ଅମଲାଙ୍କ ଆନେ୍ଦାଳନ ପ୍ରଭାବ : ଜାମିନ ପରେବି ୨ଦିନ ରହିଲେ ଜେଲରେ

ଆନନ୍ଦପୁର: ଅମଲାଙ୍କ ଆନେ୍ଦାଳନର ପ୍ରଭାବ କୋର୍ଟରେ ପ୍ରତିଫଳନ ହୋଇଛି  । ଗାଡି ଋଣ ପାଇଁ ଗ୍ୟାରେଣ୍ଟର ସାଜିଥିବା ବ୍ୟକ୍ତୀଙ୍କୁ ମହଙ୍ଗା ପଡିଛି ଅମଲାଙ୍କ ଆନେ୍ଦାଳନ  । ଶେଷରେ ଗ୍ୟାରେଣ୍ଟରଙ୍କୁ ଜେଲ୍ ଯିବାକୁ ପଡିଛି । ଏପରିକି ଜେଲ୍ରେ ୫ଦିନ ରହିବା ପରେ ଜାମିନ ମିଳିଥିଲେ ମଧ୍ୟ୍ୟ ଅମଲାଙ୍କ ଆନେ୍ଦାଳନ ପାଇଁ ଅଧିକ ୨ଦିନ ଜେଲ୍ ଦଣ୍ଡ ଭୋଗିବାକୁ ପଡିଛି । ଜାମିନ ଆଦେଶ ଥାଇବି ଅଭିଯୁକ୍ତ ଜଣକ ଜାମିନଦାର୍ ଦାଖଲ ଦେଇଥିବା ବେଳେ ଅମଲାଙ୍କ ଆନେ୍ଦାଳନ ଓ କାର୍ଯ୍ୟରେ ଅସହଯୋଗ ପାଇଁ ଅଭିଯୁକ୍ତଙ୍କୁ ଅଧିକ ଦୁଇ ଦିନ  ବେଆଇନ୍ ଅଟକ ରଖିବାକୁ ନେଇ ଆଇନଜୀବୀ ସୁବାଷ ଚନ୍ଦ୍ର ବିଶ୍ୱାଳ ନିଜର ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପରିକି ଜାମିନଦାରଙ୍କ  ତରଫରୁ ଜିଲ୍ଲାପାଳ କେନ୍ଦୁଝର ଓ ମାନବାଧିକାର ଆୟୁକ୍ତଙ୍କୁ ମେଲ୍ ଜରିଆରେ ଅଭିଯୋଗ ଦାଖଲ କରିଛନ୍ତି । ତେବେ ଅଭିଯୁକ୍ତଙ୍କୁ ଜାମିନ ଆଦେଶର ଦୁଇ ଦିନପରେ  ଜେଲ୍ ଜୀବନରୁ ମୁକ୍ତି ମିଳିଛି । ଆଇନଜୀବୀ ବିଶ୍ୱାଳଙ୍କ ସୁଚନା ମୁତାବକ ଅଭିଯୁକ୍ତ ଜଣକ ଏକ ବନ୍ଧୁଙ୍କ ଟ୍ରକ୍କୁ  ଚୋରମଣ୍ଡଳମ୍ ଫାଇନାନ୍ସରୁ ଫାଇନାନ୍ସରେ ଆଣିବା ପାଇଁ  ଗ୍ୟାରେଣ୍ଟର ହୋଇଥିଲେ । ଫାଇନାନ୍ସ କମ୍ପାନୀ ଗାଡିମାଲିକଙ୍କ ଠାରୁ ଋଣ ପରିଶୋଧ ନହୋଇପାରିବାରୁ ଗାଡିଟିକୁ ନେଇଯାଇଥିଲେ । ଅନ୍ୟପଟେ ଋଣକାରୀ ଋଣ ସୁଝିନପାରିବାରୁ ଫାଇନାନ୍ସ ତରଫରୁ ଗ୍ୟାରେଣ୍ଟରଙ୍କୁ ସମନ ଓ ପରେ ୱାରେଣ୍ଟ ଜାରି ହୋଇଥିଲା । ରାମଚନ୍ଦ୍ରପୁର ଥାନା ତରଫରୁ ୱାରେଣ୍ଟ ପାଇ ଅଭିଯୁକ୍ତଙ୍କୁ ଗିରଫ କରି ଉପଖଣ୍ଡ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିଥିଲେ । ଜାମିନ ରଦ୍ ହୋଇଯିବାରୁ ଅଭିଯୁକ୍ତ୍ ଆନନ୍ଦପୁର ଅଦାଲତରେ ଜାମିନ ଆବେଦନ କରିଥିଲେ । ଗତ ୧୧ତାରିଖରେ ଜାମିନ ଆଦେଶ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟଙ୍କୁ ଚିଠି ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଥିଲା । ଓକିଲଙ୍କ ତରଫରୁ ଜାମିନଦାର ଓ କାଗଜପତ୍ର ଦାଖଲ କରାଯାଇଥିଲା । ତେବେ ଅମଲାଙ୍କ ଆନେ୍ଦାଳନ ପାଇଁ ଅଭିଯୁକ୍ତଙ୍କ ଜାମିନ ଆଦେଶ ଉପଖଣ୍ଡ ଜେଲ୍ ଅଧିକାରୀଙ୍କ ନିକଟରେ ପହଞ୍ଚି ପାରିନଥିଲା । ଫଳରେ ଅଭିଯୁକ୍ତ ଜେଲ୍ରୁ ମୁକୁଳିପାରିନଥିଲେ ।