ଅଧୁରା ହୋଇପଡ଼ିଛି ଜହ୍ନା-ତାଲୁଙ୍ଗା ରାସ୍ତା ବିଭାଗର ମନମାନିରୁ ହସ୍ତସନ୍ତ ହେଉଛନ୍ତି ଗ୍ରାମବାସୀ

ଅଧୁରା ହୋଇପଡ଼ିଛି ଜହ୍ନା-ତାଲୁଙ୍ଗା ରାସ୍ତା ବିଭାଗର ମନମାନିରୁ ହସ୍ତସନ୍ତ ହେଉଛନ୍ତି ଗ୍ରାମବାସୀ


ପାଣିକୋଇଲି: ଗ୍ରାମ୍ୟ ଉନ୍ନୟନ ବିଭାଗର ମନମାନିକୁ ଠିକାଦାରଙ୍କ ମନମର୍ଜି କାରଣରୁ ଅଧୁରା ହୋଇପଡ଼ିଛି ଜହ୍ନା-ତାଲୁଙ୍ଗା ରାସ୍ତା । ଚାରିବର୍ଷ ହେଲା ଆରମ୍ଭ ହୋଇଥିବା ଏହି ରାସ୍ତା କାର୍ଯ୍ୟ କେବେ ଶେଷ ହେବ, ତାର କୈାଣସି ସଠିକତା ନାହିଁ । କୋରେଇ ବ୍ଲକ ଜହ୍ନା ପଞ୍ଚାୟତ ଜହ୍ନା ଗ୍ରାମରୁ ତଳୁଙ୍ଗାକୁ ସଂଯୋଗ କରୁଥିବା ରାସ୍ତା ମଝିରେ ୨ଟି ପୋଲ ରହିଥିବାରୁ ତାହା ଏବେ ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ବିଶେଷ କରି ବର୍ଷା ଦିନେ ଛୋଟ ଛୋଟ ପିଲା ଜହ୍ନା ବିଦ୍ୟାଳୟକୁ ଉକ୍ତ ରାସ୍ତା ଦେଇ ପାଠ ପଢିବାକୁ ଆସୁଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସଂପୃକ୍ତ ରାସ୍ତା ଉପରେ ୪-୫ ଗୋଟି ଗ୍ରାମର ଲୋକ ନିର୍ଭର କରୁଥିବା ବେଳେ ରାସ୍ତା ମଝିରେ ପୋଲ ନିର୍ମାଣ ପାଇଁ ତାଢି ଦିଆଯାଇଥିଲା । କିନ୍ତୁ ପୋଲ କାର୍ଯ୍ୟ ସେମିତି ଅଧା ହୋଇପଡ଼ିଛି । ଯାହା ଫଳରେ ପାଣିକାଦୁଅରେ ପସି ଯିବା ଆସିବା କରୁଛନ୍ତି ଛାତ୍ରଛାତ୍ରୀ ଏବଂ ଗାଁ ଲୋକ । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଲୋକମାନଙ୍କ ସୁବିଧା ଯୋଗାଉଥିବା ବେଳେ ଠିକାଦାର କିନ୍ତୁ ସେଥିପ୍ରତି ଧ୍ୟାନ ଦେଉନି । କାମ ଆରମ୍ଭ କରିବାକୁ ରାସ୍ତା ସାଇଡରେ ହୋମ ପାଇପ ପକାଇ ଦେଇ ଠିକାଦାର ଛୁ ମାରିଥିବା ଅଭିଯୋଗ ହେଉଛି । ଗାଁ ଲୋକେ ଠିକାଦାରଙ୍କୁ କାର୍ଯ୍ୟ ସଂପର୍କରେ ପଚାରିଲେ ଆଉ ଆଠ ଦିନ ଭିତରେ କାମ ଆରମ୍ଭ ହେବ ବୋଲି ବାରମ୍ବାର କହିଚାଲିଛନ୍ତି । ହେଲେ କରିବାର ନାଁ ଧରୁ ନାହାନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରିସ୍ଥ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ହୋଇଛି ଦାବି ।