ବୈଦୁ୍ୟତିକ ଯାନର ଭବିଷ୍ୟତ


ପରିବେଶ ସୁରକ୍ଷା କ୍ଷେତ୍ରରେ ଯାନବାହାନ ଗୁଡ଼ିକର ଚଳାଚଳ, କଳକାରଖାନା ଆଦିର ବଡ଼ ଭୂମିକା ରହୁଥିବାରୁ ଯାନବାହାନର ଧୂଆଁକୁ କମାଇବା ପାଇଁ କେନ୍ଦ୍ର ସରକାର ସର୍ବାଧିକ ଉଦ୍ୟମ କରି ଆସୁଛନ୍ତି । ଏ କ୍ଷେତ୍ରରେ ରାସ୍ତାରେ ଚଳାଚଳ କରୁଥିବା ଡ଼ିଜେଲ୍ ଏବଂ ପେଟ୍ରୋଲ ଇଞ୍ଜିନ୍ର ଯାନକୁ ହଟେଇ ତା'ରି ବଦଳରେ ବୈଦୁ୍ୟତିକ ଯାନକୁ ଚଳାଚଳ ପାଇଁ ପ୍ରାଥମିକତା ଦେଉଛନ୍ତି । ବୈଦୁ୍ୟତିକ ଯାନ ଗୁଡ଼ିକର ବ୍ୟବହାର ଫଳରେ ପରିବେଶର ସୁରକ୍ଷା ସହିତ ବାୟୁମଣ୍ଡଳରେ କାର୍ବନ୍ ସ୍ତରକୁ କମାଇବା ସମ୍ଭବ ହୋଇପାରୁଛି । 
ଚୀନ୍ରେ ଏହିଭଳି ପଦକ୍ଷେପ ନିଆଯାଇ ବାୟୁମଣ୍ଡଳର ମାନକୁ ନିର୍ଦ୍ଧାରିତ ସ୍ତରରେ ରଖାଯାଇପାରିଛି । ସେଠାରେ ବୈଦୁ୍ୟତିକ ଯାନ ଉପରେ ବର୍ତ୍ତମାନ ଗୁରୁତ୍ୱ ଦିଆଯାଉଛି । ଭାରତରେ ବର୍ତ୍ତମାନ ସେହିଭଳି ଏକ ପଦକ୍ଷେପ ନିଆଯାଉଛି । ଦିନକୁ ଦିନ ବୈଦୁ୍ୟତିକ ମୋଟର ଗାଡ଼ି ଗୁଡ଼ିକର ବିକ୍ରି ସଂଖ୍ୟା ବଢୁଛି । ସୌର ପ୍ୟାନେଲ୍ ଏବଂ ବ୍ୟାଟେରୀ ଯୋଗାଇବା ଭଳି ବ୍ୟବସ୍ଥାକୁ ବ୍ୟାପକ କରାଗଲେ ଦୂରଗାମୀ ଯାନ ଗୁଡ଼ିକ ଭୟର ବ୍ୟବହାର ପରିବର୍ତ୍ତେ ବୈଦୁ୍ୟତିକ ଯାନର ବ୍ୟବହାର କରିବା ପାଇଁ ଆଗ୍ରହ ପ୍ରକାଶ କରିବେ । ତେବେ ଏ କ୍ଷେତ୍ରରେ ବର୍ତ୍ତମାନ ବୈଦୁ୍ୟତିକ ଯାନ ଗୁଡିକ ଲୋକମାନଙ୍କ ପାଇଁ ସୁବିଧାଜନକ ସାବ୍ୟସ୍ତ ହେଉଥିଲେ ମଧ୍ୟ ଦୀର୍ଘକାଳୀନ ଭିତ୍ତିରେ ବୈଦୁ୍ୟତିକ ଯାନ ଗୁଡ଼ିକ କେଉଁ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବେ ତାକୁ ମଧ୍ୟ ଦୃଷ୍ଟିରେ ରଖାଯିବା ଉଚିତ୍ । 
ବର୍ତ୍ତମାନ ପେଟ୍ରୋଲିୟମ୍ ଚାଳିତ ଇଞ୍ଜିନ୍ର ମରାମତି ଆଦି ପାଇଁ ସମଗ୍ର ଦେଶରେ ଛୋଟବଡ଼ ଏବଂ ଘରୋଇ ଗ୍ୟାରେଜ୍ ମେକାନିକ୍ମାନେ ରହିଛନ୍ତି । ତୈଳ ଇଞ୍ଜିନ୍ର ଯାନ ଗୁଡ଼ିକର ମରାମତି କରି ଲକ୍ଷ ଲକ୍ଷ ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି । ବୈଦୁ୍ୟତିକ ଯାନ ଯେତେବେଳେ ବିପୁଳ ସଂଖ୍ୟାରେ ଚଳାଚଳ କରିବ, ସେତେବେଳେ ଏସବୁର ରକ୍ଷଣାବେକ୍ଷଣ ଏବଂ ମରାମତି ଆଦିକୁ ନେଇ ପୁଣିଥରେ ପରିବେଶ ଜନିତ ସମସ୍ୟା ଉପୁଜିବ କି ନାହିଁ ତାହାର ଆକଳନ ମଧ୍ୟ ଜରୁରୀ । ବିପୁଳ ପରିମାଣରେ ବ୍ୟାଟେରୀର ବ୍ୟବହାର ଏବଂ ବ୍ୟାଟେରୀର କ୍ଷମତା ଶେଷ ହୋଇଯିବ ପରେ ସେସବୁକୁ ଇ-ଆବର୍ଜନା ଭାବରେ ଖୋଲା ପରିବେଶରେ ପକାଯିବା ଭଳି ପରିସ୍ଥିତି ସୃଷ୍ଟି ହେବ କି ନାହିଁ ତାହାର ମଧ୍ୟ ଏକ ଆକଳନ କରାଯିବା ଜରୁରୀ । ଆଜିକା ଦିନରେ ମୋଟ୍ ଯାନବାହାନର ମାତ୍ର ୨.୨ ପ୍ରତିଶତ ବୈଦୁ୍ୟତିକ ଯାନ ରାସ୍ତାରେ ଚଳାଚଳ କରୁଛି । ତେଣୁ ଏହିସବୁ ଗାଡ଼ି ଗୁଡ଼ିକ ପୁରୁଣା ହେବା ପର୍ଯ୍ୟନ୍ତ କ୍ରମାଗତ ଭାବରେ ଏସବୁର ପରିବେଶ ଉପରେ ରହୁଥିବା ପ୍ରଭାବକୁ ନୀରିକ୍ଷଣ କରାଯିବା ଆବଶ୍ୟକ । ପରିବର୍ତ୍ତିତ ଓ ପରିବର୍ଦ୍ଧିତ ପରିବେଶ ପ୍ରତି ଇ-ଆବର୍ଜନା ସର୍ବାଧିକ ବିପଦ ସୃଷ୍ଟି କରିଛି । ଏଠାରେ ଗୋଟିଏ ଛୋଟିଆ ଉଦାହରଣ ଏହି ଇ-ଆବର୍ଜନା ଏବଂ ପ୍ଲାଷ୍ଟିକ୍ ଆବର୍ଜନାର ପରିଣତିକୁ ଦର୍ଶାଇ ଦେଇପାରୁଛି । ତାହା ହେଲା ପୁରୁଣା ମୋବାଇଲ୍ ଜନିତ ସମସ୍ୟା । ଏତେ ସଂଖ୍ୟାରେ ଏବେ ପୁରୁଣା ମୋବାଇଲ୍ ଇ-ଆବର୍ଜନା ଭାବରେ ବାହାରୁଛି ଯେ ସେସବୁକୁ ଠିକ୍ ଭାବରେ ଖୋଲା ପରିବେଶରେ ନଷ୍ଟ କରାନଗଲେ ତାହା ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିବା ସମ୍ଭାବନା ରହୁଛି । 
ଠିକ୍ ସେହିଭଳି ଶିକ୍ଷା କ୍ଷେତ୍ରରେ ବ୍ୟବହାର କରାଯାଉଥିବା କଲମ ବର୍ତ୍ତମାନ ଆଉ ଏକ ସମସ୍ୟା ସୃଷ୍ଟି କରିବାକୁ ଯାଉଛି । ବହୁବର୍ଷ ପୂର୍ବେ  କାଳି କଲମ ବ୍ୟବହାର କରଯାଉଥିଲା ଏବଂ ସେଗୁଡିକ ଦୀର୍ଘବର୍ଷ ଧରି ବ୍ୟବହାର କରାଯାଉଥିଲା । ବର୍ତ୍ତମାନ୍ ପ୍ଲାଷ୍ଟିକ୍ ରିଫିଲ୍ର ବ୍ୟବହାର ଫଳରେ ପ୍ରତି ମାସ ଟ୍ରକ୍ ଟ୍ରକ୍ ବ୍ୟବହୃତ ରିଫିଲ୍ ଖୋଲା ପରିବେଶରେ ଫିଙ୍ଗା ଯାଉଛି । ଏଗୁଡ଼ିକ ଆଖିକୁ ସିନା ଦେଖା ଯାଉନାହିଁ, ହେଲେ ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ବ୍ୟବହୃତ ରିଫିଲ୍ ବିପୁଳ ପରିମାଣରେ ଗଦା ହେଉଥିବା ଦେଖିବାକୁ ମିଳିଲାଣି । ସେଗୁଡ଼ିକ ବିଭିନ୍ନ ଜଳ ନିଷ୍କାସନ ପଥକୁ ବନ୍ଦ କରି ସମସ୍ୟା ସୃଷ୍ଟି କରିଲାଣି । ତେଣୁ ଏ ଦୃଷ୍ଟିରୁ ଇ-ଯାନ ଗୁଡ଼ିକ ଜୀବନୀକାଳ ଶେଷ ପରେ ପରିବେଶ ପ୍ରତି  କି ପ୍ରକାରର ବିପଦ ସୃଷ୍ଟି କରିବେ ଏଥିପ୍ରତି ଧ୍ୟାନ ରଖାଯିବା ଉଚିତ୍ ।