ବିଶ୍ୱକବି ଶ୍ରୀ ଜୟଦେବ ନିଜର ଅମର କୃତି ‘ଗୀତଗୋବିନ୍ଦ’ ପାଇଁ ବିଶ୍ୱବିଶ୍ରୁତ । ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥଙ୍କ ପ୍ରିୟ କାବ୍ୟଗ୍ରନ୍ଥ ହିସାବରେ ଶ୍ରୀ ଜଗନ୍ନାଥ ସଂସ୍କୃତି ସହିତ ଏହି ଗୀତଗୋବିନ୍ଦ ଓତପ୍ରୋତ ଭାବେ ଜଡିତ । କବି ଜୟଦେବ ରାଧା-ମାଧବ(ରାଧାକୃଷ୍ଣ)ଙ୍କ ଅପ୍ରାକୃତ ପ୍ରେମ ଉପରେ ଏହି ମହାକାବ୍ୟଟିକୁ ରଚନା କରିଛନ୍ତି । ଜୀବାତ୍ମା (ରାଧା) ଓ ପରମାତ୍ମା (ଶ୍ରୀକୃଷ୍ଣ)ଙ୍କ ମଧ୍ୟରେ ଯେଉଁ ଅନିର୍ବଚନୀୟ ନିତ୍ୟରାସ ତାହାହିଁ ଗୀତଗୋବିନ୍ଦର ସାରବସ୍ତୁ । ଶୃଙ୍ଗାର ରସାତ୍ମକ ଏହି ଭକ୍ତି କାବ୍ୟ ଲାଳିତ୍ୟ ପାଇଁ ବିଶ୍ୱ ସାହିତ୍ୟରେ ଅନନ୍ୟ ଓ ଅଦ୍ୱିତୀୟ । ତେଣୁ ଏହି ପବିତ୍ର ଭକ୍ତି ଗ୍ରନ୍ଥ ପାଠ କଲେ ହରିସ୍ମରଣ ଅନିର୍ବାର୍ଯ୍ୟ । ଏହା ହୃଦୟରେ ଭକ୍ତିଭାବର ଉଦ୍ରେକର ଗନ୍ତାଘର ସଦୃଶ । ତେଣୁ ମହାକବି ଶ୍ରୀଜୟଦେବ ଘୋଷଣା କରିଛନ୍ତି ଯେ, କାନ୍ତକୋମଳ ପଦାବଳୀ ମାଧ୍ୟମରେ କାନ୍ତା ସମ୍ମିତ କାବ୍ୟ ବିନିମୟରେ ଯଦି କିଏ ହରିସ୍ମରଣ କରିପାରେ ତେବେ ସେ ଏହି ଅମରକୃତି ଗୀତଗୋବିନ୍ଦ ପଠନ କରୁ ।
“ଯଦି ହରି ସ୍ମରଣେ ସର ସଂଯମନୋ
ଯଦି ବିଳାସ କଳାସୁ କୁତୁହଳମ୍
ମଧୁର କୋମଳ କାନ୍ତ ପଦାବଳୀଂ
ଶୃଣୁ ତଦା ଜୟଦେବ ସରସ୍ୱତୀମ୍ ।” ୧/୪
ମହାକବି ଶ୍ରୀ ଜୟଦେବ ଓଡିଶାର ଅଖ୍ୟାତ ପଲ୍ଲୀ କେନ୍ଦୁବିଲ୍ୱ (କେନ୍ଦୁଲି) ଗ୍ରାମରେ ଦ୍ୱାଦଶ ଶତାବ୍ଦୀରେ ଏକ ବ୍ରାହ୍ମଣ କୁଳରେ ଜନ୍ମ ଗ୍ରହଣ କରିଥିଲେ । ସେ ଏହି ମହାକାବ୍ୟଟିକୁ ପ୍ରାୟତଃ ଦ୍ୱାଦଶ ଶତକରେ ରଚନା କରିଥିବାର ପ୍ରମାଣ ଅଛି । ତାଙ୍କର ରଚିତ ଏହି ଗୀତଗୋବିନ୍ଦକୁ ଶ୍ରୀମନ୍ଦିରରେ ପ୍ରତ୍ୟହ ପାଠ ହେବା ବ୍ୟବସ୍ଥା ବହୁ କାଳରୁ ଚଳିଆସୁଅଛି । ମାଦଳାପାଞ୍ଜି ଅନୁସାରେ ଏହି ବ୍ୟବସ୍ଥା ଗଙ୍ଗବଂଶର ରାଜା ନରସିଂହଦେବ (୧୨୭୮-୧୩୦୯)ଙ୍କ ରାଜତ୍ୱ କାଳରୁ ହିଁଁ କରାଯାଇଥିଲା । ଏହାଛଡା ଗଜପତି ପୁରୁଷୋତ୍ତମ ଦେବଙ୍କ ସମୟରେ ଅଭିନବ ଗୀତଗୋବିନ୍ଦ ଲେଖାଯାଇ ମହାପ୍ରଭୁଙ୍କ ନିକଟରେ ଗାନ କରାଯିବାର ବ୍ୟବସ୍ଥା ହୋଇଥିଲେ ହେଁ ତାହା ପରବର୍ତ୍ତୀ ସମୟରେ ବନ୍ଦ ହୋଇ ଗୀତଗୋବିନ୍ଦ ପାଠର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କଥିତ ଅଛି ମହାପ୍ରଭୁ ଶ୍ରୀଜଗନ୍ନାଥ ଜୟଦେବଙ୍କୁ ଏହି ଗ୍ରନ୍ଥ ରଚନା କରିବାରେ ସାହାଯ୍ୟ କରିଥିଲେ । ଜୟଦେବ ସ୍ନାନ କରିବାକୁ ଯାଇଥିବା ବେଳେ ଅଂସପୂର୍ଣ୍ଣ ପାଣ୍ଡୁଲିପିରେ ଅପୂରଣୀୟ ସ୍ଥାନରେ ସଠିକ୍ ପଦ ‘ଦେହି ପଦ ପଲ୍ଲବ ମୁଦାରମ୍’ ପଦ ପୂରଣ କରିଥିଲେ । ଶ୍ରୀ ଜୟଦେବ ଏହି କାବ୍ୟଟିକୁ ଓଡିଶାର ବଡ ଠାକୁର ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରିଥିଲେ । ମହାକବିଙ୍କ ଗୀତଗୋବିନ୍ଦ ଭାବ, ଭାଷା, ଲାଳିତ୍ୟ ଓ ଆଧ୍ୟାତ୍ମିକତା ଦୃଷ୍ଟିରୁ ଏକ ସ୍ୱୟଂସମ୍ପୂର୍ଣ୍ଣ ପବିତ୍ର ଗ୍ରନ୍ଥ ହୋଇଥିବାରୁ ପରବର୍ତ୍ତୀ କାଳରେ ଏହା ବହୁ ଭଷାରେ ଅନୁଦିତ ହେବା ସହ ଏହାର କିଛି ଶ୍ଳୋକ ପ୍ରାନ୍ତୀୟ ଗ୍ରନ୍ତମାନଙ୍କରେ ଆଞ୍ଚଳିକ ଭାଷାରେ ଉଲ୍ଲିଖିତ ହୋଇଅଛି । ଏହାଛଡା ଶ୍ରୀ ଜଗନ୍ନାଥଙ୍କର ଶ୍ରୀମନ୍ଦିରରେ ଖଣ୍ଡୁଆ, ପହରଣ ଶାଢ଼ି ଆଦିରେ ଗୀତଗୋବିନ୍ଦର ପବିତ୍ର ପଦ ସ୍ଥାନିତ । ଯଥାର୍ଥରେ ଉଲ୍ଲେଖ କଲେ ଗୀତଗୋବିନ୍ଦ ତୂଲ୍ୟ ପରମ ପବିତ୍ର ଗ୍ରନ୍ଥ କୁତ୍ରାପି ଦୃଷ୍ଟିଗୋଚର ହୁଏନାହିଁ । ଏହା ରୀତିଯୁଗୀୟ ଶୃଙ୍ଗାର ସାହିତ୍ୟର ଅନ୍ୟତମ ନିଦର୍ଶନ ସ୍ୱରୂପ ଆଧ୍ୟାତ୍ମିକତାକୁ ଯଥେଷ୍ଟ ପ୍ରଭାବିତ କରି ବିଶ୍ୱ ଦରବାରକୁ ଚମକାଇବାରେ ସକ୍ଷମ ହୋଇଛି । ମୋଟ ଉପରେ କହିବାକୁ ଗଲେ ବିଶ୍ୱପ୍ରସିଦ୍ଧ ଗ୍ରନ୍ଥ ‘ଗୀତଗୋବିନ୍ଦ’ ସମଗ୍ର ଉକôଳବାସୀ ଓ ଏହାର ପରମ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ପ୍ରିୟ ପବିତ୍ର କାବ୍ୟଗ୍ରନ୍ଥ ।
ଡାକ୍ତର ଦୀନବନ୍ଧୁ ମହାରଣା ,ମୋ:୯୪୩୭୦୪୩୧୦୩