ ସମୟରେ ପାରିବାରିକ ଜୀବନ ଅଶାନ୍ତ ହୋଇଉଠିଛି । ବୈବାହିକ ଜୀବନ କ୍ଷେତ୍ରରେ ପ୍ରାୟତଃ ସମସ୍ତେ ବିଭିନ୍ନ ପାରିବାରିକ କାରଣ ନେଇ ଅଶାନ୍ତି ଭିତରେ ଗତି କରୁଛନ୍ତି । ଏ ପ୍ରକାରର ଅଶାନ୍ତି ଯୁବବର୍ଗଙ୍କ ମଧ୍ୟରେ ବେଶୀ ଦେଖାଯାଉଛି । ପାରମ୍ପରିକ ବିବାହ ହେଉ କିମ୍ବା ପ୍ରେମ ବିବାହ ହେଉ ଉଭୟ କ୍ଷେତ୍ରରେ ବିବାହ ବିଚ୍ଛେଦର ସଂଖ୍ୟା ବଢୁଛି । ତେବେ ପ୍ରେମ ବିବାହ କ୍ଷେତ୍ରରେ ବିବାହ ବିଚ୍ଛେଦର ସଂଖ୍ୟା ଅଧିକ । ୭-୮ ବର୍ଷ ଭିତରେ କେବଳ ଭୁବନେଶ୍ୱର କୋର୍ଟ୍ରେ ୧୧ ହଜାର ୯୩୫ଟି ଛାଡ଼ପତ୍ର ମାମଲା ଦାଏର ହୋଇଛି । ତେବେ ଗତ ୩ ବର୍ଷ ଭିତରେ ଏହି ସଂଖ୍ୟା ଉଦ୍ବେଗଜନକ ଭାବରେ ବଢ଼ିଛି । କେତେକ କ୍ଷେତ୍ରରେ ଯୁବଗୋଷ୍ଠୀ ପରିବାରର ମୁରବୀଙ୍କ କଥା ମାନୁନାହାନ୍ତି ଏବଂ ପରିଣତି ଛାଡ଼ପତ୍ରରେ ଯାଇ ପହଞ୍ଚିଯାଉଛି । ଆଉ କେତେକ କ୍ଷେତ୍ରରେ ପରିବାର ବିବାହ ଆୟୋଜନ କରି ମଧ୍ୟ ପରବର୍ତ୍ତୀ ସମୟରେ ସ୍ୱାମୀ କିମ୍ବା ସ୍ତ୍ରୀ ଅନ୍ୟ କେଉଁଠି ସମ୍ପର୍କ ରଖିଥିବା ଜଣାପଡୁଛି । କେତୋଟି କ୍ଷେତ୍ରରେ ନବ-ବିବାହିତ ଦମ୍ପତ୍ତିଙ୍କ ଜୀବନକୁ ପରିବାରର ଲୋକମାନେ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି । ବ୍ୟକ୍ତିଗତ ଜୀବନର କେତେକ କ୍ଷେତ୍ରରେ ପରିବାର ଲୋକଙ୍କର ହସ୍ତକ୍ଷେପ ଶେଷରେ ବିଚ୍ଛେଦ ଆଡ଼କୁ ଗତି କରୁଛି । ନୂଆ ପରିବାର ସହିତ ଉଚ୍ଚଶିକ୍ଷିତ ଯୁବତୀମାନେ ନିଜକୁ ଖାପ ଖୁଆଇ ଚଳିପାରୁନାହାନ୍ତି । ତେଣୁ ବିଭିନ୍ନ ପ୍ରକାରର କାରଣକୁ ନେଇ ଦିନକୁ ଦିନ ବିବାହ ବିଚ୍ଛେଦ ସଂଖ୍ୟା ବୃଦ୍ଧି ପାଉଛି । ଆମ ସାମାଜିକ ବ୍ୟବସ୍ଥା ଭିତରେ ବିବାହ ଆଇନ୍କୁ ଏତେ କଠୋର କରି ଦିଆଯାଇଛି ଯେ ବିବାହ ଯେତିକି ସହଜ, ସ୍ୱାମୀ-ସ୍ତ୍ରୀ ପରସ୍ପର ସହିତ ଖାପଖୁଆଇ ଚଳି ନପାରିଲେ ବିଚ୍ଛେଦ ସେତିକି ସହଜ ନୁହେଁ । ଅନେକ କ୍ଷେତ୍ରରେ ଏହି ବିବାହ ବିଚ୍ଛେଦ ମାମଲା ଗୁଡ଼ିକ ବର୍ଷ ବର୍ଷ ଧରି ଗଡୁଛି । ଆଉ କେତେକ କ୍ଷେତ୍ରରେ ମହିଳାମାନେ ଉଦେ୍ଦଶ୍ୟମୂଳକ ଭାବରେ ଆଇନ୍ର ଅପପ୍ରୟୋଗ କରୁଛନ୍ତି । ମହିଳାମାନଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ସବୁ ପ୍ରକାରର ଆଇନ୍ ଥିବା ବେଳେ ପୁରୁଷମାନଙ୍କର ସୁରକ୍ଷା କ୍ଷେତ୍ରରେ ଏପର୍ୟ୍ୟନ୍ତ କୌଣସି ଆଇନ୍ ନାହିଁ । ଜଣେ ମହିଳା ଅଭିଯୋଗ କଲେ ତାକୁ ପୁଲିସ୍ ସଙ୍ଗେ ସଙ୍ଗେ ଗିରଫ କରି ନେଉଛି । କିନ୍ତୁ ପୁରୁଷ ଅଭିଯୋଗ କରିଲେ ମହିଳାଙ୍କୁ ଗିରଫ କରାଯାଉାନାହିଁ । ଏ ପ୍ରକାରର ଏକପାଖିଆ ଆଇନ୍ ଯୋଗୁଁ ବହୁ କ୍ଷେତ୍ରରେ ମହିଳାମାନେ ଆଇନ୍ର ଦୁରୁପଯୋଗ କରୁଛନ୍ତି ତଥା ନିଜ ପାଇଁ ଏକ ସୁରକ୍ଷ ବଳୟ ବୋଲି ଭାବି ନେଉଛନ୍ତି । 
ବର୍ତ୍ତମାନ ସମୟରେ ଉଭୟ ପୁରୁଷ ଏବଂ ମହିଳା ରୋଜଗାର କରିବା ପାଇଁ ଚାହୁଁଛନ୍ତି । ଏହି  କାରଣରୁ ପରିବାର ପ୍ରତି ସମୟ ଦେବା ପାଇଁ କେହି ପ୍ରସ୍ତୁତ ନାହାନ୍ତି । ଏ ପ୍ରକାରର କାରଣକୁ ନେଇ ଅନେକ ଦମ୍ପତ୍ତି ସନ୍ତାନସନ୍ତତିମାନଙ୍କ ପାଇଁ ମଧ୍ୟ ଚିନ୍ତା କରୁନାହାନ୍ତି । ତେଣୁ ବିଭିନ୍ନ କାରଣରୁ ଦିନକୁ ଦିନ ବିବାହ ବିଚ୍ଛେଦ ସଂଖ୍ୟା ବଢୁଛି । ତେଣୁ ଏ କ୍ଷେତ୍ରରେ ଆଇନ୍କୁ ସରଳ ଏବଂ ନିର୍ଦ୍ଦିଷ୍ଟ ସମୟରେ ଓ ନିର୍ଦ୍ଦିଷ୍ଟ ସମୟ ଭିତରେ ଏସବୁର ଫଏସଲା କରାଯିବା ଜରୁରୀ ହୋଇପଡ଼ିଲାଣି । ବିଚ୍ଛେଦ ମାମଲା ଗୁଡ଼ିକ ଲମ୍ବା ହେଉଥିବାରୁ ଦୀର୍ଘ ସମୟ ଧରି କୌଣସି ପକ୍ଷ ଅପେକ୍ଷା କରିବାକୁ ଚାହୁଁନାହାନ୍ତି । ସେଗୁଡ଼ିକ ମଧ୍ୟ ମାମଲାକୁ ଆହୁରି ଜଟିଳ କରି ପକାଉଛି । ଉଚ୍ଚଶିକ୍ଷିତ ଯୁବକଯୁବତୀ ପରସ୍ପର ପ୍ରତି ଅନୁରକ୍ତି ଭାବ ପ୍ରକାଶ କରିବା ପରିବର୍ତ୍ତେ କିଏ କାହା ଉପରେ ଆଧିପତ୍ୟ ବିସ୍ତାର କରିବ ତାକୁ ନେଇ ଟଣାଓଟରା ଲାଗୁଛି । ଏ ପ୍ରକାରର ମନୋବୃତ୍ତି ଦିନକୁ ଦିନ ଉଚ୍ଚଶିକ୍ଷିତ ଏବଂ ଧନୀକ ପରିବାର ଗୁଡ଼ିକରେ ଦେଖିବାକୁ ମିଳିଲାଣି । ଉଚ୍ଚଶିକ୍ଷିତ ତଥା ଧନୀକ ପରିବାରରେ ଏ ପ୍ରକାରର ମାମଲା ଗୁଡ଼ିକର ସଂଖ୍ୟା ଉଦ୍ବେଗଜନକ ଭାବରେ ବୃଦ୍ଧିପାଉଥିବା ସ୍ଥଳେ ସୁସ୍ଥ ସାମାଜିକ ଜୀବନ ଓ ପାରିବାରିକ ଜୀବନ ପାଇଁ ବର୍ତ୍ତମାନ ନିର୍ଦ୍ଦିଷ୍ଟ କିଛି ଏକ ଉପଦେଶର ଆବଶ୍ୟକତା ପଡୁଛି ।