ଓଡ଼ିଶାରେ ଆୟୁର୍ବେଦ

ଶରୀର ଥିଲେ ରୋଗ ଅଛି । ରୋଗ ଥିଲେ ଚିକିତ୍ସା ଅଛି । ଆୟୁର୍ବେଦ ହେଉଛି ବିଶ୍ୱର ଏକ ପୁରାତନ ଚିକିତ୍ସା ପଦ୍ଧତି । ହଜାର ହଜାର ବର୍ଷ ଧରି ଭାରତରେ ଏହି ଚିକିତ୍ସା ପଦ୍ଧତି ପ୍ରଚଳିତ । ବେଦ ଓ ପୁରାଣରେ ମଧ୍ୟ ଆୟୁର୍ବେଦ ସଂପର୍କରେ ବର୍ଣ୍ଣନା ରହିଛି । ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପାଞ୍ଚୋଟି ତତ୍ତ୍ୱକୁ ନେଇ ପୁରା ବ୍ରହ୍ମାଣ୍ଡ ଗଠିତ ହୋଇଛି । ଏଥିରେ ବାୟୁ ଜଳ, ଆକାଶ, ପୃଥିବୀ ଓ ଅଗ୍ନିକୁ ସାମିଲ କରାଯାଇଛି । ଆୟୁର୍ବେଦରେ ଏହାକୁ ପଞ୍ଚ ମହାଭୂତ କୁହାଯାଏ । ପିତ୍ତଦୋଷ, ବାତ ଦୋଷ ଓ କଫ ନାମରେ ତିନୋଟି ବିକାର ମନୁଷ୍ୟ ଶରୀରରେ ସୃଷ୍ଟି ହୋଇଥାଏ । ଏହାକୁ ତ୍ରିଦୋଷ କୁହାଯାଏ । ମଣିଷ ଶରୀରରେ ସପ୍ତ ଧାତୁ ରହିଛି । ସେଗୁଡ଼ିକ ହେଲା ରସ, ମେଦ, ରକ୍ତ, ମଜ୍ଜା, ଅସ୍ଥି, ମାଂସ ଓ ଶୁକ୍ର । ଏହି ସବୁର କାମ ଅଲଗା ଅଲଗା । ମଣିଷକୁ ସୁସ୍ଥ ଓ ନିରୋଗ ରଖିବାରେ ଏହାର ପ୍ରମୁଖ ଭୂମିକା ରହିଛି ।
ହଜାର ହଜାର ବର୍ଷ ଧରି ଆୟୁର୍ବେଦ ସୁସ୍ଥ ଜୀବନ ନିମନ୍ତେ ମାର୍ଗ ଦର୍ଶନ କରିଆସିଛି । ଆୟୁର୍ବେଦ ଥିଲା ପ୍ରାଚୀନ ଭାରତରେ ରୋଗ ଉପଚାର ଓ ସୁସ୍ଥ ଜୀବନ ଶୈଳୀର ସର୍ବୋତ୍ତମ ଉପାୟ । ଔଷଧୀୟ ବୃକ୍ଷଲତା, ଜଡ଼ିବୁଟି ସହିତ ଅନ୍ୟ ପ୍ରାକୃତିକ ସାମଗ୍ରୀରେ ଔଷଧ ପ୍ରସ୍ତୁତ ହୋଇଥାଏ । ଆଧୁନିକ ଦୁନିଆରେ ମଧ୍ୟ ସୁସ୍ଥ ଶରୀର ପାଇଁ ଲୋକେ ଆୟୁର୍ବେଦର ଉପଯୋଗ କରୁଛନ୍ତି । ଜୀବନକୁ ସୁଖ, ରୋଗମୁକ୍ତ କରିବାରେ ଏହା ସାହାଯ୍ୟ କରେ । ବହୁ ଦୁରାରୋଗ୍ୟ ବ୍ୟାଧି ମଧ୍ୟ ଆୟୁର୍ବେଦ ଚିକିତ୍ସା ଦ୍ୱାରା ଭଲ ହେଉଥିବା ଦାବି କରାଯାଏ । ବିଜ୍ଞାନ ଯେତେ ଅଗ୍ରଗତି କଲେ ମଧ୍ୟ ଏବେ ବି ଆୟୁର୍ବେଦ ଉପଚାରକୁ ବିକଳ୍ପ ଚିକିତ୍ସା ବୋଲି କୁହାଯାଏ ।
ପାଶ୍ଚାତ୍ୟ ଔଷଧ ବ୍ୟବହାରର ବହୁ ପୂର୍ବରୁ ଆୟୁର୍ବେଦର ଅସ୍ତିତ୍ୱ ଥିଲା । ବିଶ୍ୱରେ ଭାରତୀୟ ଆୟୁର୍ବେଦର ଉଲ୍ଲେଖନୀୟ ଭୂମିକା ରହିଛି । ଓଡ଼ିଶା ମଧ୍ୟ ଆୟୁର୍ବେଦ କ୍ଷେତ୍ରରେ ପଛରେ ପଡ଼ିନାହିଁ । ଓଡ଼ିଶାରେ କେତେକ ଅଞ୍ଚଳରେ ରହିଛି ଆୟୁର୍ବେଦ କଲେଜ, ଡାକ୍ତରଖାନା, ଗବେଷଣାକେନ୍ଦ୍ର । ଯେଉଁଠି ଆୟୁର୍ବେଦ ପାଠପଢ଼ା, ଗବେଷଣା ସହିତ ଉତ୍ତମମାନର ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ସେହିପରି ରାଜ୍ୟରେ ରହିଛି କେତୋଟି ଆୟୁର୍ବେଦିକ ଔଷଧ ନିର୍ମାତା ସଂସ୍ଥା । ଫଳରେ ଓଡ଼ିଶାବାସୀ ଆୟୁର୍ବେଦ ଚିକିତ୍ସା ସୁଲଭ ଓ ସୁବିଧାରେ ପାଇପାରୁଛନ୍ତି ।
ଓଡ଼ିଶାରେ ଆୟୁର୍ବେଦ ଚିକିତ୍ସାର ପ୍ରଚଳନ ଅନେକ ତାଳପତ୍ର ପୋଥି, ରାଜବୈଦ୍ୟ ଏବଂ ଅନ୍ୟ କବିରାଜମାନଙ୍କ ପାଖରେ ରହିଥିଲା । ଅନେକ ପ୍ରସିଦ୍ଧ ବୈଦ୍ୟ ଏବଂ ତାଙ୍କ ସ୍ୱରଚିତ ଚିକିତ୍ସା ଗ୍ରନ୍ଥ ଯଥା ମାଧବକର ନିଦାନ, ଅଭିନବ ଚିନ୍ତାମଣି, ଚିକିତ୍ସାର୍ଣ୍ଣବ, ପଥ୍ୟାପଥ୍ୟ, ପୁସ୍ତକ, ଚିକିତ୍ସା ମଞ୍ଜରୀ ଆଦି ପୁସ୍ତକ ମାଧ୍ୟମରେ ଉପଲବ୍ଧ । ଭାରତ ସ୍ୱାଧୀନତା ପରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ଓଡ଼ିଶାରେ ସରକାରୀ ସ୍ତରରେ ୫୦୦ରୁ ଊଦ୍ଧ୍ୱର୍ ସରକାରୀ ଆୟୁର୍ବେଦ ଡାକ୍ତରଖାନା, ୫ଟି ଶସ୍ୟା ବିଶିଷ୍ଟ ଡାକ୍ତରଖାନା ଏବଂ ନୂତନ ଭାବେ ଅନେକ ଆୟୁର୍ବେଦ ୱେଲନେସ ସେଣ୍ଟର ପ୍ରତିଷ୍ଠା କରାଯାଇଛି । ଏହା ବ୍ୟତୀତ ଭାରତ ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନ ମାଧ୍ୟମରେ ରାଜ୍ୟରେ ୩୦୦୦ରୁ ଊଦ୍ଧ୍ୱର୍ ଆୟୁଷ ଡାକ୍ତର କାର୍ଯ୍ୟ କରୁଛନ୍ତି । ଆୟୁର୍ବେଦ ଡାକ୍ତରଖାନା ଏବଂ ୱେଲନେସ କେନ୍ଦ୍ରରେ ପଞ୍ଚକର୍ମ ଓ ଯୋଗ ଚିକିତ୍ସା ଦ୍ୱାରା ଅନେକ ରୋଗର ଚିକିତ୍ସା କରାଯାଉଛି । ଭାରତର ସରକାରଙ୍କର ଆୟୁଷ ମନ୍ତ୍ରାଳୟ ଅଧୀନସ୍ଥ ସିସିଆରଏଏସର ଏକ କେନ୍ଦ୍ର ଭୁବନେଶ୍ୱରର ଭାରତପୁର ଠାରେ ଅଛି । ଏଥିରେ ଏକ ରିସର୍ଚ୍ଚ ହସ୍ପିଟାଲ ଅଛି । ବିଭିନ୍ନ ପୁରାତନ ଓ ଜଟିଳ ରୋଗର ଚିକିତ୍ସା ଏବଂ ଗବେଷଣା ଏଠି କରାଯାଏ । ବିଭିନ୍ନ ପ୍ରକାରର ଆର୍ଥ୍ରାଇଟିସ, ସ୍ପଣ୍ଡିଲାଇଟିସ, ସୋରିଆସିସ୍, ମେଦବହୁଳତା, ଶ୍ୱାସ, ପେଟ ଓ ଯକୃତ ରୋଗ, ମଦୁମେହ, ମଳାଶୟ ରୋଗ, ପକ୍ଷାଘାତ, ସ୍ତ୍ରୀରୋଗ ଚିକିତ୍ସା ଏଠାରେ କରାଯାଏ ।
ବର୍ତ୍ତମାନ ମାନକ ଔଷଧୀୟ ଗଛଲତା ଚାଷ, ମାନକ ଆୟୁର୍ବେଦ ଔଷଧ ପ୍ରସ୍ତୁତି ଏବଂ ଗବେଷଣା ଆଧାରିତ ଆୟୁର୍ବେଦ ଚିକିତ୍ସା ଉପରେ ସରକାର ଗୁୁରୁତ୍ୱାରୋପ କରୁଛନ୍ତି । ଜନମାନସରେ ଆୟୁର୍ବେଦକୁ ଆହୁରି ଆଦୃତ ଓ ପ୍ରସାର କରିବା ନିମନ୍ତେ ଆୟୁର୍ବେଦ ବୃକ୍ଷଲତାଦିର ଚାଷ, ମାନକ ଔଷଧ ପ୍ରସ୍ତୁତି, ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଆୟୁର୍ବେଦ ପଞ୍ଚକର୍ମ କେନ୍ଦ୍ରର ସ୍ଥାପନ ରାଜ୍ୟରେ ଆୟୁର୍ବେଦ ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି କରିବା ସହ ଚିକିତ୍ସା ମାନଙ୍କୁ ବିଭିନ୍ନ ସମୟରେ ନୂତନ ଜ୍ଞାନକୌଶଳ ଆଦି ତାଲିମର ଦରକାର ରହିଛି । ଏହା ସହିତ ଓଡ଼ିଶାର ପ୍ରତ୍ୟେକ ସହରରେ ଆୟୁର୍ବେଦ ଚିକିତ୍ସା କେନ୍ଦ୍ର ସରକାରୀ ଓ ବେସରକାରୀ ସ୍ତରରେ ସ୍ଥାପନ କଲେ ଆୟୁର୍ବେଦ ଆଗାମୀ ଦିନରେ ଓଡ଼ିଶାରେ ଅନ୍ୟ ରାଜ୍ୟ ପରି ଲୋକାଦୃତ ହେବା ସହ ବହୁ ଉପଯୋଗୀ ହେବ ।
ପୂର୍ବରୁ ଗାଁ ଗହଳିରେ ବିଭିନ୍ନ ରାଜ୍ୟବୈଦ୍ୟ, ବୈଦ୍ୟ ବା କବିରାଜ ଥିଲେ । ବର୍ତ୍ତମାନ ସେମାନଙ୍କ ସଂଖ୍ୟା ବିଲୁପ୍ତ ହୋଇଯାଇଛି । ଆଦିବାସୀ ଜନଜାତି କିଛି ମାତ୍ରାରେ ଔଷଧ ସମ୍ପର୍କରେ ଜ୍ଞାନ ରଖୁଛନ୍ତି । ଆୟୁର୍ବେଦ ଚିକିତ୍ସାକୁ ଆଗକୁ ବଢ଼ାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରୟାସରେ ବିଭିନ୍ନ କଲେଜ, ଶିକ୍ଷାନୁଷ୍ଠାନ ଓ ହସ୍ପିଟାଲ ନିର୍ମାଣ କରାଯାଇଛି । ଆୟୁର୍ବେଦରେ ଡାକ୍ତରୀ ପାଠପଢ଼ି ରୋଗୀଙ୍କ ପାଇଁ ଚିକିତ୍ସା କରୁଛନ୍ତି । ସେଥିମଧ୍ୟରୁ ପୁରୀର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ବଲାଙ୍ଗୀର ସରକାରୀ ଆୟୁର୍ବେଦ କଲେଜ, ଗଞ୍ଜାମ ଅଙ୍କୁଶପୁରର ଆୟୁର୍ବେଦ ମହାବିଦ୍ୟାଳୟ, ବରଗଡ଼ ଜିଲ୍ଲା ପାଇକମାଳର ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ କଲେଜ ଓ ରିସର୍ଚ୍ଚ ଇନଷ୍ଟିଚୁ୍ୟଟ ଆଦି ଆୟୁର୍ବେଦ କଲେଜ, ଡାକ୍ତରଖାନା ଓ ଗବେଷଣାକେନ୍ଦ୍ର ଗୁଡ଼ିକ ଆୟୁର୍ବିଜ୍ଞାନ କ୍ଷେତ୍ରରେ ବେଶ ସୁନାମ ଅର୍ଜନ କରିଛି । ସେହିପରି କେତେକ ବେସରକାରୀ ଭାବେ ମଧ୍ୟ କେତେକ ଆୟୁର୍ବେଦ କଲେଜ ଓ ଡାକ୍ତରଖାନା ପରିଚାଳିତ ହେଉଛି । କଟକ ବିଦ୍ୟାଧରପୁର ଠାରେ ଥିବା ଶ୍ରୀ ଶ୍ରୀ ଆୟୁର୍ବେଦ କଲେଜ ଅଫ ଆୟୁର୍ବେଦ ସାଇନସ ଆଣ୍ଡ ରିସର୍ଚ୍ଚ ହସପିଟାଲ ଆୟୁର୍ବେଦ କ୍ଷେତ୍ରରେ ଏକ ନୂଆ ଧାରା ସୃଷ୍ଟି କରୁଛି । ପ୍ରତିଦିନ ବହୁ ସଂଖ୍ୟକ ରୋଗୀ ଏଠାରେ ଚିକିତ୍ସା ସୁବିଧା ପାଇପାରୁଛନ୍ତି । ଏଠାରେ ଛାତ୍ରଛାତ୍ରୀ ଉଚ୍ଚମାନର ଶିକ୍ଷା ଲାଭ କରୁଛନ୍ତି ।
ପ୍ରାଚୀନ କାଳରୁ ଶିକ୍ଷାର ଏକ ପ୍ରମୁଖ ଅଙ୍ଗ ଭାବରେ ଆୟୁର୍ବେଦ ଚିକିତ୍ସାଶାସ୍ତ୍ର ଗୁରୁ-ଶିଷ୍ୟ ପରମ୍ପରା ମଧ୍ୟ ଦେଇ ଏକ ଦୀର୍ଘ ପଥ ଅତିକ୍ରମ କରିଆସିଛି । ସମୟର ଅଶେଷ ଉତ୍ଥାନ-ପତନ ମଧ୍ୟ ଦେଇ ଅଗଣିତ ଜ୍ଞାତ ଓ ଅଜ୍ଞାତ ଭାରତୀୟ ବୈଦ୍ୟମାନ ଯେପରି ଆୟୁର୍ବେଦ ଚିକିତ୍ସା ସେବାକୁ ଜୀବନର ଶ୍ରେଷ୍ଠଧର୍ମ ଭଳି ପାଳନ କରି ଆସୁଥିଲେ, ଓଡ଼ିଶାରେ ମଧ୍ୟ ସେହିଭଳି ପାଳନ କରି ଆସୁଥିଲେ, ଓଡ଼ିଶାରେ ମଧ୍ୟ ସେହିଭଳି କେତେକ ବୈଦ୍ୟ ଏହି ପଥରେ ନିଜର ସମଗ୍ର ଜୀବନକୁ ନିୟୋଜିତ କରିଦେଇଥିଲେ । ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗରେ ଓଡ଼ିଶାର ଆୟୁର୍ବେଦ ଆକାଶରେ କେତେ ଜଣ ପ୍ରଖ୍ୟାତ ବୈଦ୍ୟ ଜ୍ୟୋତିଷ୍କଙ୍କର ଆବିର୍ଭାବ ହୋଇଥିଲା । ସେହି ବୈଦ୍ୟଗଣଙ୍କ ମଧ୍ୟରୁ ବୈଦ୍ୟରତ୍ନ ମାଗୁଣି ବ୍ରହ୍ମା, ଚତୁର୍ଭୁର୍ଜ ରାୟଗୁରୁ, ବୈଦ୍ୟରାଜ ଗୋପୀନାଥ ପାତ୍ର, ବୈଦ୍ୟରତ୍ନ ପୂର୍ଣ୍ଣ ଚନ୍ଦ୍ରରଥ, ବୈଦ୍ୟ ବାଚସ୍ପତି ବିଦ୍ୟାଭୂଷଣ ପଣ୍ଡିତ ବ୍ରଜବନ୍ଧୁ ତ୍ରିପାଠୀ, କାମାକ୍ଷା ପ୍ରସାଦ ଶର୍ମା ଏବଂ କବିରାଜ ଆନନ୍ଦ ମହାପାତ୍ର ଶର୍ମା ପ୍ରମୁଖ ଅନ୍ୟତମ ।
ବିଂଶ ଶତାବ୍ଦୀର ଆଦ୍ୟ ଭାଗରେ ଆବିର୍ଭୂତ ହୋଇଥିବା ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ବୈଦ୍ୟଗଣଙ୍କ ମଧ୍ୟରେ କବିରାଜ ରାୟ ସାହେବ ଲକ୍ଷ୍ମଣ ମିଶ୍ର, ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ଆୟୁର୍ବେଦ ଶିରୋମଣି କବିରାଜ ଅନନ୍ତ ତି୍ରପାଠୀ ଶର୍ମା, କବିରାଜ ସୋମନାଥ ଦାସ, ପଣ୍ଡିତ କବିରାଜ ଭୀମସେନ ପାଠୀ ଶର୍ମା, କବିରାଜ ମହାଦେବ ପାତ୍ର, ବୈଦ୍ୟଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ଏବଂ କବିରାଜ ସତ୍ୟନାରାୟଣ ପାତ୍ରଙ୍କ ନାମ ଉଲ୍ଲେଖଯୋଗ୍ୟ ଅଟେ । ଓଡ଼ିଶାର ବିଜ୍ଞ ଆୟୁର୍ବେଦ ଚିକିତ୍ସକ ବୈତ୍ୟରତ୍ନ ମାଗୁଣି ବ୍ରହ୍ମା (ପୁରୀ), ପୂର୍ଣ୍ଣଚନ୍ଦ୍ର ରଥ (ପୁରୀ) ଗୋପାଳ ଆଚାର୍ଯ୍ୟ (ଗଞ୍ଜାମ) ଏବଂ ବାଲୁଙ୍କେଶ୍ୱର ଆଚାର୍ଯ୍ୟ (କଟକ)ଙ୍କୁ ଭାରତର ସରକାରଙ୍କ ତରଫରୁ ବୈଦ୍ୟରତ୍ନ ଉପାଧି ପ୍ରଦାନ କରାଯାଇଛି । ଓଡ଼ିଶାରେ ଆୟୁର୍ବେଦ ଚିକିତ୍ସା ସେବା ଏବଂ ଆୟୁର୍ବେଦର ଶିକ୍ଷାର ପ୍ରଚାର ପ୍ରସାର କ୍ଷେତ୍ରରେ ଏହି ସମସ୍ତ ବୈଦ୍ୟମାନଙ୍କର ଅବଦାନ ଅତୁଳନୀୟ ।
ବାଲିଗୁଡ଼ା, କନ୍ଧମାଳ