ଉନ୍ନୟନମୂଳକ କାର୍ଯ୍ୟ ବନ୍ଦ ପ୍ରତିବାଦରେ ବିଜେଡି ପକ୍ଷରୁ ଆମରଣ ଅନଶନ
ବାଲେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଆରମ୍ଭ ହୋଇଥିବା କାର୍ଯ୍ୟକୁ ବନ୍ଦ କରାଯିବା ପ୍ରତିବାଦରେ ସଦର ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ସ୍ୱରୂପ ଦାସଙ୍କ ନେତୃତ୍ୱରେ ଗତ ନଭେମ୍ବର ୧୯ ତାରିଖରୁ ଗଣଧାରଣା ଦିଆଯାଇଛି । ହେଲେ ଏହାର କୌଣସି ସୁଫଳ ନ ମିଳିବାରୁ ସଦର ବ୍ଲକ ପରିସରରେ ପୂର୍ବତନ ବିଧାୟକ ସ୍ୱରୂପ ଦାସଙ୍କ ନେତୃତ୍ୱରେ ସର୍ବମୋଟ ୧୭ ଜଣ ସରପଞ୍ଚ, ସମିତିସଭ୍ୟ, କାଉନସିଲର ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଆମରଣ ଅନସନରେ ବସିଛନ୍ତି । ହେଲେ ପ୍ରଶାସନ ପକ୍ଷରୁ ଏଯାଏଁ କୌଣସି ତତ୍ପରତା ପ୍ରକାଶ ପାଇନାହିଁ । ଅପରପକ୍ଷରେ ଏହି ଅନଶନକୁ ନୈତିକ ସମର୍ଥନ ଦେବା ପାଇଁ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଏବଂ ନୀଳଗିରିର ପ୍ରାକ୍ତନ ବିଧାୟକ ସୁକାନ୍ତ ନାୟକ ପ୍ରମୁଖ ଅନଶନସ୍ଥଳୀରେ ପହଞ୍ଚିଥିଲେ । ନବୀନ ବାବୁଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ରାଜ୍ୟକୁ ବିକାଶର ଚରମ ସୀମାରେ ପହଞ୍ଚାଇଥିବାବେଳେ ମାତ୍ର ୫ମାସ ମଧ୍ୟରେ ମହୋନ ସରକାର ରାଜ୍ୟକୁ ତଳିତଳାନ୍ତ କରିସାରିଲେଣି । ସାମଗ୍ରିକ ବିକାଶରେ ସ୍ଥାନୀୟ ବିଜେପି ବିଧାୟକ ଅନ୍ତରାୟ ସୃଷ୍ଟି କରୁଥିବା ପ୍ରତିବାଦରେ ସ୍ୱରୂପ ଦାସଙ୍କ ନେତୃତ୍ୱରେ ଯେଉଁ ଆନେ୍ଦାଳନ ଜାରି ରହିଛି, ଏହା ଆଗାମୀ ଦିନରେ ସମଗ୍ର ରାଜ୍ୟକୁ ବ୍ୟାପିବ ବୋଲି ଅତିଥି ଭାବରେ ଯୋଗ ଦେଇଥିବା ଶ୍ରୀ ଦାସ ଏବଂ ପ୍ରାକ୍ତନ ବିଧାୟକ ଶ୍ରୀ ନାୟକ କହିଥିଲେ । ଏହି କାର୍ଯ୍ୟକ୍ରମକୁ ଅନଶନରେ ବସିଥିବା ବାଲେଶ୍ୱରର ପୂର୍ବତନ ବିଧାୟକ ସ୍ୱରୂପ ଦାସ ସଂଚାଳନ କରିଥିଲେ । ଏହି ଅମରଣ ଅନଶନରେ ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ତଥା ଟାଉନ ବିଜେଡି ମହିଳା ସଭାପତି ମୀନା ମହାନ୍ତି, କାଉନସିଲର ମୀତା ପଟ୍ଟନାୟକ, କବିତା ମୃମୁ, ସୁନିଆ ମୃମୁ, ସରପଞ୍ଚ ଅଜିତ ମହାପାତ୍ର, ବରେନ୍ଦ୍ର ସେଠୀ, ଧନଞ୍ଜୟ ପାତ୍ର, ଲକ୍ଷ୍ମୀକାନ୍ତ ଜେନା, ଅଶୋକ କୁମାର ମହାପାତ୍ର, ଅକୁର ତରେଇ, ଚିତ୍ତରଞ୍ଜନ ଜେନା, ସେକ ରାଜୁ, ପୂର୍ବତନ କାଉନସିଲର ସାକିର ଖାନ, ସଦର ନିର୍ବାଚନ ବିଜେଡି ଯୁବ ସଭାପତି ସେକ ଅନସର, ଯୁବ ନେତା ଦିବ୍ୟଶକ୍ତି ଜେନା, ପ୍ରସନ୍ନ ଜେନା ପ୍ରମୁଖ ସାମିଲ ହୋଇଛନ୍ତି ।