ଜାତୀୟ ବଧିର କ୍ରିକେଟ୍ ଦଳରେ ସନ୍ତୋଷ
ଅନୁଗୁଳ: ଜାତୀୟ ବଧିର କ୍ରିକେଟ୍ ଟିମ୍ରେ ସାମିଲ ହୋଇଛନ୍ତି ଅନୁଗୁଳ ମାଟିର ପୁଅ ତଥା ବଧିର କ୍ରିକେଟ୍ ଖେଳାଳି ସନ୍ତୋଷ କୁମାର ମହାପାତ୍ର । ଆସନ୍ତା ୨ରୁ ୮ ପର୍ଯ୍ୟନ୍ତ ନୂଆଦିଲ୍ଲୀଠାରେ ଆୟୋଜିତ ହେବାକୁ ଥିବା ଭାରତ ଓ ଶ୍ରୀଲଙ୍କା ଦିନିକିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଶ୍ରୀ ମହାପାତ୍ର ଖେଳିବେ ବୋଲି ଭାରତୀୟ ବଧିର କ୍ରିକେଟ୍ ଅସୋସିଏସନ୍ ପକ୍ଷରୁ ସୂଚନା ଦିଆଯାଇଛି । କ୍ରିକେଟ୍ ଆସୋସିଏସନ୍ ସଭାପତି ସୁମିତ୍ ଜୈନ ଓ ସମ୍ପାଦକ ଅଜୟ କୁମାର ଏହି ସୂଚନା ଦେଇଛନ୍ତି । ସନ୍ତୋଷ ତାଳଚେର ୟୁଥ୍ ସ୍ପୋର୍ଟିଂ କ୍ଲବ୍ ପକ୍ଷରୁ ନିଜର କ୍ରିକେଟ୍ କ୍ୟାରିୟର୍ ଆରମ୍ଭ କରି ଭାରତୀୟ ଦଳରେ ସାମିଲ ହୋଇଥିବାରୁ ଜିଲ୍ଲା କ୍ରିକେଟ୍ ପ୍ରେମୀଙ୍କ ମହଲରେ ଖୁସି ପ୍ରକାଶ ପାଇଛି । ଏନେଇ ସନ୍ତୋଷ ସମ୍ବଲପୁର ଆର୍ଡିସି ସଚ୍ଚିନ ରାମଚନ୍ଦ୍ର ଯାଦବ ଓ ଅନୁଗୁଳ ଜିଲ୍ଲାପାଳ ମହମ୍ମଦ୍ ଅକତର୍ଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ ଜିଲ୍ଲା ବଧିର ସଂଘର ସଭାପତି ପର୍ଶୁରାମ ଦାଶ, ସମ୍ପାଦକ ବିଶ୍ୱଜିତ୍ ହୋତା ଓ ସନ୍ତୋଷଙ୍କ ଅଭିଭାବକ ଉପସ୍ଥିତ ଥିଲେ ।