ପୂର୍ଣ୍ଣତା ପ୍ରାପ୍ତି ପାଇଁ ସମୟ

ଆଜ୍ଞା ନମସ୍କାର, 
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ  ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ କରିବା ପୂର୍ଣ୍ଣତା ପ୍ରାପ୍ତି ପାଇଁ ସମୟର ଆବଶ୍ୟକତା କେତେ ? ସବୁଦିନ ଭଳି ଆଜିର ଅଳ୍ପ କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ, ବୁଝିବେ ବୋଲି ଆଶା  ।
ଯେତେବେଳେ ମାଳୀଟିଏ ଚାରାଟିଏ ଲଗାଏ, ପାଣି ଦେଇ ଯନô କରେ; ସେ ସେହି ଚାରାଟିକୁ ଉଚିତ୍ ସମୟ ପୂର୍ବରୁ ତାକୁ ବ?ାଇପାରେ ନାହିଁ  । କାରଣ ବୃଦ୍ଧି ହେବା ସମୟ ଉପରେ ନିର୍ଭର କରିଥାଏ  । ନିର୍ଦ୍ଦିଷ୍ଟ କେତେଦିନ, କେତେ ମାସର ସମୟ ପରେ ଚାରାଟି ବଡ ହେଲେ ଫୁଲଫଳ ଧରିଥାଏ  । ଗଛଟିଏ ଚାରାରୁ ବଡ ହେବା ପର୍ଯ୍ୟନ୍ତ ଏକ ଅପେକ୍ଷାର ଆବଶ୍ୟକତା ଥାଏ  ।  
ଏହି ଚାରାର ଉଦାହରଣ ଆମ ଜୀବନର ପ୍ରତିଟି କ୍ଷେତ୍ରରେ ଲାଗୁ ବୋଲି ବୁଝନ୍ତୁ  । ଜୀବନର ପ୍ରାୟ ପର୍ଯ୍ୟାୟରେ ଅନେକ କାର୍ଯ୍ୟରେ ଆମର ଅପେକ୍ଷା ରହେନି  । ମୂଳରୁ ସଫଳତା ଚାହିଁ ବସୁଛେ  । ଧୈର୍ଯ୍ୟ ଧରିବାକୁ ଆମେ ଚାହୁଁ ନାହେଁ  । ଯେଉଁଥି ପାଇଁ ପ୍ରାୟ କ୍ଷେତ୍ରରେ ବିଫଳତାର ସ୍ୱାଦ ଚାଖିବାକୁ ପଡୁଛି  । ଏଇଠୁ ଆରମ୍ଭ ଅଶାନ୍ତି  । ତା'ପରର ସ୍ଥିତି ଆପଣମାନେ ବୁଝିପାରୁଥିବେ  । 
ସମସ୍ୟାର ମୂଳରେ ଅଛି ଆମର କର୍ତ୍ତୃତ୍ୱ  । କିନ୍ତୁ ଆମେ ଏହାର ଉପଲବ୍ଧି କରିପାରୁନାହୁଁ  । ନିଜ ଦ୍ୱାରା କରାଯାଇଥିବା କର୍ମ ପାଇଁ ଶେଷରେ ଅନ୍ୟ ଉପରେ ଦୋଷ ଦେଇଥାଉ, ନତୁବା ନିଜ କପାଳକୁ ହିଁ ନିନ୍ଦିଥାଉ  । 
ଗୋଟିଏ ଛୋଟ ବର ମଞ୍ଜିରେ ଏକ ବୃହଦ୍ ସୃଷ୍ଟିର ସଂରଚନା ନିହତ ଥାଏ  । କିନ୍ତୁ ଏହା ସେତେବେଳେ ନିଜ ସ୍ୱରୂପକୁ ପରିପ୍ରକାଶ କରେ, ଯେତେବେଳେ ମଞ୍ଜିଟି ଏକ ଉର୍ବର ଜମିରେ ଅଙ୍କୁରୋଦ୍ଗମ ହେବାର ସମୟ ଉପନୀତ ହୋଇଥାଏ  । 
ଜୀବନର ଯେକୌଣସି କ୍ଷେତ୍ରରେ ଏକ ପୂର୍ଣ୍ଣତା ପାଇବା ପାଇଁ ଆମକୁ ଧୈର୍ଯ୍ୟ ଧରିବାକୁ ପଡିବ ଏବଂ ଅପେକ୍ଷା ହିଁ କରିବାକୁ ପଡିବ  ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ  । ନମସ୍କାର  ।