ୱାରୀ ଏନର୍ଜୀ ଲିମିଟେଡ ସ୍ଥାପନ ପାଇଁ ବୈଠକ

 ଢେଙ୍କାନାଳ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ, ୱାରୀ ଏନର୍ଜୀ ଲିମିଟେଡ ସ୍ଥାପନ ନିମନ୍ତେ ପ୍ରଥମ ପୁନର୍ନିବାସ ଓ ପାରିପାର୍ଶ୍ୱକ ଉନ୍ନୟନ ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୋଗ ସଚିନ ରାମଚନ୍ଦ୍ର ଯାଦବ ଅଧ୍ୟକ୍ଷତା କରି, ଗନ୍ଦିଆରେ ପ୍ରଦୂଷଣ ମୁକ୍ତ ୱାରୀ ଏନର୍ଜୀ ଲିମିଟେଡ ସ୍ଥାପନ ନିମନ୍ତେ ଯେପରି ଜମି ହରାଇ ଥିବା କୌଣସି ବ୍ୟକ୍ତିଙ୍କ ସ୍ୱାର୍ଥ ବ୍ୟାଘାତ ନ ହୁଏ, ସେଥିପ୍ରତି ସର୍ବାଧିକ ଯତ୍ନବାନ୍ ହେବାକୁ କହିଛନ୍ତି । ଏହି କମ୍ପାନୀ ସ୍ଥାପନ ହେଲେ ଗନ୍ଦିଆ ଅଞ୍ଚଳର ସାମଗ୍ରିକ ଉନ୍ନତି ଘଟିବ ବୋଲି ସେ ମତ ଦେଇ ଥିଲେ । କମ୍ପାନୀ ସ୍ଥାପନ ହେଲେ ରାସ୍ତାଘାଟ, ଯୋଗାଯୋଗ, କର୍ମ ସଂସ୍ଥାନ, ବ୍ୟବସାୟ ଆଦିରେ ବୃଦ୍ଧି ଘଟିବା ସହିତ ଲୋକମାନଙ୍କର ଆର୍ଥିକ ଉନ୍ନତି ଘଟିବ ବୋଲି ସେ ପ୍ରକାଶ କରିଛନ୍ତି । ସେଥିପାଇଁ ଅଞ୍ଚଳବାସୀ ସହଯୋଗ କରିବାକୁ ସେ ଉପସ୍ଥିତ ଜମିହରା ବ୍ୟକ୍ତିଙ୍କୁ କହିଛନ୍ତି । ୧୬୧ ଏକର ଜମିରେ ସ୍ଥାପିତ ହେବାକୁ ଥିବା ଏହି କମ୍ପାନୀ ମାନବିକତାକୁ ପାଥେୟ କରି ଅଞ୍ଚଳବାସୀଙ୍କର ବିଶ୍ୱାସଭାଜନ ହେବାକୁ ଏବଂ ଯୁବକ ଯୁବତୀଙ୍କୁ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ କର୍ମ ସଂସ୍ଥାନ ଯୋଗାଇ ଦେବା ସହିତ ସମ୍ପୃକ୍ତ ଅଞ୍ଚଳର ପିଲାକୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ  କୃଷ୍ଣ ଚନ୍ଦ୍ର ପାତ୍ର କହିଥିଲେ । ବୈଠକରେ ସାଂସଦ ରୁଦ୍ର ନାରାୟଣ ପାଣି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଜନା ପୁହାଣ, ଜିଲ୍ଲାପାଳ ସୋମେଶ ଉପାଧାୟ, ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକର, ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରା, ଗନ୍ଦିଆ ବ୍ଲକ ଅଧ୍ୟକ୍ଷା ରୀନା ରାଣୀ ଖଟୁଆ, ୱାରୀ ଏନର୍ଜୀ ଲିମିଟେଡର କର୍ମକର୍ତ୍ତା ଉପସ୍ଥିତ ରହି ସୁରୁଖୁରୁରେ କିପରି କମ୍ପାନୀ ପ୍ରତିଷ୍ଠା ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ ।