ଯୁବ ବୈଜ୍ଞାନିକଙ୍କୁ ଉତ୍ସାହିତ କଲେ ମୋଦି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ୧୮ତମ ଆନ୍ତର୍ଜାତୀୟ ମହାକାଶ ବିଜ୍ଞାନ ଏବଂ ଖଗୋଳ ଭୌତିକ ବିଜ୍ଞାନ (ଆଷ୍ଟ୍ରୋନୋମି ଏବଂ ଆଷ୍ଟ୍ରୋଫିଜିକ୍ସ) ଅଲମ୍ପିଆଡକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ୬୪ଟି ଦେଶର ୩୦୦ ରୁ ଅଧିକ ଅଂଶଗ୍ରହଣକାରୀଙ୍କ ସହ ଯୋଡି ହୋଇ ଆନନ୍ଦ ପ୍ରକାଶ କରିଥିଲେ ଏବଂ ଅନ୍ତର୍ଜାତୀୟ ଅଲମ୍ପିଆଡ ପାଇଁ ସେମାନଙ୍କୁ ଭାରତରେ ସ୍ୱାଗତ କରିଥିଲେ । ଭାରତରେ, ପରମ୍ପରା ନବସୃଜନ ସହିତ, ଆଧ୍ୟାତ୍ମିକତା ସହିତ ବିଜ୍ଞାନ ଏବଂ କୌତୁହଳ ସୃଜନଶୀଳତା ସହିତ ମିଶିଥାଏ । ଶହ ଶହ ବର୍ଷ ଧରି, ଭାରତୀୟମାନେ ଆକାଶକୁ ଅବଲୋକନ କରି ବଡ଼ ବଡ ପ୍ରଶ୍ନ ପଚାରୁଛନ୍ତି ବୋଲି ମୋଦି ସୂଚନା ଦେଇଥିଲେ । ସେ ଆର୍ଯ୍ୟଭଟ୍ଟଙ୍କ ଉଦାହରଣ ଦେଇଥିଲେ , ଯିଏ ୫ମ ଶତାବ୍ଦୀରେ ଶୂନ୍ୟ ( ୦ )କୁ ଉଦ୍ଭାବନ କରିଥିଲେ ଏବଂ ପୃଥିବୀ ନିଜ ଅକ୍ଷ ଉପରେ ଘୂରେ ବୋଲି ପ୍ରଥମେ କହିଥିଲେ । କହିବାକୁ ଗଲେ, ସେ ଶୂନ୍ୟରୁ ଆରମ୍ଭ କରିଥିଲେ ଏବଂ ଇତିହାସ ସୃଷ୍ଟି କରିଥିଲେ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।