ସମସ୍ୟା ଘେରରେ ଗୋବିନ୍ଦପୁର ସଂସ୍କୃତ ବିଦ୍ୟାଳୟ


ାା ଖଇରାରୁ  ବଳରାମ ଲେଙ୍କା ।ା

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଧିନ ବାରିକସାହିରେ ୧୯୯୦ ମସିହାରେ ପ୍ରତିଷ୍ଠିତ ଆଦର୍ଶ ସଂସ୍କୃତ ବିଦ୍ୟାଳୟ ଏବେ ନାନା ସମସ୍ୟାରେ ଛନ୍ଦି ହୋଇରହିଛି । ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପାଇଁ ଏବଂ ହଷ୍ଟେଲରେ ରହିବା ପାଇଁ ପର୍ଯ୍ୟାପ୍ତ କୋଠରୀ ନାହିଁ । ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା ଶୋଚନୀୟ ହୋଇ ପଡିଥିବାବେଳେ ବିଦ୍ୟାଳୟକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିିଁଁ କି ଚତୁପାଶ୍ୱର୍ରେ ସୁରକ୍ଷା ପାଚେରୀ ନାହିଁ । ବ୍ଲକ ଗ୍ରାଣ୍ଟରେ ଅନ୍ତର୍ଭୁକ୍ତ ଏହି ବିଦ୍ୟାଳୟର ସମାଧାନ ପାଇଁ ଶିକ୍ଷାବିଭାଗ ଓ ନିର୍ବାଚିତ ପ୍ରତିନିଧି ଗୁରୁତ୍ୱ ଦେବାକୁ ପରିଚାଳନା କମିଟି, ଅଭିଭାବକ ଓ ଗ୍ରାମବାସୀମାନେ ଦାବି କରିଛନ୍ତି । 
ସଂସ୍କୃତ ଭାଷାର ପ୍ରଚାର ପ୍ରସାର ପାଇଁ ଅଞ୍ଚଳବାସୀଙ୍କ ପ୍ରଚେଷ୍ଟାରେ ସ୍ୱର୍ଗତ ଭାସ୍କର ଶଙ୍ଖୁଆ, ଜଗତାନନ୍ଦ ମହାପାତ୍ର, କୃଷ୍ଣଚନ୍ଦ୍ର ପଣ୍ଡା, ମନୋରଞ୍ଜନ ମହାନ୍ତି, ପ୍ରଶାନ୍ତ ବାରିକ, କାଶୀନାଥ ମୁଦୁଲି, ଶ୍ରୀଧର ତ୍ରିପାଠୀଙ୍କ ଭଳି ବହୁ ବଦାନ୍ୟ ବ୍ୟକ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ ଆରମ୍ଭ ହୋଇଥିଲା । ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀ ବିଶେଷ ଭାବରେ ଜନଜାତି ବର୍ଗର ପିଲାମାନଙ୍କ ପାଇଁ ଛାତ୍ରାବାସର ବ୍ୟବସ୍ଥା କରାଯାଇଛି । ହେଲେ ପ୍ରଶାସନିକ ତଥା ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ପ୍ରତିଷ୍ଠା ୩୫ବର୍ଷ ଅତିବାହିତ ହୋଇ ଯାଇଥିଲେ ହେଁ ଶୈଖିକ ପରିବେଶ ସୃଷ୍ଟି କରାଯାଇପାରିନାହିଁ । ଛାତ୍ରାବାସରେ ପର୍ଯ୍ୟାପ୍ତ ଗୃହ ଅଭାବରୁ ପିଲାମାନେ କୋଠରୀରେ ରହୁଥିଲେ ନିଜର ଆସବାବପତ୍ରକୁ ବାରଣ୍ଡାରେ ରଖିବାକୁ ବାଧ୍ୟ ହେଉଛନ୍ତି । ବିଦ୍ୟାଳୟ ଆରମ୍ଭ ସମୟର ଶ୍ରେଣୀ ଚାଲୁଥିବା ଆଜବେଷ୍ଟସ୍ ଛପର ଘର ଏବେ ବିପଦସଂକୁଳ ହୋଇ ପଡିଥିବା ବେଳେ ନୂଆଁଛାତ ଘର ଅର୍ଥ ଅଭାବରୁ ପ୍ଲାଷ୍ଟରିଂ ହୋଇ ପାରିନାହିଁ କି ଝରକା କବାଟ ଲାଗି ପାରିନାହିଁ । ଏହି ଛାତ ଘରେ ପଲିଥିନ ଟାଙ୍ଗି କୋଠରୀ ଭାଗ କରି ଶିକ୍ଷକମାନଙ୍କୁ ଶିକ୍ଷାଦାନ କରିବାକୁ ପଡୁଛି । ଏଭଳି ପରିସ୍ଥିତିରେ ଶିକ୍ଷକମାନେ ବସିବା ବା ଛାତ୍ରଛାତ୍ରୀଙ୍କ ପାଇଁ କମନରୁମ ସେମାନଙ୍କ ପାଇଁ ସ୍ୱପ୍ନ ପାଲଟିଛି । ୫ଟି ଶ୍ରେଣୀରେ ୧୨୭ଜଣ ପିଲା ପଢୁଥିବା ବେଳେ ସେମାନଙ୍କ ପାଇଁ ଆବଶ୍ୟକୀୟ ଶୌଚାଳୟ ନାହିଁ କି ଭଲ ପିଇବା ପାଣି ମୁନେ୍ଦ ପିଲାଙ୍କୁ ମିଳିପାରୁନି । ବିଦ୍ୟାଳୟ ସମ୍ମୁଖରେ ଡ୍ରେନ ପାଇଁ ଖୋଳାଯାଇଥିବା ନାଳ ୨ବର୍ଷ ଧରି ମୁକୁଳା ପଡିଥିବାରୁ ଛାତ୍ରଛାତ୍ରୀ, ଶିକ୍ଷକ ସମୂହ ବିପଦ ସଂକୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ।  ଏ ସମ୍ପର୍କରେ ପ୍ରଧାନପଣ୍ଡିତ ମାୟାଧର ପତ୍ରୀଙ୍କୁ ଯୋଗାଯୋଗ କରିବାରେ ସବୁବେଳେ ସମସ୍ୟା ବିଷୟରେ ସୁପରିଟେଣ୍ଡେଣ୍ଟ ଅଫିସ ଓ ସ୍ଥାନୀୟ ଲୋକପ୍ରତିନିଧିଙ୍କୁ କୁହାଯାଉଛି । କିଛି ସମାଧାନ ହୋଇଥିବାବେଳେ ଆଉ କିଛି ପ୍ରତିଶ୍ରୁତି ମିଳିଥିବା କହିଛନ୍ତି ।