ରାସ୍ତା, ଆଲୋକିକରଣ, ପାନୀୟ ଜଳର ବ୍ୟବସ୍ଥାରେ ଅବ୍ୟବସ୍ଥାL ବିକାଶରେ ପଛୁଆ ବର୍ଗ ଗାଁ ଦଶମାଣିଆ


ାା ପ୍ରଭାନୁ୍ୟଜ ।ା ଯଖପୁରା : ଗାଁର ପ୍ରଗତି ହେଲେ ଦେଶର ପ୍ରଗତି ହେବ । ଦେଶ ପ୍ରଗତିରେ ଗାଁ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଗାଁ ମାନଙ୍କରେ ଦେଖିବାକୁ ମିଳୁଛି ଅନେକ ସମସ୍ୟା । ଦାନଗଦୀ ବ୍ଲକ୍ ଅଧୀନସ୍ଥ ମାନତୀରା ପଞ୍ଚାୟତର ଦଶମାଣିଆ ଗାଁ ହେଉଛି ଏକ ଉଦାହରଣ । ରାସ୍ତା କୁହନ୍ତୁ କି ଆଲୋକିକରଣ, ପାନୀୟ ଜଳର ବ୍ୟବସ୍ଥା କୁହନ୍ତି କି ପୋଖରୀ ସବୁଠାରେ ଅବ୍ୟବସ୍ଥା ଦେଖିବାକୁ ମିଳୁଛି ଏହି ଗାଁରେ । ପ୍ରାୟ ୬୦ ରୁ ୭୦ ଘର ଗ୍ରାମରେ ବସବାସ କରୁଛନ୍ତି । ସମସ୍ତ ପରିବାର ପଛୁଆ ବର୍ଗ ଅର୍ଥାତ୍ ଦଳିତ ପରିବାର । ଗାଁର ଲୋକସଂଖ୍ୟା ପ୍ରାୟ ୩୫୦ରୁ ଊଦ୍ଧ୍ୱର୍ ହେବ । ଗ୍ରାମରେ ୩୫୦ ପରିବାର ବସବାସ କରୁଥିବା ବେଳେ ପାନୀୟ ଜଳ ପାଇଁ ଅନେକ ସମସ୍ୟା ରହିଛି । ଗାଁରେ ସରକାରୀ ନଳକୂପ ଗୋଟିଏ ମାତ୍ର ଥିବା ବେଳେ ଦୁଇଟି କୂଅଅଛି । କୂଅ ପାଣି ସମ୍ପୂର୍ଣ୍ଣ ଭାବରେ ଦୂଷିତ ହୋଇଥିବା ବେଳେ ନଳକୁପଟି ଅଚଳ ହେଇଯାଉଛି । ପାଣିପାଇଁ ଲୋକମାନେ ଅନେକ ହଇରାଣ ହରକତ ହେଉଛନ୍ତି । ପାଣି ପାଇଁ ଗ୍ରାମରେ ଏକ ମାତ୍ର ବିକଳ୍ପ ହେଉଛି ବେସରକାରୀ ଭାବରେ ଥିବା ବୋରିଂ । ଗୋଟିଏ ବୋର ଗାଁର ସମସ୍ତ ପରିବାର ପାଣି ପାଇଁ ନିର୍ଭର କରୁଛନ୍ତି । ସେହିପରି ରାସ୍ତାର ସମସ୍ୟା ରହିଛି । କାହିଁ କେଉଁ ଦିନରୁ ରାସ୍ତା ରହିଛି । ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ରାସ୍ତା ସବୁ ଖାଲ ଖମାରରେ ପୂର୍ଣ୍ଣ । ଅନେକ ଦିନ ଧରି ରାସ୍ତା ମରାମତି ହୋଇନାହିଁ । ଏବେ ଯେଉଁ ରାସ୍ତା ଉପରେ ଗ୍ରାମର ଲୋକମାନେ ନିର୍ଭର କରୁଛନ୍ତି ତାହା ନଷ୍ଟ ହୋଇଯାଇଛି । ଗାଁ ପାଇଁ ନୂତନ ରାସ୍ତାର ଆବଶ୍ୟକ ଅଛି । ମାତ୍ର ଗ୍ରାମଟି ଉପରେ ପ୍ରଶାସନ ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ । ତୃତୀୟ ସମସ୍ୟା ରହିଛି ଶିକ୍ଷା । ଶିକ୍ଷା ପାଇଁ ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ଶିଶୁମାନଙ୍କ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ରହିଛି । ଗ୍ରାମରେ ୧୯୭୨ ମସିହାରୁ ଅଙ୍ଗନବାଡ଼ି କେନ୍ଦ୍ର ରହିଛି ମାତ୍ର ଏପର୍ଯ୍ୟନ୍ତ ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ୱ ଘର ନାହିଁ । ଛୋଟଛୋଟ ଶିଶୁ ମାନଙ୍କୁ ବାର ଦୁଆର ହେବାକୁ ପଡୁଛି । କେବେ ଗଛ ତଳେ ପଢିବାକୁ ପଡୁଛି ତ କେତେ ବେଳେ ସ୍କୁଲ ବାରଣ୍ଡାରେ ବସି ପଢିବାକୁ ପଡୁଛି । କିନ୍ତୁ ଏବେ ଗ୍ରାମରେ ଥିବା କମୁ୍ୟନିଟ ସେଣ୍ଟର୍ରେ ଅଙ୍ଗନୱାଡ଼ି କେନ୍ଦ୍ରର ପାଠପଢା ଚାଲିଛି । ପାଠପଢ଼ିବା ପାଇଁ ପିଲାମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ନିର୍ମିତ ହେଉଥିବା ଗୃହଟି ଅନେକ ଦିନ ଧରି ଅଧାପାନ୍ତରିଆ ହୋଇ ପଡ଼ିରହିଛି । ସମସ୍ତ ଗ୍ରାମର ଉନ୍ନତି କରିବା ପାଇଁ ସରକାର ବଦ୍ଧପରିକର ବୋଲି କହୁଥିବା ବେଳେ କିନ୍ତୁ ବାସ୍ତବ କ୍ଷେତ୍ରରେ ଭିନ୍ନଚିତ୍ର ଦେଖିବାକୁ ମିଳୁଛି । ଗ୍ରାମରେ ଆଲୋକିକରଣ ପାଇଁ ସେମିତି କିଛି ବ୍ୟବସ୍ଥା ହୋଇନାହିଁ । ଗାଁଟିରେ ମାତ୍ର ଦୁଇ ଚାରୋଟି ଖୁଣ୍ଟରେ ଆଲୋକର ବ୍ୟବସ୍ଥା କରାଯାଇଛି ତାହା ପୁଣି କେବେ ଜଳୁଛି କେବେ ଜଳୁନାହିଁ । ଗାଁଟିରେ ମୁଖ୍ୟ ସମସ୍ୟା ରହିଛି ପୋଖରୀ । କାହିଁ କେତେ ଦିନରୁ ଗ୍ରାମରେ ଏକ ମାତ୍ର ପୋଖରୀ ରହିଛି । ଏହି ପୋଖରୀରେ ଗ୍ରାମର ସମସ୍ତ ଲୋକ ନିର୍ଭରଶୀଳ । ବିଶେଷ କରି ଗ୍ରାମର ମହିଳା ମାନଙ୍କ ଠାରୁ ଆରମ୍ଭ କରି ପୁରୁଷ ପର୍ଯ୍ୟନ୍ତ ସମସ୍ତେ ପୋଖରୀରେ ଗାଧୁଆ କାମ କରନ୍ତି । ମାତ୍ର ପୋଖରୀର ଅବସ୍ଥା ବିପର୍ଯ୍ୟସ୍ତ । ପୋଖରୀଟି ଏପରି ଭାବରେ ପଡ଼ିରହିଛି ମଣିଷ ତ ମଣିଷ ପଶୁ ବି ଯାଉନାହାନ୍ତି । ଉପରକୁ ପୋଖରୀର ପାଣି ଦେଖାଯାଉନି । ପୋଖରୀଟି ସମ୍ପୂର୍ଣ୍ଣ ଭାବରେ ଦଳ, ଲତାରେ ଆଚ୍ଛାଦିତ । ପୋଖରୀ ପାଣି ନଥିବାରୁ ଗ୍ରାମରେ ଅନେକ ଅସୁବିଧା ରହିଛି । ଗାଁର ଲୋକମାନେ ଗାଧୋଇବା ପାଇଁ ଓ ଦରକାର୍ ସମୟରେ ଶୁଦ୍ଧିକ୍ରିୟା କରିବା ପାଇଁ ଗ୍ରାମରୁ ଅନେକ ଦୂରରେ ଥିବା ନାଳ ପାଣି ଉପରେ ନିର୍ଭର କରୁଛନ୍ତି । ଯାହା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ନାଳ ପାଣିରେ ନିକଟରେ ଥିବା ଅନେକ କଳକାରଖାନାର ବର୍ଯ୍ୟ ଜଳ ମିଶୁଥିବାରୁ ସେହି ପାଣିକୁ ଗ୍ରାମବାସୀ ବ୍ୟବହାର କରୁଥିବାରୁ ନାନା ଜାତୀୟ ରୋଗରେ ପଡ଼ୁଛନ୍ତି । କେହିକେହି ଗ୍ରାମବାସୀ ନାଳର ପାଣିକୁ ପାନୀୟ ଜଳ ଭାବରେ ବ୍ୟବହାର ମଧ୍ୟ କରୁଛନ୍ତି । ଫଳରେ ଗ୍ରାମରେ ଅନେକ ଲୋକ ଚର୍ମ ଓ କିଡନୀ ପରି ମାରାତ୍ମକ ରୋଗରେ ପଡ଼ୁଛନ୍ତି । ଯଦି ଗ୍ରାମଟିକୁ ନିରିଖି ଦେଖିବା ତେବେ ଗ୍ରାମରେ ଅନେକ ଦିନ ଧରି ମୌଳିକ ସମସ୍ୟା ରହିଛି ଯାହା ସମାଧାନ ହୋଇନାହିଁ । ସରକାର ପରେ ସରକାର ବଦଳି ଚାଲିଛି ହେଲେ ଗ୍ରାମଟିର ଭାଗ୍ୟ କିନ୍ତୁ ବଦଳୁନାହିଁ । ଗ୍ରାମର ଲୋକମାନେ ଏହି ସମସ୍ୟାକୁ ନେଇ ସ୍ଥାନୀୟ ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କ ଦୋଷ ଦେଉଛନ୍ତି । ଶିଳ୍ପାଞ୍ଚଳ ପାଦ ଦେଶରେ ଥିବା ଗ୍ରାମଟି ଅନେକ ସମସ୍ୟାରେ ଖୁନ୍ଦୀ ହୋଇଥିବା ବେଳେ ସରକାରୀ ହେଉ କି ବେସରକାରୀ ଭାବରେ କାହାରି ନଜରକୁ ଆସୁନାହିଁ । ଏହାକୁ ନେଇ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ତୁରନ୍ତ ପ୍ରଶାସନ ଏବଂ ସରକାର ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।