ପ୍ରଶ୍ନବାଚୀରେ ଫ୍ଲାଟ୍ ସୁରକ୍ଷା

ଜନସଂଖ୍ୟା ବୃଦ୍ଧି ହେତୁ ଦିନକୁ ଦିନ ବାସଗୃହର ଚାହିଦା ବଢ଼ିବାରେ ଲାଗିଛି । ଅନ୍ୟପକ୍ଷରେ ବାସଗୃହ ପାଇବା ମଧ୍ୟ ଏତେ ସହଜ ହେଉନାହିଁ । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ବାସଗୃହ ଚାହିଦାକୁ ମେଣ୍ଟାଇବା ପାଇଁ ବର୍ତ୍ତମାନ ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ଗୃହ ଗୁଡ଼ିକର ଉଚ୍ଚତା ବଢୁଛି । ବହୁତଳ ବିଶିଷ୍ଟ ବାସଗୃହ ସଂଖ୍ୟା ଯେତିକି ଅଧିକ ହେଉଛି ସେହି ତୁଳନାରେ ଏ ଗୁଡ଼ିକର ନିରାପତ୍ତାଜନିତ ସମସ୍ୟା ମଧ୍ୟ ବଢୁଛି । ସହରାଞ୍ଚଳ ଭାବରେ ରାଜଧାନୀ କ୍ଷେତ୍ରରେ ବର୍ଷକୁ ଶହ ଶହ ସଂଖ୍ୟାରେ ବହୁତଳ ବିଶିଷ୍ଟ ଆପାର୍ଟ୍ମେଣ୍ଟ ନିର୍ମାଣ କରାଯାଉଛି । ଅନ୍ୟପକ୍ଷରେ ଏହାର ନିରାପତ୍ତାଜନିତ ସମସ୍ୟା ବଢ଼ି ବଢ଼ି ଚାଲିଛି । ଆପାର୍ଟ୍ମେଣ୍ଟ୍ ଗୁଡ଼ିକ ଏକ ପାଚେରୀ ଘେରା ପରିବେଶ ମଧ୍ୟରେ ଜଗୁଆଳି ବ୍ୟବସ୍ଥା ସହିତ ନିର୍ମାଣ କରାଯାଉଥିଲେ ମଧ୍ୟ ସମସ୍ତ ନିରାପତ୍ତା ବଳୟକୁ ଡ଼େଇଁ ଚୋରମାନେ, ଡ଼କାୟତମାନେ ନିର୍ବିଘ୍ନରେ ଚୋରି କରି ଚାଲି ଯାଉଛନ୍ତି । 
ଅଳ୍ପଦିନ ତଳେ ଭୁବନେଶ୍ୱରରେ ତିନିଶହ ଘର ଥିବା ଏକ ଆପାର୍ଟ୍ମେଣ୍ଟ୍ର ଏକ ଫ୍ଲାଟ୍ରେ ଚୋରମାନେ ଚୋରି କରିବା ଉଦେ୍ଦଶ୍ୟରେ ପ୍ରବେଶ କରି ଗଣଦୁଷ୍କର୍ମ ଭଳି ଏକ ସମ୍ବେଦନଶୀଳ ଅପରାଧ ଘଟାଇଛନ୍ତି । ଅପରାଧୀମାନେ ଧରା ପଡ଼ିଥିଲେ ମଧ୍ୟ ଏ ପ୍ରକାରର ଘଟଣା କିଭଳି ଘଟୁଛି ଏବଂ ନିରାପତ୍ତା ବଳୟକୁ ସେମାନେ କିଭଳି ଅତିକ୍ରମ କରି ଯାଉଛନ୍ତି, ତାହା ପୁଲିସ୍ ପାଇଁ ଏକ ବଡ଼ ସମସ୍ୟାରେ ପରିଣତ ହୋଇଛି । ଏମିତିରେ ଆପାର୍ଟ୍ମେଣ୍ଟ୍ଗୁଡ଼ିକରେ ରହୁଥିବା ବାସିନ୍ଦାମାନେ ବର୍ତ୍ତମାନ ସୁରକ୍ଷାକୁ ନେଇ ଆତଙ୍କିତ ହୋଇ ପଡ଼ିଲେଣି । ଦିନକୁ ଦିନ ଏ ପ୍ରକାରର ଘଟଣା ବଢ଼ି ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରାଯିବା ନେଇ ଅନେକ ପ୍ରଶ୍ନବାଚୀ ଉଠୁଛି । 
ପ୍ରତ୍ୟେକ ଆପାର୍ଟମେଣ୍ଟ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ନିରାପତ୍ତାଯୁକ୍ତ ଭୌଗୋଳିକ କ୍ଷେତ୍ର । ତାହା ଭିତରେ କେଉଁ ଆପାର୍ଟ୍ମେଣ୍ଟ୍ ଖାଲି ରହୁଛି କିମ୍ବା କେଉଁ ଆପାର୍ଟ୍ମେଣ୍ଟ୍ରେ କେହି ରହୁନାହାନ୍ତି, କେଉଁଠାରେ ଏକମାତ୍ର ବୃଦ୍ଧବୃଦ୍ଧା ରହୁଛନ୍ତି ଆଦି ସୂଚନା ବାହାରର ଲୋକମାନଙ୍କ ପାଖରେ ପହଞ୍ଚିବା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଲାଣି । ଚୋରି ଯାଉଥିବା ଆପାର୍ଟ୍ମେଣ୍ଟ୍ଗୁଡ଼ିକରେ ଚୋର କିମ୍ବା ଅପରାଧୀମାନଙ୍କୁ ସୂଚନା ଦେବା ଭଳି ନିଶ୍ଚିତ ରୂପେ କେହି ନା କେହି ରହୁଛନ୍ତି । ଏହା ଫଳରେ ଆପାର୍ଟ୍ମେଣ୍ଟ୍ର ବାସିନ୍ଦା ନଥିବା ଜଣେ ବ୍ୟକ୍ତି ଆପାର୍ଟ୍ମେଣ୍ଟ୍ ଭିତରର ଖବର ପାଇପାରୁଛି । ଆପାର୍ଟ୍ମେଣ୍ଟ ବାସିନ୍ଦାମାନେ ପ୍ରଥମେ ଏ ଦିଗଟିକୁ ବିଚାର କରିବା ଆବଶ୍ୟକ । ରାଜଧାନୀର ପ୍ରାୟତଃ ସବୁ ଥାନା ଅଞ୍ଚଳରେ ଥିବା ଆପାର୍ଟ୍ମେଣ୍ଟରୁ କିଛି ନା କିଛି ଚୋରି, ଲୁଟ୍ପାଟ୍ ହେଉଛି । ସେଥିମଧ୍ୟରୁ କିଛି କିଛି ଘଟଣାରେ ବଡ଼ଧରଣର ଚୋରି ଏବଂ ଲୁଟ୍ପାଟ୍ ମଧ୍ୟ ହେଉଛି । ଏ ପର୍ଯ୍ୟନ୍ତ ପ୍ରାୟ ୭୦ଟି ଫ୍ଲାଟ୍ରୁ ଚୋରି କିମ୍ବା ଲୁଟ୍ପାଟ୍ ହୋଇ ୧୭ କୋଟି ଟଙ୍କା ପର୍ଯ୍ୟନ୍ତ ସମ୍ପତ୍ତ ଗଲାଣି । କେବଳ ଗୋଟିଏ ଦୁଇଟି ଘଟଣାକୁ ଛାଡ଼ି ଦେଲେ ଅନ୍ୟ କୌଣସି ଘଟଣାରେ ଅପରାଧୀ ଧରା ପଡ଼ିନାହାନ୍ତି । ସ୍ଥାନୀୟ ବ୍ୟକ୍ତିଙ୍କ ସମ୍ପୃକ୍ତି ରହୁଥିବାରୁ ନିଶ୍ଚିତ ରୂପେ ସୁରକ୍ଷାକର୍ମୀ କିମ୍ବା ଆପାର୍ଟ୍ମେଣ୍ଟ୍ ବାସିନ୍ଦାଙ୍କର ଅଳ୍ପ ବହୁତେ ହାତ ରହୁଛି । 
ତା'ପରେ ବିଭିନ୍ନ ଘରୋଇ ସଂସ୍ଥାକୁ ଆପାଟର୍୍ମେଣ୍ଟ୍ର ସୁରକ୍ଷା ଦାୟିତ୍ୱ ଦିଆଯାଉଛି । ସୁରକ୍ଷାକର୍ମୀମାନଙ୍କର ବିଭିନ୍ନ ଆପାଟର୍୍ମେଣ୍ଟ୍କୁ ମଧ୍ୟ ବଦଳି କରାଯାଉଛି । କେତେକ କ୍ଷେତ୍ରରେ ସେମାନେ ଚାକିରି ମଧ୍ୟ ଛାଡ଼ି ଦେଉଛନ୍ତି । ଏଭଳି କ୍ଷେତ୍ରରେ ସେମାନେ ଲୁଟେରାମାନଙ୍କ ସହିତ ଯୋଗାଯୋଗରେ ରହୁଛନ୍ତି । ସବୁ ଆପାର୍ଟ୍ମେଣ୍ଟ୍ରେ ସିସିଟିଭିର ବ୍ୟବସ୍ଥା ରହିଥିଲେ ମଧ୍ୟ ବରିଷ୍ଠ ନାଗରିକ କିମ୍ବା ଏକୁଟିଆ ରହୁଥିବା ବ୍ୟକ୍ତିମାନେ ଅଧିକ ଭାବରେ ଏହିପରି ଲୁଟ୍ର ଶିକାର ହେଉଛନ୍ତି । ତେଣୁ ଏଭଳି ନାଗରିକମାନେ ସେମାନଙ୍କ ପଡ଼ୋଶୀମାନଙ୍କ ସହିତ ନିରନ୍ତର ସମ୍ପର୍କରେ ରହିବା ଉଚିତ୍ ବୋଲି ପୁଲିସ୍ ପକ୍ଷରୁ ପରାମର୍ଶ ଦିଆଯାଉଛି । ଆପାଟର୍୍ମେଣ୍ଟ୍ ବାସିନ୍ଦାମାନେ ସମ୍ପୂର୍ଣ୍ଣ ରୂପେ ସୁରକ୍ଷାକର୍ମୀଙ୍କ ଉପରେ ନିର୍ଭର ନକରି ନିଜେ ମଧ୍ୟ ସୁରକ୍ଷାକୁ ନେଇ ସବୁବେଳେ ସତର୍କ ରହିବା ଆବଶ୍ୟକ ।