ଆଧାର ନାଗରିକତାର ପ୍ରମାଣ ନୁହେଁ: ସୁପ୍ରିମ୍କୋର୍ଟ ନିର୍ବାଚନ କମିଶନ ଠିକ କହିଛନ୍ତି

ନୂଆଦିଲ୍ଲୀ :  ବିହାରରେ ହୋଇଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)କୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ ଏସଆଇଆରକୁ ନେଇ ନିର୍ବାଚନ କମିସନଙ୍କ ଆଭିମୁଖ୍ୟକୁ ଠିକ ବୋଲି କହିଛନ୍ତି । ଏହା ସହିତ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଆଧାର ଭାରତର ନାଗରିକତାର ଏକ ନିର୍ଣ୍ଣାୟକ ପ୍ରମାଣପତ୍ର ବୋଲି ସ୍ୱୀକାର କରାଯାଇପାରିବ ନାହିଁ । ଏହି ପରିଚୟପତ୍ରକୁ ଯାଞ୍ଚ କରିବାକୁ ହେବ । ସୁପ୍ରିମକୋର୍ଟଙ୍କ ଏହି ରାୟ ଫଳରେ ବିରୋଧୀ ଦଳଙ୍କୁ ବଡ଼ ଝଟକା ଲାଗିଛି ଓ   ନିର୍ବାଚନ କମିସନଙ୍କୁ ମିଳିଛି ଆଶ୍ୱସ୍ତି । ଆବେଦନର ଶୁଣାଣି ସମୟରେ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ଅନୁଧ୍ୟାନ କରିଥିଲେ । ଏଥିରେ କୋର୍ଟ ପ୍ରମାଣପତ୍ରକୁ ସ୍ୱାଧୀନ ଭାବେ ଯାଞ୍ଚ କରିବାକୁ ଗୁରୁତ୍ୱ ଦେଇଛନ୍ତି । ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ନିର୍ବାଚନ କମିସନଙ୍କ କହିବା ଠିକ୍ ଯେ ଆଧାରକୁ ନାଗରିକତାର ଚୂଡ଼ାନ୍ତ ପ୍ରମାଣ ଭାବରେ ଗ୍ରହଣ କରାଯାଇପାରିବ ନାହିଁ । ଏହାକୁ ଯାଞ୍ଚ କରିବାକୁ ପଡିବ । ଆବେଦନକାରୀଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା କପିଲ ଶିବଲଙ୍କୁ ଏପରି କହିଛନ୍ତି ସର୍ବୋଚ୍ଚ ଅଦାଲତ । ଜଷ୍ଟିସ ସୂର୍ଯ୍ୟକାନ୍ତ ଆହୁରି କହିଥିଲେ ଯେ ପ୍ରଥମ ପ୍ରଶ୍ନ ହେଉଛି ଇସିଆଇ ପାଖରେ ଯାଞ୍ଚ ପ୍ରକ୍ରିୟା କରିବାର କ୍ଷମତା ଅଛି କି ନାହିଁ? ଯଦି ସେମାନଙ୍କ ପାଖରେ କ୍ଷମତା ନାହିଁ, ତେବେ ସବୁ ଶେଷ । କିନ୍ତୁ ଯଦି ସେମାନଙ୍କ ପାଖରେ କ୍ଷମତା ଅଛି, ତେବେ କୌଣସି ସମସ୍ୟା ହେବା କଥା ନୁହେଁ । ହେଲେ ଶିବଲ ତର୍କ ରଖିଥିଲ ଯେ ଇସିଆଇଙ୍କ ନୂଆ ସଂଶୋଧନରେ ବହୁ ସଂଖ୍ୟାରେ ଲୋକ ଭୋଟର ଲିଷ୍ଟରୁ ବାଦ ପଡିଯିବେ । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ ୭.୨୪ କୋଟି ଲୋକ ଫର୍ମ ଦାଖଲ କରିଥିଲେ, ତଥାପି ମୃତୁ୍ୟ କିମ୍ବା ସ୍ଥାନାନ୍ତରଣର କୌଣସି ଉପଯୁକ୍ତ ତଦନ୍ତ ବିନା ପ୍ରାୟ ୬୫ ଲକ୍ଷ ନାମକୁ ବାଦ ଦିଆଯାଇଛି । ଏଥିରେ କୌଣସି ସର୍ଭେ କରାଯାଇ ନାହିଁ ବୋଲି ମଧ୍ୟ ସେମାନଙ୍କ ଶପଥପତ୍ରରେ ସ୍ୱୀକାର କରିଥିବା ଶିବଲ କହିଥିଲେ । ଏହାପରେ କୋର୍ଟ ପ୍ରଶ୍ନ କରିଥିଲେ ଯେ ୬୫ ଲକ୍ଷ ଲୋକ କେଉଁଠୁ ଆସିଲେ, "ଆମେ ବୁଝିବାକୁ ଚାହୁଁଛୁ ଯେ ଆପଣଙ୍କର ଆଶଙ୍କା କାଳ୍ପନିକ ନା ବାସ୍ତବ କଥା । ଖଣ୍ଡପୀଠ କହିଛନ୍ତି, ଯେଉଁମାନେ ଫର୍ମ ଦାଖଲ କରିଥିଲେ ସେମାନେ ପୂର୍ବରୁ ଡ୍ରାଫ୍ଟ ତାଲିକାରେ ଥିଲେ । ଏହାପରେ ଶିବଲ କହିଥିଲେ ଯେ ୨୦୨୫ ଭୋଟର ତାଲିକାରେ ୭.୯ କୋଟି ଲୋକ ଥିଲେ । ସେଥିମଧ୍ୟରୁ ୪.୯ କୋଟି ଲୋକ ୨୦୦୩ ତାଲିକାରେ ମଧ୍ୟ ରହିଥିଲେ । ୨୨ ଲକ୍ଷ ଲୋକଙ୍କର ମୃତୁ୍ୟ ହୋଇଥିଲା । ଆବେଦନକାରୀଙ୍କ ପକ୍ଷରୁ ପ୍ରଶାନ୍ତ ଭୂଷଣ ମଧ୍ୟ ପ୍ରତିନିଧିତ୍ୱ କରୁଛନ୍ତି । ଓକିଲ ପ୍ରଶାନ୍ତ ଭୂଷଣ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ କମିଶନ କୋର୍ଟ ଫାଇଲିଂରେ କିମ୍ବା ତାଙ୍କ ୱେବସାଇଟରେ ମୃତୁ୍ୟ କିମ୍ବା ବାସସ୍ଥାନ ପରିବର୍ତ୍ତନ ଯୋଗୁ ବାଦ ଦିଆଯାଇଥିବା ଭୋଟରଙ୍କ ତାଲିକା ପ୍ରକାଶ କରିନାହାଁନ୍ତି । ସେମାନେ କହୁଛନ୍ତି ଯେ ସେମାନେ ବୁଥ୍-ସ୍ତରୀୟ ଏଜେଣ୍ଟମାନଙ୍କୁ କିଛି ସୂଚନା ଦେଇଛନ୍ତି, କିନ୍ତୁ ସେମାନେ ଏହା ଅନ୍ୟ କାହାକୁ ତଥ୍ୟ ଦେବାକୁ ବାଧ୍ୟ ନୁହଁନ୍ତି ବୋଲି କହୁଛନ୍ତି ।  ଏହାପରେ ଖଣ୍ଡପୀଠ କହିଛନ୍ତି ଯେ ଯଦି ଜଣେ ଭୋଟର ଆଧାର ଏବଂ ରାସନ କାର୍ଡ ସହିତ ଏକ ଫର୍ମ ଦାଖଲ କରନ୍ତି, ତେବେ ନିର୍ବାଚନ କମିଶନ ତାଙ୍କର ବିବରଣୀ ଯାଞ୍ଚ କରିବାକୁ ବାଧ୍ୟ ହେବେ । ନିଖୋଜ ଡକୁ୍ୟମେଣ୍ଟ ବିଷୟରେ ସୂଚନା ପାଇବା ପାଇଁ ହକଦାର ଥିବା ଲୋକଙ୍କୁ ପ୍ରକୃତରେ ସୂଚନା ଦିଆଯାଇଛି କି ନାହିଁ ସେ ବିଷୟରେ ସ୍ପଷ୍ଟୀକରଣ ମାଗିଥିଲେ ।