ରାସ୍ତା ସୁଦୃଢୀକରଣ ନେଇ ବିଧାୟକଙ୍କ ସମୀକ୍ଷା  : ପ୍ରତ୍ୟେକ ବ୍ଲକରେ ଗଠନ ହେବ ତଦନ୍ତ କମିଟି 

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ସମ୍ମିଳନୀ କକ୍ଷରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗ୍ରାମାଞ୍ଚଳରେ ରାସ୍ତା ସୁଦୃଢୀକରଣ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଧାୟକ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ସହର ଓ ଗ୍ରାମାଞ୍ଚଳର ମୁଖ୍ୟ ରାସ୍ତାର ବିକାଶ ଓ ସୁଦୃଢୀକରଣ ପାଇଁ ଉପସ୍ଥିତ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ସମସ୍ତ ଗ୍ରାମାଞ୍ଚଳକୁ ପକ୍କା ରାସ୍ତା ଯୋଗାଇବା ଲକ୍ଷ୍ୟ ନେଇ ତିନିସ୍ତରୀୟ ଯୋଜନା ନେବା ଉପରେ ଗୁରୁତ୍ୱ ଦିଆଯାଇଛି । ବୈଠକରେ ନିଷ୍ପତ୍ତି ହୋଇଛି ଯେ, ପ୍ରତ୍ୟେକ ବ୍ଲକରେ ଗୋଟିଏ ତଦନ୍ତ କମିଟି ଗଠନ କରାଯିବ । ଏହି କମିଟିରେ ବ୍ଲକ ସହାୟକ ଯନ୍ତ୍ରୀ, ବ୍ଲକ ରେଞ୍ଜର, ଗ୍ରାମ ଉନ୍ନୟନ ବିଭାଗ ଓ ପୂର୍ତ୍ତ ବିଭାଗର ଯନ୍ତ୍ରୀମାନେ ସଦସ୍ୟ ରୂପେ ରହିବେ । କମିଟି ୧୫ ଦିନ ମଧ୍ୟରେ ତଦନ୍ତ ସମାପ୍ତ କରି ରିପୋର୍ଟ ଜିଲ୍ଲା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପୂର୍ତ୍ତ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦେବାକୁ ନିଦେ୍ର୍ଦଶ ମିଳିଛି । ଏହି ବୈଠକରେ ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ, ପୂର୍ତ୍ତ ବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟବାନ ପଟେଲ, ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ଏସ. ଛୁରିଆ, ଡିଏଫ୍ଓ ମନୁ ଅଶୋକ ଭଟ୍ଟ, ସିଡିଓ ବିଶ୍ୱରଞ୍ଜନ ନାୟକ, ସମସ୍ତ ବିଡିଓ, କନିଷ୍ଠ ଯନ୍ତ୍ରୀମାନେ ସହିତ ଅନେକ ଅଧିକାରୀ ଉପସ୍ଥିତ ଥିଲେ ।