ଖଣ୍ଡପଡା ଉପକାରାଗାର ମିଶ୍ରଣକୁ ବିରୋଧ ; ଭାରତୀୟ ବିକାଶ ପରିଷଦର ବିକ୍ଷୋଭ

ଖଣ୍ଡପଡ଼ା : ନୟାଗଡ କାରାଗାର ସହ ଖଣ୍ଡପଡ଼ା ଉପକାରାଗାରର ମିଶ୍ରଣ ପ୍ରକ୍ରିୟାକୁ ବିରୋଧ କରି ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପରିସରରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଶୁକ୍ରବାର ଦିବା ୧୧ ଘଣ୍ଟା  ସମୟରେ ନାରାବାଜି ସହ  ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି  ସୁରେନ୍ଦ୍ର କୁମାର ପାଣିଗ୍ରାହୀ, ଉପସଭାପତି ନିରଞ୍ଜନ ଦାସ ପ୍ରମୁଖ ଖଣ୍ଡପଡା ଉପକାରାଗାରର ସ୍ଥାନାନ୍ତରଣ ପ୍ରକ୍ରିୟାକୁ ତୀବ୍ର ବିରୋଧ କରିବା ସହ ଏ ନେଇ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ । ବ୍ରିଟିଶ ଅମଳରେ ସ୍ଥାପିତ ଖଣ୍ଡପଡ଼ା  ଉପକାରାଗାରଟିକୁ ବନ୍ଦ କରିଦେବା ପାଇଁ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ କେବେ ବରଦାସ୍ତ କରାଯିବ ନାହିଁ ବୋଲି ସେମାନେ ମତ ଦେଇଥିଲେ । ଆନ୍ଦୋଳନକୁ ସମର୍ଥନ ଜଣାଇ ବରିଷ୍ଠ ଆଇନଜୀବୀ ଗିରିଜାଶଙ୍କର ମିଶ୍ର ଓ ବିକ୍ରମ କେଶରୀ  ଖଣ୍ଡପଡ଼ାବାସୀଙ୍କ ସ୍ୱାର୍ଥ ଓ ସ୍ୱାଭିମାନକୁ ଦୃଷ୍ଟିରେ ରଖି ଖଣ୍ଡପଡା ଉପକାରାଗାର ମିଶ୍ରଣ ନିଷ୍ପତ୍ତିରୁ ରାଜ୍ୟ ସରକାର ନ ଓହରିଲେ  ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏ ସମ୍ପର୍କିତ ଦାବିପତ୍ର ରାଜ୍ୟସରକାରଙ୍କ ଉଦ୍ଦେଶ୍ୟରେ ଖଣ୍ଡପଡା  ଅତିରିକ୍ତ ତହସିଲଦାରଙ୍କୁ ପ୍ରଦାନ କରାଯାଇଛି ।