ପ୍ରହସନ ପାଲଟିଛି ବେଆଇନ ବାଲିଉଠାଣ ଚଢାଉ 

ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଣିନାଥପୁର ବୈତରଣୀ ନଦୀ ଶଯ୍ୟାରୁ ବେଆଇନ ଭାବେ ବିପୁଳ ବାଲି ଉତ୍ତୋଳନ ଉପରେ ପ୍ରଶାସନ ପକ୍ଷରୁ ଲୋକ ଦେଖାଣିଆ ଭାବେ ଚଢାଉ କରାଯାଇଛି । ହେଲେ ବାଲି ଚୋରଙ୍କ ବୁ୍ୟହ ଭେଦ କରି ନପାରି ପ୍ରଶାସନିକ ଅଧିକାରୀମାନେ ଶିଶୁପାଳ ହୋଇ ଫେରି ଯାଇଥିବା ଜଣାଯାଇଛି । ତହସିଲ, ଥାନା ଠାରୁ ଆରମ୍ଭ କରି ବାଲିଘାଟ ସଂଯୋଗକାରୀ ପ୍ରତ୍ୟେକ ରାସ୍ତାର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଲୋକ ଜଗାଇଥିବା ବାଲିଚୋରମାନେ ଆଗୁଆ ସୂଚନା ପାଇ ସତର୍କ ହୋଇ ଯାଇଥିଲେ । ଏପରିକି ଚଢାଉ କରିବାକୁ ଆସିଥିବା ପ୍ରଶାସନିକ ଅଧିକାରୀ ଓ ପୁଲିସ ଦଳ ସହ ବାଲିଚୋରମାନେ ଖୋଲାଖୋଲି ମିଶି ବାଲି ଚୋରି ତନଖିକୁ ବେଶ ନୀରିକ୍ଷଣ କରିବା ସହ ପ୍ରଶାସନିକ ଅଧିକାରୀଙ୍କୁ ନୂଆ ବର୍ଷ ବଟି ମିଳିବ ବୋଲି କହି ଉପହାସ କରୁଥିଲେ । ବାଲି ଉତ୍ତୋଳନ ଉପରେ କାର୍ଯ୍ୟାନୁଷ୍ଠାନ କ୍ଷମତା ପାଇଥିବା ଅନିଲ ଦାସଙ୍କ ନେତୃତ୍ୱରେ ଦୁର୍ନୀତିଗ୍ରସ୍ତ ଲଘୁଖଣିଜ ଅଧିକାରୀମାନେ ଓ ବାଲିଚୋରଙ୍କ ଧରମବନ୍ଧୁ ପାଲଟିଥିବା ପୁଲିସ ପକ୍ଷରୁ ଏହି ଚଢାଉ ହୋଇଥିଲା । ମାଜିଷ୍ଟ୍ରେଟ ଭାବେ ତହସିଲଦାର ସରୋଜକାନ୍ତ ନାୟକଙ୍କ ସମେତ ବନ ବିଭାଗ ପକ୍ଷରୁ ରେଞ୍ଜର ସୁଷମା ସାହୁ ଚଢାଉରେ ସାମିଲ ହୋଇଥିଲେ । ବାଲି ଉତ୍ତୋଳନ ହେଉଥିବା ଶଯ୍ୟା ବନବିଭାଗ ଜମି ହୋଇଥିବାରୁ ବନବିଭାଗ ଅଧିକାରୀଙ୍କୁ ସାମିଲ କରାଯାଇଥିଲା ବୋଲି ସୂଚନା ମିଳିଛି । ନେରଡା ପଂଚାୟତ ଯଶୋଟିକିରି ଗ୍ରାମର ଜନୈକ କୁଖ୍ୟାତ ବାଲିଚୋର ମଣିନାଥପୁର ଗ୍ରାମର ଲୋକଙ୍କ ମଧ୍ୟରେ ଗୋଷ୍ଠୀ ବିବାଦ ସୃଷ୍ଟି କରି ଦୈନିକ ୬୦ ରୁ ଅଧିକ ହାଇୱାରେ ବାଲି ପରିବହନ କରୁଥିବା ଜଣାଶୁଣା କଥା । ବାଲି ଉତ୍ତୋଳନ ଓ ପରିବହନ ଉପରେ କାର୍ଯ୍ୟାନୁଷ୍ଠାନ କ୍ଷମତା ପାଇଥିବା ପ୍ରତ୍ୟେକ ପ୍ରଶାସନିକ ବିଭାଗ ଏ ସମ୍ପର୍କରେ ଜାଣିମଧ୍ୟ କୌଣସି ଠୋସ ପଦକ୍ଷେପ ଗ୍ରହଣ କରିବା ପରିବର୍ତେ ନାମମାତ୍ର ଚଢାଉ କରି ପାରିବା ପଣିଆ ଦେଖାଉଥିବାରୁ ମଣିନାଥପୁର ଗ୍ରାମବାସୀଙ୍କ ପକ୍ଷରୁ ଚଢାଉ ପ୍ରହସନକୁ କଡା ଭାଷାରେ ନିନ୍ଦା କରାଯାଇଛି ।