ଜେଲ୍ ଗଲେ ଅମରେଶ
ଭୁବନେଶ୍ୱର/ନୀଳଗିରି : ପୁଲିସ୍ ସହ ଲୁଚକାଳି ଖେଳ ସରିଛି । ଶନିବାର ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ବିଜେଡି ନେତା ଅମରେଶ ଜେନା ଓରଫ ବାୟାଁଙ୍କୁ ଗିରଫ କରିଛି ପୁଲିସ । ରବିବାର ବାୟାଁଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜାମିନ୍ ନାମାଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ଜେଲ୍କୁ ପଠାଇ ଦିଆଯାଇଛି । ସେହିପରି ଶୁକ୍ରବାର ବିଳମ୍ବିତ ରାତିରେ ବାୟାଁଙ୍କୁ ଫେରାର କରାଇଥିବା ୫ ଜଣ ସହଯୋଗୀଙ୍କୁ ପୁଲିସ୍ ଗିରଫ କରିଥିବାବେଳେ ସେମାନେ ଏବେ ଝାରପଡ଼ା ଜେଲ୍ରେ ଅଛନ୍ତି ।
ଆମ ନୀଳଗିରି ପ୍ରତିନିଧିଙ୍କ ସୂଚନା ଅନୁଯାୟୀ, ଅମରେଶଙ୍କୁ ଧରିବା ପାଇଁ ଲକ୍ଷ୍ମୀସାଗର ଥାନା ପୁଲିସ୍ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । ନୀଳଗିରି ବ୍ଳକ ବରହମପୁର ଥାନା ଅଧିନ କଳାକାଦ ଗାଁରୁ ଅମରେଶଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ଗିରଫ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ରହିଛି ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟଯେ, ପୀଡ଼ିତାଙ୍କ ଅଭିଯୋଗ ଆଧାରରେ, ଲକ୍ଷ୍ମୀସାଗର ଥାନା ପୁଲିସ କେସ୍ ନଂ-୩୯୪ରେ ବିଏନ୍ଏସ୍ ଦଫା ୬୪(୨)(ଏମ), ୮୯, ୨୯୬, ୩୫୧(୨) ଓ ପୋକ୍ସୋ ଆକ୍ଟ-୨୦୧୨ର ଧାରାର ୬ରେ ମାମଲା ରୁଜୁ କରିଥିଲା । ପୁଲିସ ମାମଲା ରୁଜୁ ପରେ ଯୁବତୀଙ୍କ ଡାକ୍ତରୀ ମାଇନା କରାଇବା ସହ ବିଏନ୍ଏସ୍ଏସ୍ ଦଫା-୧୮୩ରେ ଯୁବତୀଙ୍କ ବୟାନ ରେକର୍ଡ କରାଯାଇଥିଲା ।